ନୂଆଦିଲ୍ଲୀଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନ ରାଗରେ ଏହାର ପଡ଼ୋଶୀ ଦେଶଗୁଡିକ ଉପରେ ଆଟାକ କରୁଛି। ଏନେଇ ସଂଯୁକ୍ତ ଆରବ ଏମିରେଟ୍ସ ପକ୍ଷରୁ ପ୍ରତିକ୍ରିୟା ଆସିଛି। ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ୍ ନାହୟାନ ସରକାରଙ୍କ ପକ୍ଷରୁ ଏନେଇ ଇରାନକୁ ସମାଲୋଚନା କରାଯାଇଛି। ୟୁଏଇ ଭଳି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ତୁମ ସହ ଯୁଦ୍ଧ କରୁ ନାହାନ୍ତି, ତେଣୁ ଟିକେ ହୋସରେ ଆସି କାମ କର ବୋଲି ସେ ଇରାନକୁ କହିଛନ୍ତି।

ଏନେଇ ୟୁଏଇ ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ଅନୱର ଗାରଗାସ୍ କହିଛନ୍ତି ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ବିରୁଦ୍ଧରେ ଇରାନର ଆକ୍ରମଣ ଏକ ଭୁଲ ଆକଳନ। ତେଣୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଇରାନକୁ ଅଲଗା କରିଦେଇଛି। ତୁମର ଯୁଦ୍ଧ ତୁମର ପଡ଼ୋଶୀମାନଙ୍କ ସହିତ ନୁହେଁ। ତୁମେ ଯେମିତ ଆହୁରି ଏକା ପଡ଼ି ନ ଯାଅ ଓ ଚାପ ଆହୁରି ନ ବଢ଼ି ଯାଉଛି ତେଣୁ ବୁଦ୍ଧି ବିଚାରି କାର୍ଯ୍ୟ କରନ୍ତୁ, ଆଖପାଖରେ ହେଉଥିବା ପରିବର୍ତ୍ତନ ଉପରେ ଧ୍ୟାନ ଦିଅନ୍ତୁ। ଆଉ ନିଜ ପଡ଼ୋଶୀ ସହିତ ବୁଝାମଣାରେ ସହ ଦାୟିତ୍ୱ ସମ୍ପନ୍ନ ଭାବେ ବ୍ୟବହାର କରନ୍ତୁ।

ଆମେରିକା ଏବଂ ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ପ୍ରତିଶୋଧ ସ୍ୱରୂପ ଇରାନ ସଂଯୁକ୍ତ ଆରବ ଏମିରେଟ୍ସର ଅନେକ ରାଜ୍ୟକୁ ଟାର୍ଗେଟ କରିବା ପରେ ୟୁଏଇ ପକ୍ଷରୁ ଏହି କଠୋର ମନ୍ତବ୍ୟ ଆସିଛି। ଶନିବାର ଇରାନୀ କ୍ଷେପଣାସ୍ତ୍ର ଆବୁଧାବିର ଦକ୍ଷିଣ ଭାଗରେ ଥିବା ଅଲ-ଧାରଫା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା। ଅଲ ଧାରଫା ବ୍ୟତୀତ,ଆବୁଧାବିର ଏକାଧିକ ସ୍ଥାନ ମଧ୍ୟ ଇରାନୀ କ୍ଷେପଣାସ୍ତ୍ର ଦ୍ୱାରା ଥରି ଉଠିଛି।

ଏହାପରେ ପ୍ରମୁଖ ବିଶ୍ୱ ବାଣିଜ୍ୟିକ କେନ୍ଦ୍ର ବୋଲାଉଥିବା ଦୁବାଇ ଉପରେ ବି ଆକ୍ରମଣ କରିଥିଲା ଇରାନ। ବଡ଼ କଥା ହେଲା ଦୁବାଇରେ ଆମେରିକାର କୌଣସି ସାମରିକ ଘାଟି ନାହିଁ। ତଥାପି ଏହି ସହରକୁ ଆକ୍ରମଣ କରିଛି ଇରାନ ମିସାଇଲ୍। ଏହି ଆକ୍ରଣ ପରେ ଦୁଇବାଇ ଆକାଶପଥ ବନ୍ଦ ହୋଇଯାଇଥିଲା ଏବଂ ଉପସାଗରୀୟ ଅଞ୍ଚଳରେ ବ୍ୟାପକ ବାଧା ସୃଷ୍ଟି ହୋଇଥିଲା। ଦୁବାଇରେ ପାଞ୍ଚଟି ବଡ଼ ବିସ୍ଫୋରଣ କରାଯାଇଥିଲା। ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଥିଲା,ଯାହା ଫଳରେ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ଆକ୍ରମଣରେ ଚାରି ଜଣ ଆହତ ମଧ୍ୟ ହୋଇଛନ୍ତି।

ଇରାନ ରାତାରାତି ପ୍ରତିଶୋଧମୂଳକ ଆକ୍ରମଣ ଜାରି ରଖିଥିବାରୁ,ଐତିହାସିକ ବୁର୍ଜ ଅଲ୍ ଆରବ ହୋଟେଲକୁ ମଧ୍ୟ ଆଟାକ୍ କରିଥିଲା। ଏଥିରେ ହୋଟ୍ଲରେ ଗୁରୁତର କ୍ଷତି ହୋଇଛି। ଜୁମୈରାହ ବିଚ୍ର ଏକ କୃତ୍ରିମ ଦ୍ୱୀପରେ ୧୯୯୯ ମସିହାରେ ଖୋଲାଯାଇଥିବା। ପାଲ-ଆକୃତିର ଟାୱାରଟି ଶୀଘ୍ର ବିଶ୍ୱ ସ୍ତରରେ ବିଳାସପୂର୍ଣ୍ଣ ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ଏକ ସହରର ପ୍ରତୀକ ପାଲଟିଯାଇଥିଲା। ଖବର ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ ଅନୁଯାୟୀ,ଶନିବାର ସହରର କୃତ୍ରିମ ଭାବରେ ନିର୍ମିତ ପାମ୍ ଜୁମୈରାହ ଦ୍ୱୀପରେ ଅନ୍ୟ ଏକ ହୋଟେଲ ନିକଟରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି।

କେବଳ ୟୁଏଇ ନୁହେଁ,ଏକାଧିକ ଗଲ୍ଫ ଦେଶଗୁଡ଼ିକରେ ଇରାନ ମିସାଇଲ ମାଡ଼଼ କରିଛି। ରବିବାର ଦୁବାଇ ଏବଂ କାତାରର ରାଜଧାନୀ ଦୋହାରେ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା। ଇସଲାମିକ ଗଣରାଜ୍ୟ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣର ଜବାବରେ ପଡ଼ୋଶୀ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ବୃଦ୍ଧି ପାଇବା ସହିତ ଓମାନ ମଧ୍ୟ ପ୍ରଥମ ଥର ପାଇଁ ପ୍ରଭାବିତ ହୋଇଛି।