କୋଲକାତା: ଆଇପିଏଲ୍ ୨୦୨୬ର ଶେଷ ଲିଗ୍ ମ୍ୟାଚରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ। କୋଲକାତାର ଇଡେନ ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ମ୍ୟାଚରେ ଦିଲ୍ଲୀ ଘରୋଇ କୋଲକାତାକୁ ୪୦ ରନରେ ହରାଇଛି। ଏହି ମ୍ୟାଚର କୌଣସି ଗୁରୁତ୍ଵ ନ ଥିଲେ ବି ଦିଲ୍ଲୀ ବିଜୟ ସହ ନିଜର ଅଭିଯାନ ଶେଷ କରିଥିବା ବେଳେ କୋଲକାତା ପରାଜିତ ହୋଇଛି। ଦିଲ୍ଲୀ ୧୪ ପଏଣ୍ଟ ଓ କୋଲକାତା ୧୩ ପ ଏଣ୍ଟ ସହ ଯଥାକ୍ରମେ ଷଷ୍ଠ ଏବଂ ସପ୍ତମ ସ୍ଥାନ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।

ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ କେଏଲ ରାହୁଲଙ୍କ ୬୦ ରନ ଓ ଅକ୍ଷର ପଟେଲଙ୍କ ୩୯ ରନ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଇନିଂସ ବଳରେ ୨୦୩ ରନ କରିଥିଲା। ଜବାବରେ କୋଲକାତା ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ୬୩ ରନ ସତ୍ତ୍ଵେ ବି ୧୮.୪ ଓଭରରେ ୧୬୩ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ କୁଲଦୀପ ଯାଦବ ଓ ଲୁଙ୍ଗି ଏନଗିଡି ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳକୁ ସହଜ ବିଜୟ ଦେଇଛନ୍ତି।

୨୦୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତାର ଦୁଇ ଓପନର ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଫିନ ଆଲେନ ୪୩ ରନ ଯୋଡ଼ିଥିଲେ। ଆଲେନ ୨୦ ରନ କରି ଆଉଟ୍ ହୋଇଥିଲେ। ମନୀଷ ପାଣ୍ଡେ ୨୫ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। କ୍ୟାମେରୁନ ୨ ରନ କରିଥିଲେ। ଗୋଟିଏ ପଟେ ଓ୍ଵିକେଟ୍ ପତନ ହେଉଥିଲେ ହେଁ ଅନ୍ୟ ପାର୍ଶ୍ଵରେ ରାହାଣେ ଅଧିନାୟକ ଇନିଂସ ଖେଳିଥିଲେ। ସେ ୩୯ ବଲରୁ ୪ ଚୌକା ଓ ୪ ଛକା ସହ ୬୩ ରନର ଇନିଂସ ଖେଳିଥିଲେ।

ହେଲେ ୧୪ତମ ଓଭରରେ କୁଲଦୀପ ଯାଦବ କ୍ରମାଗତ ୨ଟି ଓ୍ଵିକେଟ୍ ନେଇ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ରାହାଣେଙ୍କ ସହ ରିଙ୍କୁ ସିଂ କୁଲଦୀପଙ୍କ ଶିକାର ହୋଇଥିଲେ। ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ କୋଲକାତା ବିଜୟ ପାଇଁ ଆବଶ୍ୟକ ରନହାର ସଂଗ୍ରହ କରି ପାରି ନ ଥିଲା। ଶେଷରେ କୋଲକାତା ୧୮.୪ ଓଭରରେ ୧୬୩ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ କୁଲଦୀପ ଯାଦବ ଓ ଲୁଙ୍ଗି ଏନଗିଡି ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳକୁ ସହଜ ବିଜୟ ଦେଇଛନ୍ତି।