ଭୁବନେଶ୍ବର ୧୩।୧୧: ଆସନ୍ତା ଡିସେମ୍ବର ୧ ତାରିଖରୁ ଧାନ ଉଠାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍ । ସରକାରଙ୍କୁ ୧୦ ଦିନର ମହଲତ ଦେଇ ୧୨ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଘର ଅଭିଯୋଗ ଅନୁଯାୟୀ, ପ୍ରାୟ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିବା ବେଳେ ସେଥିରୁ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ମଧ୍ୟରୁ ମାତ୍ର ୩୬ ଲକ୍ଷ ମେଟ୍ରିକ୍ ଟନ୍ ଯାଇଛି । ଏବେବି ୩୦ ଲକ୍ଷ ମେଟ୍ରିକ୍ ଟନ୍ ଅର୍ଥାତ୍ ୫୦ ପ୍ରତିଶତ ଚାଉଳ ମିଲ୍ ଗୁଡ଼ିକରେ ପଡ଼ିରହିଛି ।

AlsoRead:- ବକେୟା ପାଇଁ ସରକାରୀ ଅଫିସ୍ ସମ୍ପତ୍ତି ଜବତ, ମୃତ ଠିକାଦାରଙ୍କ ପରିବାରକୁ ମିଳିବ ୧.୩୭ କୋଟି

ନିୟମ ଅନୁସାରେ ସରକାର ୩ ମାସ ମଧ୍ୟରେ ଏହା ନେବା କଥା କିନ୍ତୁ ସରକାରଙ୍କ ପାଖରେ ସ୍ଥାନ ନଥିବାରୁ ଏହା ଖାଲି ନ ହେବା ଯାଏଁ ସେମାନେ ଆଉ ନୂଆ ପଞ୍ଜିକରଣ କରିବେ ନାହିଁ । ମୁଖ୍ୟ ଦାବି ହେଉଛି ତୁରନ୍ତ ଚାଉଳ ଉଠାଯାଉ ନଚେତ୍ ନୂଆ ଧାନ ଉଠାଯିବ ନାହିଁ । ଏହାବ୍ୟତୀତ ୨୦୧୮-୧୯ ମସିହା ତୁଳନାରେ ଏବେ କମ୍ ଟ୍ରାନ୍ସପୋର୍ଟ ଚାର୍ଜ ମିଳୁଥିବା, ଡ୍ରାଏଜ୍ ବା ଶୁକ୍ତି ପରିମାଣକୁ ୧ ପ୍ରତିଶତରୁ କମାଇ ୦.୫ ପ୍ରତିଶତ କରାଯିବା ଯୋଗୁଁ ସମସ୍ୟା ଉପୁଜିଥିବା, ଭିଏଲ୍ ଟିଡି (VLTD) ସର୍ଭର ଠିକ୍ ଭାବେ କାର୍ଯ୍ୟ କରୁନଥିବାରୁ ମିଲର୍ସ ମାନେ ହଇରାଣ ହେଉଥିବାରୁ ତାହାକୁ ଠିକ୍ କରାଯାଉ କିମ୍ବା ହଟାଯାଉ ବୋଲି ଦାବି କରାଯିବା ସହିତ ବକେୟା ଅର୍ଥ ମଧ୍ୟ ତୁରନ୍ତ ପ୍ରଦାନ କରିବାକୁ ଦାବି କରାଯାଇଛି ।