ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଚଳିତ ସିଜନର ସମସ୍ତ ୭୦ଟି ଲିଗ୍ ମ୍ୟାଚ୍ ଶେଷ ହେବା ପରେ ଏବେ ପ୍ଲେ-ଅଫ୍ ମହାସମର ପାଇଁ ମଞ୍ଚ ପ୍ରସ୍ତୁତ । ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର, ୨୬ ମେ'ରୁ ଟ୍ରଫି ପାଇଁ ଆରମ୍ଭ ହେବ ଅସଲ ଲଢ଼େଇ । ପ୍ରଥମ କ୍ୱାଲିଫାୟର ମ୍ୟାଚରେ ମହାମୁହିଁ ହେବାକୁ ଯାଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଗୁଜରାଟ ଟାଇଟନ୍ସ (GT) ।

ଉଭୟ ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ପ୍ଲେ-ଅଫରେ ନିଜ ସ୍ଥାନ ପକ୍କା କରିଛନ୍ତି । ଯେଉଁ ଦଳ ଏହି ମ୍ୟାଚ୍ ଜିତିବ, ସେ ସିଧାସଳଖ ଫାଇନାଲ୍ ଟିକେଟ୍ ହାସଲ କରିବ । ଏଭଳି ଏକ ହାଇ-ଭୋଲଟେଜ୍ ମ୍ୟାଚରେ ଉଭୟ ଦଳର ଏମିତି ୫ ଜଣ ମ୍ୟାଚ୍ ବିଜେତା ରହିଛନ୍ତି, ଯାହାଙ୍କ ପ୍ରଦର୍ଶନ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିବ:

୧. ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ)

ସିଜନ ଟ୍ରାକ୍ ରେକର୍ଡ: ୧୪ ମ୍ୟାଚ୍, ୫୫୭ ରନ୍, ଷ୍ଟ୍ରାଇକ୍ ରେଟ୍: ୧୬୩

ଆରସିବିର ରନ୍ ମେସିନ୍ ବିରାଟ କୋହଲି ସବୁବେଳେ ବଡ଼ ମ୍ୟାଚର ଖେଳାଳି ଭାବେ ଜଣାଶୁଣା । ନିଜ ଦମରେ ଯେ କୌଣସି ପରିସ୍ଥିତିରୁ ଦଳକୁ ଜିତାଇବାର କ୍ଷମତା ବିରାଟଙ୍କ ପାଖରେ ରହିଛି । ଚଳିତ ସିଜନରେ ସେ ଚମତ୍କାର ଫର୍ମରେ ଗତି କରୁଛନ୍ତି । ଯଦି ପ୍ରଥମ କ୍ୱାଲିଫାୟରରେ କୋହଲିଙ୍କ ବ୍ୟାଟ୍ ଗରଜେ, ତେବେ ଆରସିବି ପାଇଁ ଫାଇନାଲର ରାସ୍ତା ଅତି ସହଜ ହୋଇଯିବ ।

୨. ସାଇ ସୁଦର୍ଶନ (ଗୁଜରାଟ ଟାଇଟନ୍ସ)

ସିଜନ ଟ୍ରାକ୍ ରେକର୍ଡ: ୧୪ ମ୍ୟାଚ୍, ୬୩୮ ରନ୍, ଷ୍ଟ୍ରାଇକ୍ ରେଟ୍: ୧୫୭

ଆଇପିଏଲ୍ ୨୦୨୬ରେ ନିଜ ବ୍ୟାଟିଂ ଦ୍ୱାରା ସବୁଠୁ ବେଶି ପ୍ରଭାବିତ କରିଛନ୍ତି ଗୁଜରାଟର ଯୁବ ତାରକା ସାଇ ସୁଦର୍ଶନ । ସେ ଚଳିତ ସିଜନରେ ସର୍ବାଧିକ ରନ୍ ହାସଲକାରୀ ବ୍ୟାଟର ରହିଛନ୍ତି । ସୁଦର୍ଶନଙ୍କ ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ସେ ପରିସ୍ଥିତି ଅନୁଯାୟୀ ଇନିଂସକୁ ଆଗକୁ ବଢ଼ାଇବା ସହ ଆବଶ୍ୟକ ସ୍ଥଳେ ବିସ୍ଫୋରକ ବ୍ୟାଟିଂ ମଧ୍ୟ କରିପାରନ୍ତି । ଚାପର ବଶବର୍ତ୍ତୀ ନହୋଇ ରନ୍ ସଂଗ୍ରହ କରିବାରେ ସେ ଜଣେ ମାହିର୍ ଖେଳାଳି ।

