ନୂଆଦିଲ୍ଲୀ: ଘରେ କିମ୍ବା ବ୍ୟାଙ୍କ ଲକରରେ ପଡ଼ିରହିଥିବା ସୁନାରୁ ଆୟ କରିବା ପାଇଁ କେନ୍ଦ୍ର ସରକାର ଗୋଲ୍ଡ ମୋନିଟାଇଜେସନ୍ ସ୍କିମ୍ (Gold Monetization Scheme-GMS) ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଆପଣ ନିଜ ସୁନାକୁ ବ୍ୟାଙ୍କରେ ଜମା ରଖି ସେଥିରେ ସୁଧ ପାଇପାରିବେ। ତେବେ ଏହି ଯୋଜନାର କିଛି ଅସୁବିଧା ବି ରହିଛି। ଯାହା ଜାଣିବା ଗ୍ରାହକଙ୍କ ପାଇଁ ନିହାତି ଜରୁରୀ।

ଭାରତରେ ସୁନା କେବଳ ଏକ ନିବେଶ ନୁହେଁ, ବରଂ ଏହା ପରିବାରର ପାରମ୍ପରିକ ସମ୍ପତ୍ତି ଓ ଭାବନା ସହ ଜଡିତ। ସେଥିପାଇଁ ଏହି ଯୋଜନାରେ ସୁନା ଜମା କରିବା ପୂର୍ବରୁ ସମସ୍ତ ନିୟମ ଓ ଏହାର ପ୍ରଭାବ ବୁଝିନେବା ଆବଶ୍ୟକ।

କ’ଣ ଏହି ଗୋଲ୍ଡ ମୋନିଟାଇଜେସନ୍ ସ୍କିମ୍?

ଏହି ଯୋଜନା ଅନୁସାରେ ଘରେ ଥିବା ସୁନା ଗହଣା, ସୁନା ମୁଦ୍ରା କିମ୍ବା ସୁନା ବିସ୍କୁଟକୁ ବ୍ୟାଙ୍କରେ ଜମା କରିହେବ। ବ୍ୟାଙ୍କ ଏହି ଜମା ସୁନା ଉପରେ ନିର୍ଦ୍ଧାରିତ ହାରରେ ସୁଧ ପ୍ରଦାନ କରିବ। ଜମା ଅବଧି ଶେଷ ହେଲେ ଗ୍ରାହକଙ୍କୁ ସେତେବେଳର ବଜାର ଦର ଅନୁଯାୟୀ ନଗଦ ଟଙ୍କା କିମ୍ବା ବନ୍ଧକ ସୁନା ଫେରସ୍ତ କରାଯାଏ। ଅର୍ଥାତ୍ ଘରେ ଅକାମରେ ପଡ଼ିଥିବା ସୁନାରୁ ଆପଣ ଅତିରିକ୍ତ ଆୟ କରିପାରିବେ।

Also Read- RBI 2000 Rupee Note Update: ୨୦୦୦ ଟଙ୍କିଆ ନୋଟ୍ ନେଇ ବଡ଼ ଘୋଷଣା କରିପାରେ RBI

ମାର୍ଚ୍ଚ ୨୦୨୫ରୁ ବଦଳିଛି ନିୟମ

ସରକାର ଏହି ଯୋଜନାରେ କିଛି ପରିବର୍ତ୍ତନ କରିଛନ୍ତି। ମାର୍ଚ୍ଚ ୨୦୨୫ ଠାରୁ ନିବେଶକମାନେ ମୁଖ୍ୟତଃ ସର୍ଟ-ଟର୍ମ ବ୍ୟାଙ୍କ ଡିପୋଜିଟ୍ (Short-Term Bank Deposit-STBD) ବିକଳ୍ପର ସୁବିଧା ପାଇପାରିବେ।

ଯୋଜନାର ଅସୁବିଧା କ’ଣ?

ଏହି ଯୋଜନାରେ ଗ୍ରାହକଙ୍କ ଠାରୁ ସୁନା ନେଲାବେଳେ ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ‘ଫାୟାର ଆସେ’ (Fire Assaying) ପ୍ରକ୍ରିୟା କରାଯାଏ। ଏଥିରେ ସୁନାକୁ ତରଳାଯାଏ। ଅଶୁଦ୍ଧି ବାହାରିଯିବା ପରେ ସୁନାର ମୋଟ ଓଜନ କମିପାରେ। ତେଣୁ ଏହା ଏକ ବଡ଼ ସମସ୍ୟା। ସେହିପରି ଅନେକ ପରିବାର ପାଇଁ ସୁନା ଗହଣା କେବଳ ଏକ ସମ୍ପତ୍ତି ନୁହେଁ, ବରଂ ପାରିବାରିକ ଐତିହ୍ୟ ଓ ସ୍ମୃତିର ପ୍ରତୀକ। ତେଣୁ ଗହଣାକୁ ତରଳାଇବାକୁ ଅନେକେ ପସନ୍ଦ କରନ୍ତି ନାହିଁ। ତେଣୁ ଗ୍ରାହକଙ୍କ ପାଇଁ ଏହା ଏକ ସମସ୍ୟା ହୋଇପାରେ।

ଆଉ ବଡ଼ କଥା ହେଲା ଗହଣାର ମୂଲ୍ୟାଙ୍କନ ସମୟରେ ଆପଣ କିଣିବା ବେଳେ ଦେଇଥିବା ମେକିଂ ଚାର୍ଜ କିନ୍ତୁ ଗଣନା କରାଯାଏ ନାହିଁ। ଯଦି ଆପଣ ୧୫ରୁ ୨୦ ପ୍ରତିଶତ ମେକିଂ ଚାର୍ଜ ଦେଇଥିବେ, ତେବେ ସେହି ଟଙ୍କାର ସିଧାସଳଖ କ୍ଷତି  ସହିବାକୁ ପଡିବ।  ଏହି ଯୋଜନାରେ ଆଉ ଏକ ସମସ୍ୟା ହେଲା ସୁନା ଦୀର୍ଘ ସମୟ ପାଇଁ ଜମା ରହିଥାଏ। ମଝିରେ ଟଙ୍କା କିମ୍ବା ସୁନା ଫେରାଇ ନେବା ସହଜ ନୁହେଁ। ନିୟମ ଭଙ୍ଗ କରି ଆଗୁଆ ଟଙ୍କା ଉଠାଇଲେ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ।

ନିବେଶ ପୂର୍ବରୁ କ’ଣ ଧ୍ୟାନ ରଖିବେ?

ଗୋଲ୍ଡ ମୋନିଟାଇଜେସନ୍ ସ୍କିମ୍ ଘରେ ଅବ୍ୟବହୃତ ସୁନାରୁ ଆୟ କରିବାର ଏକ ଭଲ ବିକଳ୍ପ ହୋଇପାରେ। କିନ୍ତୁ ସୁନା ତରଳ ହେବା, ଓଜନ କମିବା, ମେକିଂ ଚାର୍ଜର କ୍ଷତି ଓ ଭାବନାତ୍ମକ ମୂଲ୍ୟ ଭଳି ଦିଗକୁ ବିଚାର କରିବା ପରେ ହିଁ ଏହି ଯୋଜନାରେ ନିବେଶ କରିବା ଉଚିତ।