ମୁମ୍ବାଇ: ଆର୍ଥିକ ବର୍ଷ ୨୦୨୫-୨୬ ର ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ବ୍ୟବସାୟ ଉଲ୍ଲେଖନୀୟ ଭାବରେ ସମ୍ପ୍ରସାରଣ ଜାରି ରଖିଛି। ଏହି ତ୍ରୈମାସିକରେ ୪୩୧ଟି ନୂତନ ଷ୍ଟୋର ଯୋଡିବା ସହିତ ଦେଶରେ ରିଲାଏନ୍ସ ରିଟେଲର ମୋଟ ଷ୍ଟୋର ସଂଖ୍ୟା ୧୯,୯୭୯ ରେ ପହଞ୍ଚିଛି, ଯାହା ପାଖାପାଖି ୨୦,୦୦୦ ଷ୍ଟୋର ମାଇଲ୍ଖୁଣ୍ଟ ହାସଲର ନିକଟତର ହୋଇଛି।

ଜିଓମାର୍ଟ ମଧ୍ୟ ଏହି ତ୍ରୈମାସିକରେ ଅଭିବୃଦ୍ଧି ହାସଲ କରିବା ସହିତ ଏହାର ଦୈନିକ ଅର୍ଡର ସଂଖ୍ୟା ୧୬ ଲକ୍ଷ ଅତିକ୍ରମ କରିଛି। ହାରାହାରି ଦୈନିକ ଅର୍ଡର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ପୂର୍ବ ତ୍ରୈମାସିକ ତୁଳନାରେ ୫୩ ପ୍ରତିଶତ ଏବଂ ଗତବର୍ଷ ସମାନ ତ୍ରୈମାସିକ ତୁଳନାରେ ୩୬୦ ପ୍ରତିଶତ ଅଧିକ ହୋଇଛି, ଯାହା ଜିଓମାର୍ଟକୁ ହାଇପର-ଲୋକାଲ ବ୍ୟବସାୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ କରିଛି।

- ତୃତୀୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ ୪୩୧ଟି ନୂତନ ଷ୍ଟୋର ଯୋଡିବା ସହିତ ମୋଟ ଷ୍ଟୋର ସଂଖ୍ୟା ୧୯,୯୭୯କୁ ବୃଦ୍ଧି ପାଇଛି

- ୩୭ କୋଟି ୮୦ ଲକ୍ଷ ଗ୍ରାହକଙ୍କ ସହିତ ଦେଶର ସର୍ବବୃହତ ରିଟେଲ ନେଟୱାର୍କ

- ଜିଓମାର୍ଟ ରେ ଦୈନିକ ଅର୍ଡର ୧୬ ଲକ୍ଷରେ ପହଞ୍ଚିଛି

ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ ୫୦ କୋଟି କାରବାର (ଟ୍ରାଞ୍ଜାକ୍ସନ) ସଂଖ୍ୟା ଅତିକ୍ରମ କରିଛି, ଯାହା ପୂର୍ବ ବର୍ଷ ତୁଳନାରେ ୪୭.୬ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି। କମ୍ପାନୀର ପଞ୍ଜିକୃତ ଗ୍ରାହକ ଆଧାର ମଧ୍ୟ ୩୭ କୋଟି ୮୦ ଲକ୍ଷକୁ ବୃଦ୍ଧି ପାଇଛି। ତୃତୀୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ ର ରାଜସ୍ୱ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୮.୧ ପ୍ରତିଶତ ବୃଦ୍ଧି ପାଇ ୯୭,୬୦୫ କୋଟି ଟଙ୍କା ହୋଇଛି। ଏହି ତ୍ରୈମାସିକରେ କଞ୍ଜୁମର ପ୍ରଡକ୍ଟସ ବ୍ୟବସାୟକୁ ଅଲଗା କରିବାର ପ୍ରକ୍ରିୟା ସମ୍ପନ୍ନ ହୋଇଛି ଯାହା ଦ୍ୱାରା ଏହି ବ୍ୟବସାୟକୁ ଏକ ସ୍ୱତନ୍ତ୍ର ପରିଚୟ ଏବଂ ଏକ ନିର୍ଦ୍ଦିଷ୍ଟ ଧ୍ୟାନକୈନ୍ଦ୍ରିକ ସାଂଗଠନିକ ଆକାର ମିଳିଛି।

ତ୍ରୈମାସିକ ଫଳାଫଳ ଉପରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍. ଅମ୍ବାନୀ କହିଛନ୍ତି, "ରିଲାଏନ୍ସ ରିଟେଲ ଏହି ତ୍ରୈମାସିକରେ ଦୃଢ଼ ପ୍ରଦର୍ଶନ ସହିତ ଲକ୍ଷ ଲକ୍ଷ ଗ୍ରାହକଙ୍କ ଭିନ୍ନ ଭିନ୍ନ ସପିଙ୍ଗ ଆବଶ୍ୟକତାକୁ ସଫଳତାର ସହିତ ପୂରଣ କରିଛି। ଟ୍ରେଣ୍ଡ-କେନ୍ଦ୍ରିତ ଉତ୍ପାଦ ଏବଂ ଏକ ନିରବଛିନ୍ନ ଓମନି-ଚ୍ୟାନେଲ ଅଭିଜ୍ଞତାକୁ ପ୍ରାଥମିକତା ଦେଇ, ଆମେ ଲଗାତାର ଭାବରେ ଦୃଢ଼ ଗ୍ରାହକ ସମ୍ପୃକ୍ତି ଏବଂ ଗ୍ରାହକ ବିଶ୍ୱାସ ବଢ଼ାଇବାରେ ସଫଳତା ହାସଲ କରୁଛୁ। ପରିବର୍ତ୍ତନଶୀଳ ଗ୍ରାହକ ଧାରା ସତ୍ତ୍ୱେ, ଆମେ ନବସୃଜନ ଏବଂ ଉତ୍କର୍ଷତା ମାଧ୍ୟମରେ ଭାରତୀୟ ରିଟେଲ କ୍ଷେତ୍ରକୁ ନୂତନ ଭାବରେ ପରିଭାଷିତ କରିବାର ଆମର ଦୃଷ୍ଟିକୋଣ ପ୍ରତି ଦୃଢ଼ ପ୍ରତିବଦ୍ଧତାର ସହିତ ଆଗେଇ ଚାଲିଛୁ।"

ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ସନ୍ଧ୍ୟାରେ ଘୋଷଣା କରାଯାଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଅନୁଯାୟୀ କମ୍ପାନୀର ଡିଜିଟାଲ ବ୍ୟବସାୟ ଜିଓ ପ୍ଲାଟଫର୍ମସ ଲିମିଟେଡ଼ର ନେଟ ଲାଭ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୧୧.୩ ପ୍ରତିଶତ ବୃଦ୍ଧି ପାଇ ୭୬୨୯ କୋଟି ଟଙ୍କା ହୋଇଛି। ସେହିଭଳି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ୱ ଗତ ବର୍ଷ ସମାନ ଅବଧି ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇ ୨୯୩,୮୨୯ କୋଟି ଟଙ୍କା ହୋଇଛି।