କଲମ୍ବୋ, ୨୪/୦୮ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଟେଷ୍ଟ୍ ସିରିଜର ଦ୍ୱିତୀୟ ମୁକାବିଲା ଖେଳାଯାଉଛି । ପ୍ରଥମ ମୁକାବିଲାକୁ ଭାରତ ଜିତି ନେଇ ସିରିଜରେ ୧-୦ରେ ଆଗୁଆ ଅଛି । ତେବେ ଦ୍ୱିତୀୟ ମ୍ୟାଚରେ ବି ଦଳ ମଜବୁତ ସ୍ଥିତିରେ ଅଛି । ବ୍ୟାଟରଙ୍କ ଦମଦାର ଇନିଂସ ବଳରେ ଶେଷ ଖବର ସୁଦ୍ଧା ଗିଲ୍ ସେନା ୭ ଓ୍ୱିକେଟ୍ ହରାଇ ୪୩୨ ରନ୍ କରିଛି । ତେବେ ମ୍ୟାଚରେ ଋଷଭ ପନ୍ତ ଏକ ବଡ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହାସହ ମଦେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଦ୍ୱିତୀୟ ମ୍ୟାଚର ପ୍ରଥମ ଇନିଂସରେ ପନ୍ତ ୬୩ ରନ୍ କରି ଆଉଟ୍ ହୋଇଛନ୍ତି । ଏହି ରନ୍ ପାଇଁ ସେ ୮୯ ବଲର ସାହାଯ୍ୟ ନେଇଥିଲେ । ତାଙ୍କ ପାଳିରେ ୨ ଛକା ଏବଂ ୬ ଚଉକା ସାମିଲ ରହିଥିଲା । ତେବେ ସେ ଏହି ରନ୍ ସଂଗ୍ରହ କରି ମାହିଙ୍କ ବଡ ରେକର୍ଡ ଭାଙ୍ଗିଛନ୍ତି । ଏବେ ପନ୍ତ ବିଦେଶ ଏବଂ ନ୍ୟୁଟ୍ରାନ୍ ଭେନ୍ୟୁରେ ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ ଓ୍ୱିକେଟ୍ କିପର ହୋଇଛନ୍ତି ।

ପନ୍ତ ବିଦେଶରେ କିମ୍ବା ଅନ୍ୟ ଭାରତ ବାହାରେ ଟେଷ୍ଟ୍ ମ୍ୟାଚ୍ ଖେଳି ୨୫୦୦ ରନ୍ ସଂଗ୍ରହ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଧୋନୀଙ୍କ ନାଁରେ ଥିଲା । ମାହି ୨୪୯୬ ରନ୍ ସଂଗ୍ରାହ କରିଥିଲେ । ସେହିପରି ପନ୍ତଙ୍କ ଆଭରେଜ୍ ବି ମାହିଙ୍କ ଅପେକ୍ଷା ଅଧିକ ରହିଛି । ସେ ୪୨ ଆଭରେଜରେ ରନ୍ ସଂଗ୍ରହ କରିଛନ୍ତି । ଧୋନୀଙ୍କ ଆଭରେଜ୍ ୩୨.୮୪ ରହିଥିଲା ।

Also Read :- ବାହାଘର ପାଇଁ ରାଜିଥିଲେ ସମସ୍ତେ, ଲଗ୍ନଧରା ପରେ ଝୁଲିପଡିଲେ ଝିଅ

ଏହି ତାଲିକାରେ ତୃତୀୟ ସ୍ଥାନରେ ଫାରୁଖ ଇଞ୍ଜିନିୟର ରହିଛନ୍ତି । ସେ ୧୨୦୯ ରନ୍ ସ୍କୋର କରିଥିଲେ । ଚତୁର୍ଥରେ ସୟଦ କିରମାନୀ ୧୧୦୯ ରନ୍ ଏବଂ ପଞ୍ଚମରେ ୯୦୧ ରନ୍ ସହ କିରଣ ମୋରେ ରହିଛନ୍ତି । ପନ୍ତଙ୍କ ପାଇଁ ଏହି ଉପଲବ୍ଧି ହାସଲ କରିବା ଅନ୍ୟ କାରଣ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ମ୍ୟାଚର ପ୍ରଥମ ଦିନରେ ତାଙ୍କୁ ଆଘାତ ଲାଗିଥିଲା । ସେ ରିଟାୟର ହର୍ଟ ହୋଇଥିଲେ । କିନ୍ତୁ ଦ୍ୱିତୀୟ ଦିନରେ ପୁଣି କ୍ରିଜକୁ ଆସି ଅର୍ଧଶତକୀୟ ପାଳି ଖେଳିଥିଲେ ।