ଭୁବନେଶ୍ୱର ୨୮।୦୯ : ବିଜେଡି ସୁପ୍ରିମୋଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ଜବାବ । ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ କଲେ ସୁରେଶ ପୂଜାରୀ । ବନ୍ୟା ସମୟରେ ଗ୍ରାଉଣ୍ଡକୁ ଯାଆନ୍ତୁ ନବୀନ । ମୋହନ ମାଝୀଙ୍କ ଭଳି ଗ୍ରାଉଣ୍ଡକୁ ଯାଇ ଲୋକଙ୍କ କଥା ବୁଝନ୍ତୁ ବିଜେଡି ସୁପ୍ରିମୋ । ଯଦି ନବୀନ ଜେନ-ଜିଙ୍କ କଥା ଭାବିଥାନ୍ତେ, ତେବେ ରାଜ୍ୟରେ ସମସ୍ୟା ନଥାନ୍ତା । ବିଜେପି ସରକାର ଜେନ-ଜିଙ୍କ ପାଇଁ କାମ କରୁଛନ୍ତି । କେଉଁ ପରିସ୍ଥିତିରେ କେଉଁଠି ପ୍ରସଙ୍ଗ ଉଠାଇବେ ସେ କଥା ପ୍ରଥମେ ବିଚାର କରନ୍ତୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିରୋଧୀ ଦଳର ପ୍ରତିବାଦ କରିବାର ଅଧିକାର ଅଛି । ନିଜ ପ୍ରସଙ୍ଗ ଉଠାଇବାର ମଧ୍ୟ ଅଧିକାର ଅଛି। ସେଥିରେ ଆମର କୌଣସି ଆପତ୍ତି ନାହିଁ। ଏମ୍ବିବିଏସ୍ ପ୍ରସଙ୍ଗ ହେଉ କି ପାଠ୍ୟପୁସ୍ତକକୁ ନେଇ ଘଟିଥିବା ଘଟଣା । ଆହୁରି ଅନେକ ପ୍ରସଙ୍ଗ ଅଛି, ସବୁ ଆଲୋଚନା ହେଉ। କିନ୍ତୁ ପ୍ରଶ୍ନ ହେଉଛି, କେଉଁ ପ୍ରସଙ୍ଗ କେତେବେଳେ ଉଠାଯିବ। ଆଜି ଯେତେବେଳେ ଓଡ଼ିଶାର ୨୬ଟି ଜିଲ୍ଲା ବନ୍ୟା ପରିସ୍ଥିତିରେ ପ୍ରଭାବିତ, ସେତେବେଳେ ଆମର ପ୍ରାଥମିକ ଦାୟିତ୍ୱ ହେଉଛି ବନ୍ୟା ପରିସ୍ଥିତି ଉପରେ ଆଲୋଚନା କରିବା। ବିରୋଧୀ ଦଳର କୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଆମେ ଅମଙ୍ଗ ନୁହେଁ। କିନ୍ତୁ ଆଜି ସାଢ଼େ ଚାରି କୋଟି ଓଡ଼ିଆ ଯେତେବେଳେ ବନ୍ୟାରେ ହନ୍ତସନ୍ତ ହେଉଛନ୍ତି । ସେତେବେଳେ ପ୍ରଥମେ ବନ୍ୟା ପ୍ରସଙ୍ଗରେ ଆଲୋଚନା ହେବା ଆବଶ୍ୟକ। ବିଧାନସଭାରେ ଆଲୋଚନା ହେଲେ ଆମକୁ ଅନେକ ତଥ୍ୟ ମିଳିବ। କେଉଁଠି ଆମେ ପହଞ୍ଚିପାରିନାହୁଁ, କେଉଁଠି ଆହୁରି ସହାୟତା ଆବଶ୍ୟକ ।ସେସବୁ ସଂପର୍କରେ ଜଣାପଡ଼ିବ। ତାହା ପରେ ଆମେ ଆହୁରି ଶୀଘ୍ର ସେହି ଅଞ୍ଚଳରେ ପହଞ୍ଚି ସହାୟତା ଦେଇପାରିବୁ।

Also Read:-MMDRକୁ ନେଇ ନବୀନଙ୍କ ରଣହୁଙ୍କାର, କହିଲେ- GenZଙ୍କ ଭବିଷ୍ୟତ ପାଇଁ ଆମେ ଏ ଲଢେଇ ଲଢୁଛେ

ସେହିପରି ବନ୍ୟା ପରିସ୍ଥିତିରେ ସରକାର ଓ ବିରୋଧୀ ଦଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନବୀନ ବାବୁଙ୍କର ଅଭିଯୋଗ କରିବାର ଅଧିକାର ଅଛି। କିନ୍ତୁ କେଉଁ ଅଭିଯୋଗ କେତେବେଳେ କରାଯିବ ଏବଂ କେଉଁ ପ୍ରସଙ୍ଗ କେତେବେଳେ ଉଠାଯିବ । ସେଥିରେ ଟିକିଏ ସତର୍କତା ରହିଲେ ଓଡ଼ିଶାବାସୀ ଉପକୃତ ହେବେ। ନବୀନ ବାବୁ ଜେନ-ଜିଙ୍କ କଥା କହୁଛନ୍ତି । ଯଦି ସତରେ ସେ ଭାବି ଥାନ୍ତେ ତାହେଲେ ଆଜି ଓଡ଼ିଶାରେ ସମସ୍ୟା ନଥାନ୍ତା. ଜେନ-ଜିଙ୍କ ପାଇଁ ବିଜେପି ସରକାର କାମ କରୁଛନ୍ତି ।