ବରୀ: ‘ବୁଢ଼ୀ ମୋତେ କ୍ଷମା କରିବୁ । ଶେଷ ପର୍ଯ୍ୟନ୍ତ ତୁମ ସହିତ ରହିପାରିବି ନାହିଁ ।’ ଏହା ଜଣେ ଶିକ୍ଷକଙ୍କ ଜୀବନର ଶେଷ ଲେଖା । ଲେଖାଟି ଉପରେ କେଇ ଟୋପା ଲୁହ ପଡ଼ିଥିବାର ଚିହ୍ନ ସ୍ପଷ୍ଟ ଦେଖାଯାଉଛି । ଶିକ୍ଷକ ହେଲେ ବରୀ ଶିକ୍ଷାମଣ୍ଡଳ ଅନ୍ତର୍ଗତ ଅରଙ୍ଗାବାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରଧାନ ।

ଦିନେ ଯେଉଁ ଚାଟଶାଳିରେ ଛାତ୍ରଛାତ୍ରୀଙ୍କ କୋଳାହଳ ପରିବେଶକୁ ମୁଖରିତ କରୁଥିଲା, ଆଜି ସେଠାରେ ନିରବତା । କଳାପଟା, ବହିଖାତା ଓ ପାଠପଢ଼ାର ସେହି ପରିଚିତ ପରିବେଶ ମଧ୍ୟରେ ଆଉ ଶୁଭୁନି ସୁର ସାରଙ୍କ ସ୍ୱର । ଶହଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିବା ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କ ଅକାଳ ବିୟୋଗରେ ସ୍ତବ୍ଧ ସମଗ୍ର ବରୀ ଅଞ୍ଚଳ । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ପାଠପଢ଼ାକୁ ନେଇ ତାଗିଦ୍ କରିବା ଓ ମାଡ଼ ମାରିବା ଘଟଣା ପରେ ଅଭିଭାବକଙ୍କ ଗାଳି ସହି ନପାରି ଶିକ୍ଷକ ଆତ୍ମହତ୍ୟା କରିଛନ୍ତି । ସେ ପତ୍ନୀଙ୍କୁ ସ୍ନେହରେ ‘ବୁଢ଼ୀ’ ବୋଲି ଡାକନ୍ତି । ଆତ୍ମହତ୍ୟା ପୂର୍ବରୁ ପତ୍ନୀଙ୍କ ଉଦ୍ଦେଶ୍ୟରେ ଲେଖିଯାଇଥିବା ଚିଠିଟି ଏବେ ଅଞ୍ଚଳରେ ଭାଇରାଲ ହୋଇଛି ।

ସୁରେନ୍ଦ୍ର ସ୍ଥାନୀୟ ଅରଙ୍ଗାବାଦ ଗ୍ରାମର ନିଜ ବାସଭବନରେ ଏକ କୋଚିଂ ସେଣ୍ଟର ଖୋଲି ଦୀର୍ଘଦିନ ଧରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଆସୁଥିଲେ । ସୋମବାର ସକାଳେ ଟ୍ୟୁସନରେ ପାଠପଢ଼ାକୁ ନେଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସେ ତାଗିଦ୍ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଟ୍ୟୁସନ ସରିବା ପରେ ଛାତ୍ରୀ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଘରେ ଜଣାଇଥିଲେ । ଏହାପରେ ଛାତ୍ରୀଙ୍କ ପରିବାର ସୁରେନ୍ଦ୍ରଙ୍କ ଘରେ ପହଞ୍ଚି ଗାଳିଗୁଲଜ କରିଥିଲେ । ପରେ ସୁରେନ୍ଦ୍ର ଘଟଣା ସମ୍ପର୍କରେ କଥା ହେବାକୁ ଛାତ୍ରୀଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରିବା ପରେ ସେ ଗଭୀର ମାନସିକ ଚାପରେ ଥିଲେ । ପରେ ସେ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ । ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି ।