ପୁରୀ ୫।୮: ପୁରୀ ଗସ୍ତରେ ଆସି ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ପୁରୀ ସର୍କିଟ ହାଉସ ଠାରେ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବୈଠକରେ ସତ୍ୟବାଦୀ, ପିପିଲି ବିଧାୟକ ଉପସ୍ଥିତ ରହିଥିଲେ । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମହାନଗର ନିଗମ କମିଶନରଙ୍କ ସହ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।

ଚଳିତବର୍ଷ ୬୦ ପ୍ରତିଶତରୁ ଅଧିକ ବୃଷ୍ଟିପାତ ଯୋଗୁଁ ରାଜ୍ୟର ୩୦ରୁ ୨୨ ଜିଲ୍ଲା ପ୍ରଭାବିତ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ଭଦ୍ରକ, ଯାଜପୁର ବାଲେଶ୍ୱର ବିଶେଷ ଭାବରେ ପ୍ରଭାବିତ ହୋଇଛି । ଜଳ ସମ୍ପଦ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ସମନ୍ବୟ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗ ଯୋଗୁଁ ବନ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିଛି । ମହାନଦୀ ପାଣି, ହୀରାକୁଦ ଦେଇ ଆସେ । ନାରାଜ ଦେଇ ଆସୁଥିବା ପାଣି ଖୋର୍ଦ୍ଧା, ଜଗତସିଂହପୁର, ପୁରୀକୁ ପ୍ରଭାବିତ କରେ । ସେହି ଆଧାରରେ ପୁରୀ ଜିଲ୍ଲାର ୫ଟି ବ୍ଲକ ପ୍ରଭାବିତ ହୋଇଛି । ଡେଲାଙ୍ଗ, କଣାସ, ନିମାପଡ଼ା, ପିପିଲି ଓ ପୁରୀ ସଦର ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ତେବେ ୧୪ଟି ପଞ୍ଚାୟତର ୧୯ଟି ଗାଁ ଏବଂ ୧୭୨୨୧ ଜଣ ପ୍ରଭାବିତ ହୋଇଛନ୍ତି । ୩୪୫ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

ପ୍ରାଥମିକ କ୍ଷୟକ୍ଷତି ଅନୁସାରେ କ୍ଷତିପୂରଣ ରାଶି ଦିଆଯାଉଛି। ଗତକାଲି ରାଜସ୍ୱ ବିଭାଗ ରାଜ୍ୟର ପ୍ରଭାବିତ ଅଞ୍ଚଳକୁ ୧୧୦ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ କ୍ଷତିପୂରଣ ପ୍ରଦାନ କରିଛନ୍ତି । ପୁରୀରେ କିଛି ସ୍ଥାନରେ ପାଣି ଏବେ ବି ରହିଥିବା ଯୋଗୁଁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ହୋଇପାରିନାହିଁ । ଧାନ ଚାଷ ଓ ପ୍ରଥମରୁ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସ୍ୱଳ୍ପ ମିଆଦି ବିହନ ଯୋଗାଣ କରାଯାଉଛି । ଚାହିଁଲେ ଏହି ସ୍ୱଳ୍ପ ମିଆଦି ବିହନ ନେଇପାରିବେ ଚାଷୀ। ସେପଟେ ଯେଉଁମାନେ ପନିପରିବା ଚାଷ କରିଛନ୍ତି ସେମାନଙ୍କୁ କ୍ଷତିପୂରଣ ସଙ୍ଗେ ସଙ୍ଗେ ସ୍ୱଳ୍ପ ମିଆଦି ବିହନ ମଧ୍ୟ ଯୋଗାଇ ଦିଆଯିବ। ମୁଣ୍ଡଳୀର ଜଳକୁ ୧୦ ଲକ୍ଷ କ୍ୟୁସେକକୁ ପହଞ୍ଚାଇ ଦିଆ ନଯିବାରୁ ପୁରୀ ଜିଲ୍ଲା ବେଶୀ ପ୍ରଭାବିତ ହେଲା ନାହିଁ । ପୂର୍ବରୁ ୧୨ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଜଳ ଆସୁଥିଲା। ତେଣୁ ଚଳିତ ବର୍ଷ ବନ୍ୟା ପ୍ରଭାବ କମ୍ ରହିଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।

Also Read:- ସରିଲା ୩ ଦିନିଆ ଓଡ଼ିଶା ଗସ୍ତ, ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସେପଟେ ବନ୍ୟା ପ୍ରଭାବିତ ଦୟା , ଲୁଣା, ମନ୍ଦାକିନୀ, ରଜୁଆ, ଭାର୍ଗବୀ, ନିମାପଡ଼ା, ରତ୍ନ ଚିରାରେ ସ୍ଥିତି ପରଖିଛନ୍ତି ମନ୍ତ୍ରୀ । ସେପଟେ ଦୟା ନଦୀରେ ଡ୍ରେଜିଂ ପାଇଁ ୮୦ କୋଟିର ବ୍ୟୟବରାଦ କରାଯାଇ କାମ କରାଯାଉଛି। ଦୟା ନଦୀ, ରଜ୍ଜୁଆ, ମନ୍ଦାକିନୀର ମିଶ୍ରଣ ବା ସଙ୍ଗମ ସ୍ଥାନ ପର୍ଯ୍ୟନ୍ତ ଡ୍ରେଜିଂ ନେବାକୁ ଚିନ୍ତା କରାଯାଇଛି । କଣ୍ଟି କଜ୍ ୱେକୁ ମଧ୍ୟ କାମ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଅଗଷ୍ଟ ୧୫ ତାରିଖ ପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଜଳସେଚନ ବିଭାଗର ଉଚ୍ଚ ସ୍ତରୀୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ନେଇ ବୈଠକ ହେବ । ସମସ୍ତ ଡିପିଆର ଉପରେ ଅନୁଧ୍ୟାନ କରାଯିବ । ଜଳସେଚନ ବିଭାଗ ପାଖରେ ଅର୍ଥ ରାଶି ନଥିଲେ ଡିଜାଷ୍ଟର ମ୍ୟାନେଜମଣ୍ଟ ପାଣ୍ଠିରୁ ନିର୍ମାଣ ପାଇଁ ଅର୍ଥ ରାଶି ଯୋଗାଇ ଦିଆଯିବ । ସେପଟେ ୪୮ ଘଣ୍ଟା ଭିତରେ ପାଣି କମିଯିବା ପରେ ଜିଲ୍ଲାର ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ବା ଆସେସମେଣ୍ଟ କରାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ପୁରୀ ମହାନଗରରେ ଡ୍ରେନେଜ ସମସ୍ୟା ନେଇ ଆଲୋଚନା ହୋଇଛି । ଭୁବନେଶର ମହାନଗର ନିଗମ ପାଇଁ ଆଇଆଇଟି ଗୁଣୁପୁରକୁ ଦାୟିତ୍ୱ ଦିଆଯାଇଥିବା ବେଳେ ୩୦୦ କୋଟି ମଞ୍ଜୁର କରାଯାଇଛି । ପୁରୀ ସମେତ ଅନ୍ୟ ୧୦ ସହରରେ ଖୁବ୍ ଶୀଘ୍ର ଡ୍ରେନେଜ୍ ସମସ୍ୟା ଦୂର ପାଇଁ କାର୍ଯ୍ୟ କରାଯିବ।