ନୂଆଦିଲ୍ଲୀ: ଭାରତରେ ସ୍ମାର୍ଟଫୋନର ଦାମ ବଢ଼ିବା ଏବେ ମୋବାଇଲ୍ ବଜାରର ଚିତ୍ର ବଦଳାଇବା ଆରମ୍ଭ କରିଛି। ନୂଆ ସ୍ମାର୍ଟଫୋନ୍ କିଣିବା ମହଙ୍ଗା ହେଉଥିବାରୁ ଗ୍ରାହକଙ୍କର ଏକ ବଡ଼ ଅଂଶ ଏବେ ରିଫର୍ବିସ୍ଡ ବା ପୁରୁଣା ମରାମତି ସ୍ମାର୍ଟଫୋନ୍ ଆଡ଼କୁ ମୁହାଇଁଛନ୍ତି। କାଉଣ୍ଟରପଏଣ୍ଟ ରିସର୍ଚର ତଥ୍ୟ ଅନୁସାରେ, ୨୦୨୬ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ ମାସରେ ଭାରତର ରିଫର୍ବିସ୍ଡ ସ୍ମାର୍ଟଫୋନ୍ ବିକ୍ରି ପରିମାଣ ବର୍ଷକୁ ବର୍ଷ ୧୩ ପ୍ରତିଶତ ବଢ଼ିଛି। ଏହି ସମୟରେ ନୂଆ ସ୍ମାର୍ଟଫୋନ୍ ବିକ୍ରି ପ୍ରାୟ ୧୧ ପ୍ରତିଶତ କମିଛି। ବିଶେଷକରି ଏଣ୍ଟ୍ରି ଓ ମିଡ୍-ରେଞ୍ଜ୍ ସ୍ମାର୍ଟଫୋନର ଦାମ ବୃଦ୍ଧି ଗ୍ରାହକଙ୍କୁ ସେକେଣ୍ଡାରୀ ବଜାର ଆଡ଼କୁ ନେଉଛି। ନୂଆ ଫୋନର ଦାମ ବଢ଼ିଲେ ମଧ୍ୟ ପୁରୁଣା ଫୋନର ଦାମ ତୁଳନାତ୍ମକ ଭାବେ କମ୍ ରହୁଥିବାରୁ ରିଫର୍ବିସ୍ଡ ଫୋନ୍ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ବିକଳ୍ପ ହୋଇଛି।

ଦାମ ବଢ଼ିବାରୁ ରିଫର୍ବିସ୍ଡ ଫୋନ୍ର ଚାହିଦା ବଢ଼ିଛି

କ୍ୟାଶିଫାଏରର ସହ-ପ୍ରତିଷ୍ଠାତା ତଥା ସଇଓ ମନଦୀପ ମନୋଚାଙ୍କ ଅନୁସାରେ, ରିଫର୍ବିସ୍ଡ ଫୋନ୍ ନୂଆ ଡିଭାଇସ୍ ତୁଳନାରେ ବଢ଼ୁଥିବା କମ୍ପୋନେଣ୍ଟ ଖର୍ଚ୍ଚର ପ୍ରଭାବରେ କମ୍ ପଡ଼େ। କାରଣ ଏହି ଫୋନ୍ଗୁଡ଼ିକ ନୂଆ କରି ତିଆରି ହୁଏନାହିଁ, ବରଂ ପୂର୍ବରୁ ବ୍ୟବହୃତ ଡିଭାଇସକୁ ମରାମତି ଓ ନବୀକରଣ କରି ପୁଣି ବଜାରକୁ ଅଣାଯାଏ। ତେବେ ଡିସପ୍ଲେ, ବ୍ୟାଟେରୀ ଓ କ୍ୟାମେରା ମଡ୍ୟୁଲର ମୂଲ୍ୟ ବଢ଼ିଲେ ରିଫର୍ବିସ୍‌ମେଣ୍ଟ ଖର୍ଚ୍ଚ ମଧ୍ୟ ବଢ଼ିପାରେ।

Also Read- ସୁନାର ଗ୍ରେ ମାର୍କେଟ୍‌ରେ ବଢୁଛି ଚୋରା କାରବାର: ୧୦ ଗ୍ରାମରେ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ, କ୍ଷତି ସହୁଛନ୍ତି ଲିଗାଲ ଡିଲର

(ଓମଡିଆ) Omdia ତଥ୍ୟ ଅନୁସାରେ, ୨୦୨୬ର ପ୍ରଥମ ତ୍ରୈମାସିକରେ ରିଫର୍ବିସ୍ଡ ଫୋନ୍ ବଜାର ପାଇଁ ୨୯୮ ନିୟୁତ ଡିସପ୍ଲେ ପ୍ୟାନେଲ୍ ପଠାଯାଇଥିଲା। ଏହା ବର୍ଷକୁ ବର୍ଷ ୨୦ ପ୍ରତିଶତ ବଢ଼ିଛି ଏବଂ ନୂଆ ସ୍ମାର୍ଟଫୋନ୍ ନିର୍ମାତାଙ୍କୁ ପଠାଯାଇଥିବା ୨୮୯ ନିୟୁତ ପ୍ୟାନେଲ୍‌ ଠାରୁ ମଧ୍ୟ ଅଧିକ। ଏହାର ଓଲେଡ୍ ଡିସପ୍ଲେର ଅଂଶ ୭ ପ୍ରତିଶତରେ ପହଞ୍ଚିଛି, ଯାହା ଗତବର୍ଷ ୨ ପ୍ରତିଶତ ଥିଲା।

Trade-inରୁ ବଢ଼ୁଛି ସପ୍ଲାଇ

ନୂଆ ଓ ରିଫର୍ବିସ୍ଡ ଫୋନ୍ ବଜାର ମଧ୍ୟରେ Trade-in ଓ Buyback ଏକ ଗୁରୁତ୍ୱପୂର୍ଣ୍ଣ କଡ଼ି ପାଲଟିଛି। ଗ୍ରାହକ ନୂଆ ଫୋନ୍ କିଣିବା ସମୟରେ ପୁରୁଣା ଫୋନ୍ ବଦଳାଇ ଦେଉଛନ୍ତି। ଏହି ଫୋନ୍ଗୁଡ଼ିକ ପରେ ରିଫର୍ବିସ୍ଡ ହୋଇ ପୁଣି ବଜାରକୁ ଆସୁଛି। କାଉଣ୍ଟରପଏଣ୍ଟ ୨୦୨୬ରେ ଭାରତର ରିଫର୍ବିସ୍ଡ ସ୍ମାର୍ଟଫୋନ୍ ବଜାର ୧୬ ପ୍ରତିଶତ ବଢ଼ିବ ବୋଲି ଆକଳନ କରିଛି। ଦ୍ୱିତୀୟାର୍ଦ୍ଧରେ ପର୍ବପର୍ବାଣୀ ସମୟର ବିକ୍ରି ଓ ନୂଆ ଫ୍ଲାଗ୍ସିପ୍ ଫୋନ୍ ଲଞ୍ଚ୍ ହେବା ଫଳରେ Trade-in ବଢ଼ିବ ଏବଂ ନୂଆ ପିଢ଼ିର ପୁରୁଣା ଫୋନର ଉପଲବ୍ଧତା ମଧ୍ୟ ବଢ଼ିବ।

ସାମସଙ୍ଗ ଭାରତରେ ସାଇର୍ଟିଫାଏଡ ରିନ୍ୟୁ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏଥିରେ ପ୍ରକୃତ ପାର୍ଟ ଓ ୧ ବର୍ଷର ୱାରେଣ୍ଟି ସହ ରିଫର୍ବିସ୍ଡ ଗାଲାସ୍କି ଫୋନ୍ ବିକ୍ରି କରାଯାଉଛି। ଗୁଗଲ ମଧ୍ୟ କ୍ୟାସିଫାଏ ମାଧ୍ୟମରେ ଭାରତରେ ଅଥୋରାଇଜ୍ଡ ରିଫର୍ବିସ୍ଡ ଫୋନ୍ ବିକ୍ରି କରୁଛି।

