ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତାଙ୍କର ୪ଜଣ ଡେପୁଟି ଗଭର୍ଣ୍ଣରଙ୍କ ମଧ୍ୟରେ ସୋମବାର କାମ ବାଣ୍ଟିଛନ୍ତି। ଏହି ନିଷ୍ପତ୍ତି ପରେ ପ୍ରତ୍ୟେକ ଡେପୁଟି ଗଭର୍ଣ୍ଣରଙ୍କୁ ଅଲଗା ଅଲଗା ବିଭାଗର ଦାୟିତ୍ୱ ଦିଆଯାଇଛି। ନିକଟରେ ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହୋଇଥିବା ରୋହିତ ଜୈନଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି। ଆରବିଆଇଙ୍କ ଏହି ପଦକ୍ଷେପ ସଂସ୍ଥାର କାମକୁ ଆହୁରି ଭଲ ଓ ଶରଳ କରିବା ପାଇଁ ବୋଲି କୁହାଯାଇଛି। ଏହା ଦ୍ୱାରା ବିଭିନ୍ନ ବିଭାଗରେ କାମ ଦ୍ରୁତ ହେବା ସହ ବିଭାଗ ଅଧିକ ଉତ୍ତରଦାୟୀ ହେବେ ବୋଲି ଆଶା କରାଯାଉଛି।

ଏଥିରେ ଡେପୁଟି ଗଭର୍ଣ୍ଣର ସ୍ୱାମୀନାଥନ ଜାନକୀ ରମଣଙ୍କୁ ସବୁଠୁ ଅଧିକ ୧୧ଟି ବିଭାଗର ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଦିଆଯାଇଥିବା ବିଭାଗ ମଧ୍ୟରେ ସୁପରଭିଜନ, ଲିଗାଲ, ଡିଆଇସିଜିସି ଓ ଇନସ୍ପେକ୍ସନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟ ରହିଛି। ଏହା ଛଡା ତାଙ୍କୁ ସମନ୍ୱୟ ଦାୟିତ୍ୱ ମଧ୍ୟ ମିଳିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଆରବିଆଇ ଅନୁଭବୀ ଓ ଅଭିଜ୍ଞ ଅଧିକାରୀଙ୍କ ଉପରେ ଭରସା ବ୍ୟକ୍ତ କରିଛି।

ସେହିପରି ଅନ୍ୟତମ ଡେପୁଟି ଗଭର୍ଣ୍ଣର ପୁନମ ଗୁପ୍ତାଙ୍କୁ ମୋଟ ୬ଟି ବିଭାଗର ଦାୟିତ୍ୱ ଅର୍ପଣ କରାଯାଇଛି। ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୁଦ୍ରାନୀତି ବିଭାଗ ତାଙ୍କ ଅଧିନକୁ ଆସିଛି। ଏହି ବିଭାଗ ଦେଶରେ ବ୍ୟାଙ୍କମାନଙ୍କ ସୁଧହାର ଓ ଆର୍ଥିକ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ନିର୍ବାହ କରିଥାଏ। ଏଣୁ ବିଭାଗ ବଣ୍ଟନରେ ପୁନମ ଗୁପ୍ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି। ଏହା ଛଡା ଡେପୁଟି ଗଭର୍ଣ୍ଣର ଶିରିଷ ଚନ୍ଦ୍ର ମୁର୍ମୁଙ୍କୁ ୫ଟି ବିଭାଗ ଦିଆଯାଇଛି। ଏଥିରେ ରେଗୁଲେସନ ଓ ଏନଫୋର୍ସମେଣ୍ଟ ଭଳି ବିଭାଗ ତାଙ୍କ ଖାତାକୁ ଯାଇଛି। ଏହି ବିଭାଗ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାମାନଙ୍କ ଉପରେ ନଜର ରଖିବା ଓ ନିୟମ ପାଳନର ଗୁରୁଦାୟିତ୍ୱ ବହନ କରିଥାଏ। ଏଣୁ ଦେଶର ଆର୍ଥିକ ପ୍ରଣାଳୀକୁ ସ୍ଥିର ରଖିବାରେ ସହାୟତା ମିଳିଥାଏ।

ନବ ନିଯୁକ୍ତ ଡେପୁଟି ଗଭର୍ଣ୍ଣର ରୋହିତ ଜୈନଙ୍କୁ ୧୦ଟି ବିଭାଗର ଦାୟିତ୍ୱ ଅର୍ପଣ କରାଯାଇଛି। ତାଙ୍କୁ ଦିଆଯାଇଥିବା ବିଭାଗମାନଙ୍କ ମଧ୍ୟରେ ଫିନଟେକ୍, ବିଦେଶୀ ମୁଦ୍ରା ଓ ସୂଚନା ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି। ତାଙ୍କ ନିଯୁକ୍ତି ପରେ ଏହି ବିଭାଗମାନଙ୍କରେ ନୂଆ ପରିବର୍ତ୍ତନ ଓ ସୁଧାରର ଆଶା କରାଯାଉଛି। ଆରବିଆଇରେ ରୋହିତ ଜୈନ ପୂର୍ବତନ ଡେପୁଟି ଗଭର୍ଣ୍ଣର ଟି.ରବି ଶଙ୍କର ଙ୍କ ସ୍ଥାନ ନେଇଛନ୍ତି। ଆରବିଆଇ ପୁଣି ନୂଆ କରି ବିଭାଗ ବଣ୍ଟନ ଦ୍ୱାରା ସଙ୍ଗଠନକୁ ଆହୁରି ମଜଭୁତ କରିବା ଦିଗରେ ପଦକ୍ଷେପ ନେଇଛି।