ଭୁବନେଶ୍ୱର: ସ୍ୱଚ୍ଛ ସର୍ଭେକ୍ଷଣକୁ ନେଇ ବିଏମସିରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ଏହି ସମୀକ୍ଷାରେ ଚଳିତ ମାସ ୧୪ ତାରିଖ ସୁଦ୍ଧା କୌଣସି ଓ୍ୱାର୍ଡରେ ଯେପରି ବର୍ଜ୍ୟ ପ୍ରବଣ ସ୍ଥାନ (ଜିଭିପି) ନରୁହେ ସେ ନେଇ ତାଗିଦ କରିଛନ୍ତି କମିଶନର ଚଞ୍ଚଳ ରାଣା । ଜିଭିପିକୁ ନେଇ Prameyanews7ରେ ଖବର ପ୍ରସାରଣ ପରେ ଏହା ଉପରେ କଡା ପଦକ୍ଷେପ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେପରି ଜିଭିପି ନରୁହେ ସେ ନେଇ କାର୍ଯ୍ୟ କରିବା ସହ ସେ ଅନୁସାରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମସ୍ତ ଏସଆଇ, ସ୍ୱଚ୍ଛ ସୁପରଭାଇଜର ଏବଂ ଏଜେନ୍ସିର କର୍ମକର୍ତ୍ତାଙ୍କୁ ନିର୍ଦେଶ ଦିଆଯାଇଛି ।

ଆବଶ୍ୟକ ପଡିଲେ ଅଧିକ ଲୋକ ଓ ଗାଡି ନିୟୋଜିତ କରିବା ପାଇଁ ମଧ୍ୟ କୁହାଯାଇଛି । ପ୍ରତି ଓ୍ୱାର୍ଡରେ ଦୈନିକ ସଫା କରିବା ସହ ମାର୍କେଟ ଅଂଚଳରେ ଦିନକୁ ଦୁଇଥର ବର୍ଜ୍ୟ ସଂଗ୍ରହ କରିବାକୁ କୁହାଯାଇଛି । ଅନ୍ୟପକ୍ଷରେ ନାଇଟ୍ ସୁଇପିଂ ଶୀଘ୍ର ଆରମ୍ଭ କରିବା ପାଇଁ ସମସ୍ତ ଏଜେନ୍ସିଙ୍କୁ କୁହାଯାଇଛି । ଅନ୍ୟପଟେ ଏଜେନ୍ସିଗୁଡିକ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ ସମସ୍ତ କାର୍ଯ୍ୟ ସୂଚାରୁରୂପେ କରାଯିବ ବୋଲି ଏଜେନ୍ସିର କର୍ମକର୍ତ୍ତାମାନେ ଏହି ସମୀକ୍ଷା ବୈଠକ ରେ ଯୋଗ ଦେଇ ପ୍ରତିଶ୍ରୁତି ଦେଇଛନ୍ତି ।