ନୂଆଦିଲ୍ଲୀ: ଚୀନର ପେକିଂ ବିଶ୍ୱବିଦ୍ୟାଳୟ ଏବଂ ଜର୍ମାନୀର ଜୋହାନେସ୍ ଗୁଟେନବର୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମିଳିତ ଭାବେ ଏକ ନୂତନ ଅତି-ସୂକ୍ଷ୍ମ ଚୁମ୍ବକୀୟ ସେନ୍ସର 'LeMaMa' (ଲେଭିଟେଟେଡ୍ ମ୍ୟାଗ୍ନେଟୋମିଟର) ବିକଶିତ କରିଛନ୍ତି।

ଏହି ଟେବୁଲ-ଟପ୍ ଉପକରଣଟି ସାଧାରଣ ତାପମାତ୍ରାରେ (Room Temperature) କାର୍ଯ୍ୟ କରେ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ତୁଳନାରେ ଏକ ଶହ କୋଟି (୧ ବିଲିୟନ) ଗୁଣ ଦୁର୍ବଳ ସଙ୍କେତକୁ ଚିହ୍ନଟ କରିବାରେ ସକ୍ଷମ। 

ଏଥିରେ କୌଣସି ଘର୍ଷଣ ବିନା ଶୂନ୍ୟରେ ଭାସୁଥିବା ଏକ କମ୍ପାସ୍ କଣ୍ଟା ବ୍ୟବହୃତ ହୋଇଛି। ଏହାର ସୂକ୍ଷ୍ମ ବିଚ୍ୟୁତିକୁ ମାପି 'ଫେମ୍ଟୋଟେସ୍ଲା' (Femtotesla) ସ୍ତରର ସୂକ୍ଷ୍ମ ଚୁମ୍ବକୀୟ କ୍ଷେତ୍ର ନିରୂପଣ କରାଯାଇପାରିବ।  

ପୂର୍ବରୁ ଏହି ସୂକ୍ଷ୍ମ ମାପ ପାଇଁ ବ୍ୟବହୃତ ହେଉଥିବା SQUID ସେନ୍ସରଗୁଡ଼ିକ ପାଇଁ ଅତ୍ୟନ୍ତ ଥଣ୍ଡା ତାପମାତ୍ରା (ତରଳ ହିଲିୟମ) ଆବଶ୍ୟକ ହେଉଥିଲା। କିନ୍ତୁ LeMaMa କୌଣସି କୁଲିଂ ସିଷ୍ଟମ୍ ବିନା ସାଧାରଣ ତାପମାତ୍ରାରେ ସହଜରେ କାମ କରିପାରିବ। 

ଅଦୃଶ୍ୟ ‘ଡାର୍କ ମ୍ୟାଟର’ କଣିକାର ସନ୍ଧାନ ନେବାରେ ଏହା ସହାୟକ ହେବ । ମାନବ ମସ୍ତିଷ୍କର ସୂକ୍ଷ୍ମ ଚୁମ୍ବକୀୟ ସଙ୍କେତ ନିରୀକ୍ଷଣ କରିପାରିବ।  ଏହି ଗବେଷଣାର ଫଳାଫଳ ବିଜ୍ଞାନ ପତ୍ରିକା 'ସାଇନ୍ସ' ରେ ପ୍ରକାଶ ପାଇଛି।