ଭୁବନେଶ୍ୱର ୨୪।୦୬ :  ମୌସୁମୀ ଆରମ୍ଭରୁ ରାଜ୍ୟରେ ଭଲ ବର୍ଷା ହେବ। ମୌସୁମୀର ମୁଖ୍ୟ ସମୟ (ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର) ମଧ୍ୟରେ ଓଡ଼ିଶାରେ ଭଲ ବର୍ଷିବ । ବିଶେଷ କରି ଉତ୍ତର ଓ ଉପକୂଳ ଜିଲ୍ଲାରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହେବାର ୪୫–୫୫% ସମ୍ଭାବନା ରହିଛି । କିନ୍ତୁ ପରେ ବା ମୌସୁମୀ ଶେଷ ଆଡ଼କୁ ଅଗଷ୍ଟ-ସେପ୍ଟେମ୍ବର- ଅକ୍ଟୋବର ମାସ ଓ ସେପ୍ଟେମ୍ବରରୁ ନଭେମ୍ବର ଯାଏ ବର୍ଷା କମିଯିବ। ନଭେମ୍ବରରୁ ଜାନୁଆରୀ ମାସ ବା ମୌସୁମୀ ପରବର୍ତ୍ତୀ ସମୟରେ ବର୍ଷାର ପରିମାଣ ସ୍ୱାଭାବିକଠାରୁ କମ୍‌ ରହିବ। ଆଇଆରଆଇ-ସିପିସି ଗ୍ଲୋବାଲ୍‌ର ମୌସୁମୀ ଆକଳନକୁ ଆଧାର କରି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହା କହିଛନ୍ତି । ତେବେ ଏହି ଆକଳନରୁ ପ୍ରତି ମାସର ଠିକ୍‌ ସୂଚନା ସିଧାସଳଖ ମିଳିବନି । ତଥାପି ମୌସୁମୀର ଦ୍ୱିତୀୟ ଭାଗରେ ଅନିଶ୍ଚିତ ବର୍ଷାର ଓ ଦୀର୍ଘ ଦିନ ଧରି ମରୁଡ଼ି ସଦୃଶ ସ୍ଥିତି ରହିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

୨୦୨୬ର ବାକି ମାସଗୁଡ଼ିକରେ ରାଜ୍ୟର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାର ୬୦–୭୦% ସମ୍ଭାବନା ଅଛି। ଏ ବର୍ଷ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବ। ବର୍ଷା ସମ୍ପୂର୍ଣ୍ଣ ଅଭାବ ହେବନି ବରଂ ଅନିୟମିତ ବର୍ଷା ହେବ। ଏହା ଚାଷ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି । ରାଜ୍ୟର ସବୁ ଅଞ୍ଚଳକୁ ମୌସୁମୀ ବାୟୁ ଛୁଇଁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ଥିଲା । ଅନେକ ସ୍ଥାନରେ ବର୍ଷା ହୋଇଥିଲା । ତେବେ ଆଗକୁ ବର୍ଷା ବଢ଼ିବ । ବୁଧବାର ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ନାସା ସମେତ ବିଶ୍ୱର ବିଭିନ୍ନ ପାଣିପାଗ ମଡେଲ୍‌ର ଆକଳନ ଅନୁଯାୟୀ, ୨୦୨୬ ର ଦ୍ୱିତୀୟ ଭାଗରେ ଏକ ଦୁର୍ବଳ ଏଲ୍‌ ନିନୋ ସ୍ଥିତି ସୃଷ୍ଟି ହେଉଛି।

Also Read:-Mahrang Baloch: ପାକିସ୍ତାନରେ ଉଠାଉଥିଲେ ସ୍ବର ମିଳିଲା ଶାସ୍ତି, ବାଲୋଚ୍ ନେତ୍ରୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ପୂର୍ବ ରେକର୍ଡ ଅନୁଯାୟୀ, ଏଲ୍‌ ନିନା ପ୍ରଭାବରେ ଭାରତରେ ବର୍ଷାର ଅନିୟମିତତା ହୁଏ । ତେବେ ଏମଜେଓ ଜୁନ୍‌ ଶେଷ ଓ ଜୁଲାଇ ଆରମ୍ଭରେ ଭାରତ ମହାସାଗରରେ ବର୍ଷା ଅନୁକୂଳ ପରିବେଶ ସୃଷ୍ଟି କରିବ । ଏହା ପ୍ରଭାବରେ ମୌସୁମୀ କିଛି ଦିନ ପାଇଁ ବେଶ୍‌ ସକ୍ରିୟ ହେବ । ମୌସୁମୀର ଶେଷ ଭାଗରେ ଅଧିକ ତାପମାତ୍ରା ଓ ନିଅଣ୍ଟିଆ ବର୍ଷା ଆଶଙ୍କା ଥିବାରୁ, ଚାଷୀନେ ସତର୍କତା ଅବଲମ୍ବନ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ଠିକ୍‌ ସମୟରେ ଜମି ପ୍ରସ୍ତୁତ କରିବା, ବର୍ଷା ଜଳ ସଂରକ୍ଷଣ କରିବା, ଜମିର ହିଡ଼କୁ ସୁଦୃଢ଼ କରି ରଖିବା ଏବଂ ଉନ୍ନତ ବିହନ ତଥା ସାର ଭଳି ଆବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଜମିରେ ଏକାସଙ୍ଗେ ଚାଷ ନକରି, ଭାଗ ଭାଗ କରି ବୁଣାବୁଣି ବା ରୁଆ କାମ କରିବା ଦରକାର । ବର୍ଷା ଉପରେ ନିର୍ଭର କରୁଥିବା ଜମିରେ କେବଳ ଧାନ ଚାଷ ନକରି ମାଣ୍ଡିଆ ବା ଅନ୍ୟାନ୍ୟ କ୍ଷୁଦ୍ର ଶସ୍ୟ, ହରଡ଼, ମକା ଏବଂ ଚିନାବାଦାମ ଭଳି ପାଣିପାଗ ସହୁଥିବା ଫସଲ ଚାଷ କଲେ କ୍ଷତିର ଆଶଙ୍କା କମିବ । ଚାଷୀମାନେ କ୍ୟାଲେଣ୍ଡର ତାରିଖ ଅପେକ୍ଷା ନିଜ ଅଞ୍ଚଳରେ ହେଉଥିବା ପ୍ରକୃତ ବର୍ଷାକୁ ଦେଖି ନିଷ୍ପତ୍ତି ନେବାକୁ ସେ ପରାମର୍ଶ ଦେଇଛନ୍ତି।