Also Read: ଶେଷ ଲିଗ୍ ମ୍ୟାଚରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ନିଜ ଘରେ ହାରିଲା KKR

୩. ଶୁଭମନ ଗିଲ୍ (ଗୁଜରାଟ ଟାଇଟନ୍ସ)

ସିଜନ ଟ୍ରାକ୍ ରେକର୍ଡ: ୧୪ ମ୍ୟାଚ୍, ୬୧୬ ରନ୍

ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁଭମନ ଗିଲ୍ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି । ପ୍ରଥମ କ୍ୱାଲିଫାୟରରେ ସେ ବେଙ୍ଗାଲୁରୁର ବୋଲିଂ ବାହିନୀ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି । ବିନା କୌଣସି ବଡ଼ ରିସ୍କ ନେଇ କିଭଳି ବୋଲରମାନଙ୍କ ଉପରେ ଚାପ ସୃଷ୍ଟି କରାଯାଇପାରେ, ତାହା ଗିଲ୍ଙ୍କୁ ବେଶ ଭଲଭାବେ ଜଣା । ଅଧିନାୟକ ଭାବେ ସେ ଆଗରୁ ଦଳକୁ ନେତୃତ୍ୱ ଦେଇ ବଡ଼ ସ୍କୋର କରିବାକୁ ଚାହିଁବେ ।

୪. ଭୁବନେଶ୍ୱର କୁମାର (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ)

(ଚଳିତ ସିଜନର ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର)

ଆରସିବିର ମ୍ୟାଚ୍ ଭାଗ୍ୟ ବହୁ ପରିମାଣରେ ସ୍ୱିଙ୍ଗ୍ କିଙ୍ଗ୍ ଭୁବନେଶ୍ୱର କୁମାରଙ୍କ ୪ ଓଭର ସ୍ପେଲ୍ ଉପରେ ନିର୍ଭର କରିବ । ଚଳିତ ଆଇପିଏଲ୍ରେ ସେ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ପାୱାରପ୍ଲେ ଓଭରଗୁଡ଼ିକରେ ଯଦି ଭୁବି ଗୁଜରାଟର ଦୁଇ ପ୍ରମୁଖ ଓପନର୍ ଶୁଭମନ ଗିଲ୍ ଓ ସାଇ ସୁଦର୍ଶନଙ୍କୁ ଶୀଘ୍ର ଆଉଟ୍ କରିବାରେ ସଫଳ ହୁଅନ୍ତି, ତେବେ ଆରସିବି ପାଇଁ ପଞ୍ଚମ ଥର ଫାଇନାଲ୍ ଖେଳିବାର ରାସ୍ତା ପ୍ରଶସ୍ତ ହୋଇଯିବ ।

Also Read: ଇତିହାସ ରଚିଲେ ପ୍ରଭସିମରନ ସିଂ ! IPL ଇତିହାସରେ ପ୍ରଥମ ‘ଅନକ୍ୟାପ୍ଡ’ ଭାରତୀୟ ଭାବେ କଲେ ବିଶ୍ଵ ରେକର୍ଡ

୫. ମହମ୍ମଦ ସିରାଜ (ଗୁଜରାଟ ଟାଇଟନ୍ସ)

ଗୁଜରାଟ ଟାଇଟନ୍ସ ପାଇଁ ସବୁଠାରୁ ସନ୍ତୋଷଜନକ ଖବର ହେଉଛି ମହମ୍ମଦ ସିରାଜ ନିଜର ପୁରୁଣା ଲୟକୁ ଫେରି ପାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଧର୍ମଶାଳା ମଇଦାନରେ ଖେଳାଯାଉଥିବାରୁ ସେଠାକାର ପରିବେଶରେ ସିରାଜଙ୍କୁ ଭଲ ସ୍ୱିଙ୍ଗ୍ ମିଳିବା ଆଶା କରାଯାଉଛି । ଯଦି ଜିଟି ପ୍ରଥମେ ବୋଲିଂ କରେ, ତେବେ ସିରାଜ ଆରସିବି ବ୍ୟାଟିଂ ଲାଇନଅପ୍କୁ ଧ୍ୱସ୍ତ କରିବାର କ୍ଷମତା ରଖନ୍ତି । ଆରମ୍ଭରୁ ଏହି ସିଜନ ତାଙ୍କ ପାଇଁ ସାଧାରଣ ରହିଥିଲେ ବି, ବଡ଼ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିବା ସିରାଜଙ୍କ ପୁରୁଣା ଅଭ୍ୟାସ।