ଭୁବନେଶ୍ୱର: ଓଡ଼ିଶାର ପ୍ରାଚୀନ ସାମୁଦ୍ରିକ ଐତିହ୍ୟ ଏବଂ ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଏବେ ଏକ ନୂଆ ଶିଳ୍ପ ବିପ୍ଳବ ଆଡ଼କୁ ଆଗେଇବାକୁ ଯାଉଛି। ରାଜ୍ୟରେ ପ୍ରଥମ ଥର ପାଇଁ ନିର୍ମାଣ ହେବାକୁ ଯାଉଛି ବିଶାଳ ପଣ୍ୟବାହୀ ଜାହାଜ। କେନ୍ଦ୍ରାପଡ଼ା ଜିଲ୍ଲାରେ ମହାନଦୀ କୂଳରେ ପ୍ରସ୍ତାବିତ ରାଜ୍ୟର ପ୍ରଥମ ପ୍ରମୁଖ ଜାହାଜ ନିର୍ମାଣ କ୍ଲଷ୍ଟରକୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ମିଳିଛି। କେନ୍ଦ୍ର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର 'ଜାହାଜ ନିର୍ମାଣ ବିକାଶ ଯୋଜନା' ଅଧୀନରେ 'ନ୍ୟାସନାଲ ସିପ୍ବିଲ୍ଡିଂ ଆଣ୍ଡ ହେଭି ଇଣ୍ଡଷ୍ଟ୍ରିଜ୍ ପାର୍କ ଓଡ଼ିଶା ଲିମିଟେଡ୍'କୁ ଏହି ୨୪,୭୦୦ କୋଟି ଟଙ୍କାର ମେଗା ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଥିବା ନେଇ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ ସୂଚନା ଦେଇଛନ୍ତି।

ପାରାଦୀପସ୍ଥିତ ଇଫ୍କୋ (IFFCO) ପ୍ଲାଣ୍ଟ ନିକଟରେ ମହାନଦୀର ଉତ୍ତର କୂଳରେ ଏହି ପ୍ରସ୍ତାବିତ ଶିଳ୍ପ କ୍ଲଷ୍ଟର ନିର୍ମାଣ କରାଯିବ। ଏହି ବୃହତ୍ ପ୍ରକଳ୍ପଟି ଓଡ଼ିଶା ନୌବାଣିଜ୍ୟ ବୋର୍ଡ ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଏକ 'ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ' ମାଧ୍ୟମରେ ବିକଶିତ ହେବ। ଏଠାରେ ଜାହାଜ ନିର୍ମାଣ, ଜାହାଜ ମରାମତି ଏବଂ ଆନୁସଙ୍ଗିକ ଭାରୀ ଶିଳ୍ପ ପାଇଁ ଏକ ସମନ୍ୱିତ ଇକୋସିଷ୍ଟମ୍ ଗଢ଼ିଉଠିବ।

Also Read: ୭.୮% ଜିଡିପି ବୃଦ୍ଧି ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ଅର୍ଥ ଓ ଆର୍ଥିକ ବ୍ୟାପାର ସଚିବ: କହିଲେ ମୋର ସନ୍ଦେହ ହେଉଛି, ଯାଞ୍ଚ ଆବଶ୍ୟକ

ମୂଳ ଯୋଜନା ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ପ୍ରାୟ ୨,୦୦୦ରୁ ୨,୫୦୦ ଏକର ଜମି ଏବଂ ୨ରୁ ୨.୫ କିଲୋମିଟର ଦୀର୍ଘ ସ୍ୱତନ୍ତ୍ର ଜଳପ୍ରାନ୍ତ (Waterfront) ବ୍ୟବହାର କରାଯିବ। ଏହି କ୍ଲଷ୍ଟରରେ ଗୋଟିଏ କିମ୍ବା ଏକାଧିକ ବଡ଼ ଜାହାଜ ନିର୍ମାଣ ୟୁନିଟ୍ ରହିବ, ଯାହାର ମିଳିତ ନିର୍ମାଣ କ୍ଷମତା ବାର୍ଷିକ ପ୍ରାୟ ୧.୨ ନିୟୁତ ଗ୍ରସ୍ ଟନ୍ ହେବ।

ଏହି ସମନ୍ୱିତ ଶିଳ୍ପାଞ୍ଚଳରେ କେବଳ ଜାହାଜ ତିଆରି ନୁହେଁ, ବରଂ ଇଞ୍ଜିନ୍ ନିର୍ମାଣ, ଇସ୍ପାତ ପ୍ରସେସିଂ ଏବଂ ସାମୁଦ୍ରିକ ଉପକରଣ ଯୋଗାଣ ଭଳି ଅନେକ ଆନୁଷଙ୍ଗିକ ଶିଳ୍ପ ମଧ୍ୟ ଗଢ଼ିଉଠିବ। ଏହାସହିତ ଗବେଷଣା ଓ ବିକାଶ (R&D) କେନ୍ଦ୍ର, ବିଶେଷଜ୍ଞ ତାଲିମ କେନ୍ଦ୍ର ଏବଂ ସାଧାରଣ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯିବ। ଏହି ବୃହତ୍ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଓଡ଼ିଶା ବିଶ୍ୱ ନୌବାଣିଜ୍ୟ ମାନଚିତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ।