ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗତ ଦୁଇ ବର୍ଷ ଧରି ଦୁର୍ବଳ ହେଉଥିବା ଟଙ୍କାକୁ ସ୍ଥିର ରଖିବା ପାଇଁ ବିଶ୍ୱର ସବୁଠାରୁ ବଡ଼ ‘ଶର୍ଟ ଡଲାର ଫରୱାର୍ଡ’ ପୋଜିସନ୍ ମଧ୍ୟରୁ ଗୋଟିଏ ଗଢ଼ିଥିଲା। ବର୍ତ୍ତମାନ ସେହି ପୋଜିସନ୍କୁ ବଜାରରେ ଅସ୍ଥିରତା ସୃଷ୍ଟି ନକରି କିପରି କମାଯିବ, ତାହା RBI ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ବ୍ଲୁମବର୍ଗର ଆକଳନ ଅନୁସାରେ, ମେ’ ମାସରେ RBIର ଶର୍ଟ ଡଲାର ଫରୱାର୍ଡ ପୋଜିସନ୍ ୧୦୬.୭ ବିଲିୟନ ଡଲାରର ରେକର୍ଡ ସ୍ତରକୁ ପହଞ୍ଚିଥିଲା। ସମ୍ପ୍ରତି ବିଦେଶୀ ପୁଞ୍ଜିନିବେଶ ବଢ଼ାଇବା ପାଇଁ ସରକାର ଓ ଆରିବିଆଇ ନେଇଥିବା ପଦକ୍ଷେପ ପରେ କେନ୍ଦ୍ରୀୟ ବ୍ୟାଙ୍କ ଧୀରେ ଧୀରେ ଏହି ପୋଜିସନ୍ କମାଇବା ଆରମ୍ଭ କରିଛି।

ଭବିଷ୍ୟତରେ ନିର୍ଦ୍ଧାରିତ ସମୟରେ ଡଲାର ବିକ୍ରି କରି ଟଙ୍କା କିଣିବାର ପ୍ରତିଶ୍ରୁତିକୁ ‘ଶର୍ଟ ଡଲାର ଫରୱାର୍ଡ’ କୁହାଯାଏ। ଏହା ମାଧ୍ୟମରେ ବିଦେଶୀ ମୁଦ୍ରା ଭଣ୍ଡାରକୁ ତୁରନ୍ତ ନ କମାଇ ଟଙ୍କା ଉପରେ ଚାପ ହ୍ରାସ କରାଯାଇପାରେ। କିନ୍ତୁ ଏହି ପୋଜିସନ୍ ବନ୍ଦ କରିବା ସମୟରେ RBIକୁ ପୁଣି ଡଲାର କିଣିବାକୁ ପଡ଼ିବ, ଯାହା ଟଙ୍କା ଉପରେ ପୁନର୍ବାର ଚାପ ସୃଷ୍ଟି କରିପାରେ।

Also Read-Gold Monetization Scheme: ଘରେ ଥିବା ସୁନାରୁ ବି ହୋଇପାରିବ ରୋଜଗାର, ଏହି ସରକାରୀ ଯୋଜନାରେ ମିଳିବ ସୁଧ, କିନ୍ତୁ ସାବଧାନ !

ସୂଚନା ଅନୁଯାୟୀ, RBIର ଆଭ୍ୟନ୍ତରୀଣ ବୈଠକରେ ଏହି ପୋଜିସନ୍ କିପରି ଓ କେତେ ଦ୍ରୁତ ଭାବେ କମାଯିବ, ସେନେଇ ଆଲୋଚନା ଚାଲିଛି। ବିଶେଷଜ୍ଞମାନଙ୍କ ମତରେ, ଅତ୍ୟଧିକ ଶୀଘ୍ର ପୋଜିସନ୍ କମାଇଲେ ଟଙ୍କାରେ ଅସ୍ଥିରତା ବଢ଼ିପାରେ, ଆଉ ବିଳମ୍ବ କଲେ ଭବିଷ୍ୟତର ରିସ୍କ ବଢ଼ିବ।

ଇନ୍ଦିରା ଗାନ୍ଧୀ ଇନଷ୍ଟିଟ୍ୟୁଟ୍ ଅଫ୍ ଡେଭେଲପମେଣ୍ଟ ରିସର୍ଚ୍ଚର ଅର୍ଥନୀତିଜ୍ଞ ରାଜେଶ୍ୱରୀ ସେନଗୁପ୍ତାଙ୍କ କହିବା ଅନୁଯାୟୀ, ଏତେ ବଡ଼ ଶର୍ଟ ଫରୱାର୍ଡ ପୋଜିସନ୍ ଦୀର୍ଘ ସମୟ ଧରି ରଖିହେବ ନାହିଁ। ଶେଷରେ RBIକୁ ଡଲାର କିଣି ଏହାର ସମାଧାନ କରିବାକୁ ପଡ଼ିବ, ଯାହା ଟଙ୍କାକୁ ଆହୁରି ଦୁର୍ବଳ କରିପାରେ।

ଗତ ମାସରେ ବିଦେଶୀ ନିବେଶ ନିୟମରେ କୋହଳ ଓ ଋଣ ଉପରେ କର ହ୍ରାସ ଯୋଗୁ ପରିସ୍ଥିତି କିଛି ସୁଧାରିଥିଲା। ଏହାର ସୁଯୋଗ ନେଇ RBI ଜୁନ୍ ମଧ୍ୟଭାଗରୁ ଅଫ୍ଶୋର ଶର୍ଟ ଡଲାର ପୋଜିସନ୍କୁ ପ୍ରାୟ ୧୦ରୁ ୧୫ ବିଲିୟନ ଡଲାର ପର୍ଯ୍ୟନ୍ତ କମାଇଥିବା ଅନୁମାନ କରାଯାଉଛି। ତଥାପି ଜୁଲାଇରେ ଟଙ୍କା ପୁଣି ଦୁର୍ବଳ ହୋଇ ଡଲାର ବିପକ୍ଷରେ ପ୍ରାୟ ୦.୮% ହ୍ରାସ ପାଇଛି।

RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ଦେଶ ପାଖରେ ପର୍ଯ୍ୟାପ୍ତ ବିଦେଶୀ ମୁଦ୍ରା ଭଣ୍ଡାର ରହିଛି ଏବଂ ଆବଶ୍ୟକ ପଡ଼ିଲେ ଟଙ୍କାର ସୁସଂଗଠିତ ଗତିବିଧି ବଜାୟ ରଖିବାକୁ RBI ସମସ୍ତ ପଦକ୍ଷେପ ନେବ। ତେବେ ବଜାର ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ୨୦୨୬ ଶେଷ ସୁଦ୍ଧା ଡଲାର ପିଛା ଟଙ୍କାର ବିନିମୟ ହାର ପ୍ରାୟ ୯୮ ଟଙ୍କାରେ ପହଞ୍ଚିପାରେ। ସେହିପରି ଆରବିଆଇ ପାଇଁ ଆଗାମୀ ଦିନରେ ଟଙ୍କାକୁ ସ୍ଥିର ରଖିବା ଏବଂ ଫରୱାର୍ଡ ପୋଜିସନ୍କୁ ସନ୍ତୁଳିତ ଭାବେ କମାଇବା ସବୁଠାରୁ ବଡ଼ ପରୀକ୍ଷା ହେବ।