Also Read- ଚୀନ, ଆମେରିକା ଓ ୟୁରୋପ ରାଷ୍ଟ୍ରଙ୍କ ତୁଳନାରେ ଭାରତରେ ଅଧିକ ମହଙ୍ଗା ସ୍ମାର୍ଟଫୋନ: ବିଶ୍ୱ ହାର ତୁଳନାରେ ୬% ଅଧିକ

୨୦ରୁ ୪୫ ହଜାର ଟଙ୍କାର ଫୋନର ଚାହିଦା ଅଧିକ

କ୍ୟାସିଫାଏର ୨୦୨୫ ତଥ୍ୟ ଅନୁସାରେ, ରିଫର୍ବିସ୍ଡ ଫୋନ୍ ବିକ୍ରିର ସବୁଠାରୁ ବଡ଼ ଅଂଶ ୨୦ ହଜାରରୁ ୪୫ ହଜାର ଟଙ୍କା ମୂଲ୍ୟ ବର୍ଗରେ ରହିଛି। ୨୦-୩୦ ହଜାର ଟଙ୍କା ବର୍ଗର ଅଂଶ ୨୬.୯ ପ୍ରତିଶତ ଏବଂ ୩୦-୪୫ ହଜାର ଟଙ୍କା ବର୍ଗର ଅଂଶ ୨୫.୧ ପ୍ରତିଶତ ରହିଛି।

୪୫-୬୦ ହଜାର ଟଙ୍କା ବର୍ଗର ଅଂଶ ୨୦୨୪ର ୭.୫ ପ୍ରତିଶତରୁ ବଢ଼ି ୨୦୨୫ରେ ୧୧.୨ ପ୍ରତିଶତ ହୋଇଛି। ୬୦ ହଜାର ଟଙ୍କାରୁ ଅଧିକ ଦାମର ଫୋନ୍ର ଅଂଶ ମଧ୍ୟ ୩.୪ ପ୍ରତିଶତରୁ ବଢ଼ି ୬.୨ ପ୍ରତିଶତ ହୋଇଛି। ଅର୍ଥାତ୍ ଗ୍ରାହକମାନେ କେବଳ ଶସ୍ତା ଫୋନ୍ ନୁହେଁ, ବରଂ ଅଧିକ ଦାମର ପ୍ରିମିୟମ୍ ଫୋନ୍ ମଧ୍ୟ ରିଫର୍ବିସ୍ଡ ଭାବେ କିଣୁଛନ୍ତି।

ଏହି ପରିବର୍ତ୍ତନରେ ଆପଲର ଭୂମିକା ବେଶ୍ ବଡ଼। ୨୦୨୫ରେ କ୍ୟାସିଫାଏର ରିଫର୍ବିସ୍ଡ ସ୍ମାର୍ଟଫୋନ୍ ବିକ୍ରିରେ ଆପଲର ଅଂଶ ୬୫.୩ ପ୍ରତିଶତ ଥିଲା। iPhone 13 ସବୁଠାରୁ ଅଧିକ ବିକ୍ରି ହୋଇଥିବା ରିଫର୍ବିସ୍ଡ ମଡେଲ୍ ଥିଲା। କ୍ୟାସିଫାଏର ବିକ୍ରିରେ ଏହାର ଅଂଶ ୧୫.୫ ପ୍ରତିଶତ।

