କେନ୍ଦ୍ରାପଡ଼ା ୧୩।୧୧: ଡେଙ୍ଗୁରା ବାଜିଲା, କୋରଖ ହେଲା କେନ୍ଦ୍ରାପଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ-୨ର ଚଳନ୍ତି ସମ୍ପତ୍ତି l ଜିଲ୍ଲା ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ଶ୍ଯାମଗୁଡ଼ିଆ ଠାରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ୍-୨ କାର୍ଯ୍ୟାଳୟରେ ଥିବା ସମସ୍ତ ଚଳନ୍ତି ସମ୍ପତ୍ତି କୋରଖ ହୋଇଛି l ଜଣେ ଠିକାଦାରଙ୍କ ବକେୟା ବିଲ୍ ୧ କୋଟି ୩୭ ଲକ୍ଷ ଟଙ୍କା ନଦେବାର ପରିଣାମ ଭୋଗିଛି ଗ୍ରାମ୍ୟ ଉନ୍ନୟନ ବିଭାଗ l

ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପୂର୍ବାହ୍ନରେ ଏକ ସ୍ଵତନ୍ତ୍ର ଟିମ୍ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ l ଅଦାଲତଙ୍କ ନୋଟିସ୍ କାନ୍ଥରେ ଝୁଲାଇବା ପରେ ଆବେଦନକାରୀଙ୍କ ଓକିଲଙ୍କ ଉପସ୍ଥିତିରେ ଅଫିସର ଜିନିଷପତ୍ର ତାଲିକା ପ୍ରସ୍ତୁତ କରାଯାଇଥିଲା l ପରବର୍ତ୍ତୀ ସମୟରେ ସେସବୁର ମୂଲ୍ୟାୟନ ହେବ l ଆବଶ୍ୟକ ସ୍ଥଳେ ତାଲିକାଭୁକ୍ତ ସାମଗ୍ରୀ ବିକ୍ରି କରି ଠିକାଦାରଙ୍କ ବକେୟା ବିଲ୍ ପୈଠ କରାଯିବ l କୋରଖ ସମୟରେ ଠିକାଦାରଙ୍କ ଓକିଲ ଓ ତାଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ l ଦୀର୍ଘ ୨୩ ବର୍ଷର ଲଢେଇ ପରେ ନ୍ୟାୟ ମିଳିଥିବାରୁ ମୃତ ଠିକାଦାରଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି l

AlsoRead:-ସାବଧାନ ! ଗୁପଚୁପ ଖାଉଛନ୍ତି କି ? ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି, ମିଶୁଥିଲା କେମିକାଲ ରଙ୍ଗ

୨୦୦୩ ମସିହାରେ ରମେଶ ଚନ୍ଦ୍ର ସାମନ୍ତରାୟ ନାମକ ଜଣେ ଠିକାଦାର ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ଓ ଦଲେଇସାହିରେ ଦୁଇଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ l ଏ ବାବଦକୁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ବିଲ୍ ବାବଦକୁ ୧ କୋଟି ୭ ଲକ୍ଷ ଟଙ୍କା ତାଙ୍କର ପାଇବାର ଥିଲା l ତେବେ ୨୦୦୪ ମସିହାରେ ଠିକାଦାର ରମେଶ ଚନ୍ଦ୍ର ସାମନ୍ତରାୟ ବିଧାୟକ ଭାବେ ନିର୍ବାଚନ ଲଢିବା ଯୋଗୁ ନିଜ କଣ୍ଟ୍ରାକ୍ଟର ଲାଇସେନ୍ସ ସରେଣ୍ଡର କରି ଦେଇଥିଲେ l ସେହି ଦିନଠାରୁ ବିଭାଗ ତାଙ୍କ ବିଲ୍ ନଦେଇ ନାନାପ୍ରକାର ହଇରାଣ ହରକତ କରିଥିଲା l ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ମନମାନି ବିରୁଦ୍ଧରେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ l

AlsoRead:-ସାବଧାନ ! ଗୁପଚୁପ ଖାଉଛନ୍ତି କି ? ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି, ମିଶୁଥିଲା କେମିକାଲ ରଙ୍ଗ​​​

ନ୍ୟାୟିକ ଲଢେଇ ଚାଲିଥିବା ବେଳେ ୨୦୨୩ ମସିହାରେ ଠିକାଦାର ରମେଶ ଚନ୍ଦ୍ର ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିଲା l ଏବେ ସୁଧ ମୂଳ ମିଶାଇ ୧ କୋଟି ୩୭ ଲକ୍ଷ ଟଙ୍କା ପାଇବେ ଠିକାଦାରଙ୍କ ପରିବାର ଲୋକେ l କୁଜଙ୍ଗ ଷଣ୍ଢପୁର ଗାଁର ଠିକାଦାର ରମେଶ ଚନ୍ଦ୍ର ସାମନ୍ତରାୟ ପରିବାର ପାଇଁ ଏହା ଏକ ବଡ଼ ବିଜୟ କହିଲେ ଅତ୍ୟୁକ୍ତି ହେବନାହିଁ l