ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ ତୃତୀୟ ସପ୍ତାହରେ ପହଞ୍ଚିଛି, ହେଲେ ଗତିରୋଧ ଥମୁନି। ଏଥି ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେଣ ରିଜିଜୁ ବୁଧବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ସମ୍ପର୍କ କରିଛନ୍ତି, ଯାହା ଦ୍ୱାରା ଜାରି ଗତିରୋଧର କୌଣସି ସହଜ ସମାଧାନର ରାସ୍ତା ବାହାର କରାଯାଇ ପାରିବ। ସୂତ୍ର ଅନୁସାରେ ଆଜି ସଂସଦ କାର୍ଯ୍ୟକ୍ରମ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଏଣୁ ଗୃହ କାର୍ଯ୍ୟ ଆରମ୍ଭ ହେବାର କିଛି ମିନିଟ୍ ପରେ ସ୍ଥଗିତ ହୋଇଯାଇଛି। ଏହି ଘଟଣା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିରୋଧୀଦଳ ନେତାଙ୍କୁ ସଂସଦସ୍ଥିତ ତାଙ୍କ ଚ୍ୟାମ୍ବରରେ ଭେଟିଛନ୍ତି।

ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ରାହୁଲ ଗାନ୍ଧି
ଏହି ସାକ୍ଷାତ ଆଲୋଚନା କାଳରେ ରିଜିଜୁ ପରିସୀମନ ଓ ମହିଳା ସଂରକ୍ଷଣ ବିଧେୟକ ଉପରେ କଂଗ୍ରେସର ସହଯୋଗ ମାଗିଛନ୍ତି, ଯାହାକୁ ସରକାର ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବାକୁ ଯୋଜନା କରିଛନ୍ତି। ତେବେ ଏ ନେଇ ସରକାରଙ୍କ ଅନୁରୋଧକୁ ରାହୁଲ ଗାନ୍ଧି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

କ’ଣ କହିଲେ ରାହୁଲ?
ବିରୋଧୀ ଦଳ ନେତା କିରେଣ ରିଜିଜୁଙ୍କୁ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ କଥିତ ରାମମନ୍ଦିର ଦାନ ଚୋରି ମାମଲାର ଚର୍ଚ୍ଚା ନ ହୋଇଛି ଓ ଜାତୀୟ ରାଜଧାନୀରେ ଜୁଲାଇ ୨୦ରେ ହୋଇଥିବା ବିରୋଧ ପ୍ରଦର୍ଶନ କାଳରେ ଛାତ୍ରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ନ ଆସିଛି ସେ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲି ପାରିବନି। ସୂତ୍ର ଅନୁସାରେ ରାହୁଲଙ୍କୁ ଭେଟିବା ପରେ ରିଜିଜୁ ଲୋକସଭା ବାଚସ୍ପତି ଓମ ବିରଳା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସଂସଦରେ ଜାରି ଗତିରୋଧ ନେଇ ଆଲୋଚନା କରିଛନ୍ତି। ତେବେ ଜିଦ୍ ରେ ଅଡିଯାଇଥିବା ବିରୋଧୀ ଦଳ ଏହି ଅଧିବେଶନ କାଳରେ ପରିସୀମନ ବିଧେୟକ ଗୃହୀତ କରାଇବା ପାଇଁ ସରକାରଙ୍କ ଯୋଜନା ଉପରେ ବିରାମ ଚିହ୍ନ ଲଗାଇ ଦେଇଛନ୍ତି।

କ’ଣ ଆଶା କରୁଛନ୍ତି ସରକାର?
ସୂତ୍ର ଅନୁସାରେ ତୃଣ ମୂଳ କଂଗ୍ରେସ ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ସାଂସଦ ଦଳ ବଦଳ କାରଣରୁ ସଦନରେ ବଦଳିଥିବା ସଂଖ୍ୟା ଗଣିତ ବଳରେ ସରକାର ଗତଅଧିବେଶନରେ ଗୃହୀତ କରାଇ ପାରିନଥିବା ବିବାଦୀୟ ବିଲ୍ କୁ ପାସ୍ କରାଇ ନେବେବୋଲି ଆଶା ବାନ୍ଧିଛନ୍ତି। ହେଲେ ବିରୋଧୀ ଦଳ ଛାତ୍ରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଗୃହମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଓ ସଦନରେ ତାଙ୍କ ବୟାନ ଦାବି କରୁଛନ୍ତି। ତେବେ ସରକାର ବିରୋଧୀ ଦଳଙ୍କ ଅଭିଯୋଗକୁ ଖାରଜ କରିଆସୁଛନ୍ତି ଓ ବିରୋଧ ପ୍ରଦର୍ଶନ କାଳରେ ବଳ ପ୍ରୟୋଗ ନିଷ୍ପତ୍ତି କେନ୍ଦ୍ର ଗୃହମନ୍ତ୍ରୀ ନୁହେଁ ମାଜିଷ୍ଟ୍ରେଟ୍ ନେଇଥାନ୍ତି କହି ଟାଳି ଆସୁଛନ୍ତି।