କାଉଣ୍ଟରପଏଣ୍ଟରର H1 ୨୦୨୬ ତଥ୍ୟରେ ମଧ୍ୟ ଆପଲ ଭାରତର ସଂଗଠିତ ପୁରୁଣାମରାମତି ବଜାରର ୨୩ ପ୍ରତିଶତ ଅଂଶ ଦଖଲ କରିଛି। ୩୦ ପ୍ରତିଶତ ଅଂଶ ସହ ସାମସଙ୍ଗ ଆଗରେ ରହିଛି। ଭିଭୋର ଅଂଶ ୧୦ ପ୍ରତିଶତ ଏବଂ ଅନ୍ୟ ବ୍ରାଣ୍ଡଗୁଡ଼ିକର ଅଂଶ ୩୭ ପ୍ରତିଶତ ରହିଛି।

ବଜାରକୁ ଆସୁଛି ନୂଆ ପିଢ଼ିର ପୁରୁଣା ଫୋନ୍

କ୍ୟାସିଫାଏର ତଥ୍ୟ ଅନୁସାରେ, ୨୦୨୫ରେ ମୋବାଇଲ୍ ବାୟବ୍ୟାକ(ପୁରୁଣା ଜିନିଷ କିଣିବା) ପରିମାଣ ୨୯ ପ୍ରତିଶତ ବଢ଼ିଥିବା ବେଳେ ହାରାହାରି ବାୟବ୍ୟାକ ମୂଲ୍ୟ ୩୪ ପ୍ରତିଶତ ବଢ଼ି ୮,୫୭୩ ଟଙ୍କା ହୋଇଛି। ସବୁଠାରୁ ବଡ଼ ପରିବର୍ତ୍ତନ 5G ଫୋନରେ ଦେଖାଯାଇଛି। କ୍ୟାସିଫାଏକୁ ବିକ୍ରି ହେଉଥିବା ଫୋନ୍ରେ 5G ଡିଭାଇସ୍ର ଅଂଶ ୨୦୨୨ରେ ମାତ୍ର ୫ ପ୍ରତିଶତ ଥିଲା। ୨୦୨୫ରେ ଏହା ବଢ଼ି ୫୪.୬ ପ୍ରତିଶତ ହୋଇଛି।

ସାମସଙ୍ଗରରେ Galaxy S23 5G, S23 Ultra 5G ଓ S22 5G ଭଳି ପ୍ରିମିୟମ୍ ମଡେଲ୍ ଅଧିକ ରିଫର୍ବିସ୍ଡ ଭାବେ କିଣାଯାଉଛି। ଆପଲ କ୍ଷେତ୍ରରେ ମଧ୍ୟ iPhone 14 ଓ iPhone 15 ଧୀରେ ଧୀରେ iPhone 13କୁ ଅନୁସରଣ କରି ସେକେଣ୍ଡାରୀ ବଜାରକୁ ଆସୁଛି।

ଅନ୍ୟପଟେ କ୍ୟାସିଫାଏର ଆକଳନ ଅନୁସାରେ, ୧୦ ଜଣରୁ ପ୍ରାୟ ୭ ଜଣ ଭାରତୀୟଙ୍କ ଘରେ ୨ରୁ ୩ଟି ବ୍ୟବହାର ନହେଉଥିବା ପୁରୁଣା ଫୋନ୍ ରହିଛି। ମେମୋରି ଚିପର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ବର୍ତ୍ତମାନର ସ୍ମାର୍ଟଫୋନ ଗୁଡ଼ିକର ମୂଲ୍ୟ ବହୁତ ବଢ଼ି ଯାଇଛି। ଫଳରେ କମ୍ ଟଙ୍କାରେ ପ୍ରିମିୟମ ଫିଚର୍ସ ଖୋଜୁଥିବା ଗ୍ରାହକଙ୍କ ପାଇଁ ନୂଆ ସ୍ମାର୍ଟଫୋନ କିଣିବା କଷ୍ଟକର ହୋଇପଡ଼ୁଛି। ତେଣୁ ସେମାନେ ପୁରୁଣା ଫୋନ କିଣିବାକୁ ପସନ୍ଦ କରୁଛନ୍ତି।