ରାୟଗଡ଼ା: ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଓ ପଞ୍ଜୀକରଣ ପାଇଁ ଖର୍ଚ୍ଚ ହୋଇଛି ୪୨ ଲକ୍ଷ ଟଙ୍କା । ଅଥଚ ଏହି ଟଙ୍କା କେଉଁ ବାବଦରେ ଓ କିପରି ବ୍ୟବହାର ହୋଇଛି, ତାହାର ସ୍ପଷ୍ଟ ହିସାବ ମିଳୁନି । ଏ ମଧ୍ୟରେ ଦୀର୍ଘ ୨ ବର୍ଷ ବିତିଗଲାଣି । ସମ୍ପୃକ୍ତ ବ୍ଲକ୍ କର୍ତ୍ତୃପକ୍ଷ ବିନିଯୋଗ ପ୍ରମାଣପତ୍ର ଓ ଖର୍ଚ୍ଚର ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲା ଶ୍ରମ ବିଭାଗକୁ ଦେଇପାରୁନାହାନ୍ତି । ଜିଲ୍ଲା ଶ୍ରମ ବିଭାଗ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ କରିପାରୁନି । ଏହି ଘଟଣାକୁ ନେଇ ଅଡିଟ୍ ବିଭାଗ ଆପତ୍ତି ଉଠାଇଛି । ନିକଟରେ ଅନୁଷ୍ଠିତ ସ୍ବତନ୍ତ୍ର ଅଡିଟ୍ ସମୟରେ ୪୨ ଲକ୍ଷ ଟଙ୍କାର ଖର୍ଚ୍ଚ ସମ୍ପର୍କିତ ହିସାବ ଓ ବିନିଯୋଗ ପ୍ରମାଣପତ୍ର ଉପସ୍ଥାପନ କରିବାକୁ ଆପତ୍ତି ଉଠାଇ ତୁରନ୍ତ ଆବଶ୍ୟକ ତଥ୍ୟ ଦାଖଲ ପାଇଁ ବିଭାଗକୁ ନିର୍ଦ୍ଦେଶ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଜିଲ୍ଲାର ୧୧ଟି ବ୍ଲକକୁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ପାଇଁ ମୋଟ ୪୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା । ଏଥିସହ ପ୍ରତ୍ୟେକ ବ୍ଲକକୁ ଗୋଟିଏ ଲେଖାଏଁ କମ୍ପ୍ୟୁଟର ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ପଞ୍ଚାୟତରୁ ରାଜ୍ୟ ବାହାରକୁ କାମ ପାଇଁ ଯାଉଥିବା ଶ୍ରମିକଙ୍କ ନାମ, ଠିକଣା ଓ ଅନ୍ୟାନ୍ୟ ତଥ୍ୟ ପଞ୍ଜୀକରଣ କରି ମହଜୁଦ ରଖିବା । ଭବିଷ୍ୟତରେ କୌଣସି ଶ୍ରମିକ ସମସ୍ୟାରେ ପଡ଼ିଲେ ତାଙ୍କ ପରିଚୟ ଓ ଠିକଣା ସମ୍ପର୍କିତ ତଥ୍ୟ ତୁରନ୍ତ ମିଳିପାରିବ ବୋଲି ଏହି ବ୍ୟବସ୍ଥା କରାଯାଇଥିଲା । ବିଡ଼ମ୍ବନାର ବିଷୟ, ଜିଲ୍ଲାର ୧୭୧ ପଞ୍ଚାୟତରେ ଜଣେ ହେଲେ ଦାଦନ ଶ୍ରମିକଙ୍କ ସମ୍ପୂର୍ଣ୍ଣ ତଥ୍ୟ ମହଜୁଦ ନଥିବା ଜଣାପଡ଼ିଛି । ରାଜ୍ୟ ବାହାରକୁ ଯାଉଥିବା ଦାଦନଙ୍କ ପଞ୍ଜୀକରଣ କିମ୍ବା ତଥ୍ୟ ସଂରକ୍ଷଣ ସମ୍ପର୍କରେ ଅନେକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଅବଗତ ନଥିବା କୁହାଯାଉଛି । ଅନ୍ୟପକ୍ଷରେ ଅନୁଦାନ ଅର୍ଥ ବର୍ଷକ ମଧ୍ୟରେ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ଏହା କେଉଁ କାର୍ଯ୍ୟରେ ବିନିଯୋଗ ହୋଇଛି, ତାହାର ସ୍ପଷ୍ଟ ପ୍ରମାଣ ମିଳୁନାହିଁ । ଚିନ୍ତାଜନକ ବିଷୟ, ବ୍ଲକଗୁଡ଼ିକୁ ଦିଆଯାଇଥିବା କମ୍ପ୍ୟୁଟରଗୁଡ଼ିକ ବର୍ତ୍ତମାନ କେଉଁଠାରେ ଅଛି, ତାହାର ମଧ୍ୟ ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ ।

Also Read:ଦାଦନ ଭାଙ୍ଗିଦେଲା ସୁନା ସଂସାର: ଭାଇକୁ ଅପେକ୍ଷା କରିଥିଲା ଭଉଣୀ, ଦୁବାଇରେ ଶବ ହୋଇ ଫେରିବେ ଉତ୍ତମ

ଜିଲ୍ଲାରୁ ଦାଦନ ଶ୍ରମିକ ଚାଲାଣ ଘଟଣା ଜାରି ରହିଥିବାବେଳେ ଦଲାଲମାନେ ଏଥିରୁ ଫାଇଦା ଉଠାଉଥିବା ଅଭିଯୋଗ ହେଉଛି । ସମଗ୍ର ଜିଲ୍ଲାରେ ଶତାଧିକ ଦଲାଲ ସକ୍ରିୟ ଥିବା ବେଳେ ଶ୍ରମିକ ନିଯୁକ୍ତି ପାଇଁ ମାତ୍ର ୪ ଜଣ ଠିକାଦାର ନିଜ ନାମ ପଞ୍ଜୀକରଣ କରିଛନ୍ତି । ଶ୍ରମ ବିଭାଗର ନିଷ୍କ୍ରିୟତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ବେଚ୍ଛାସେବୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ତ୍ରିପାଠୀ କହିଛନ୍ତି, ପ୍ରଦାନ କରାଯାଇଥିବା ଅନୁଦାନର ବିନିଯୋଗ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଏ ପର୍ଯ୍ୟନ୍ତ ମିଳିନାହିଁ । ସମସ୍ତ ବ୍ଲକକୁ ଚିଠି କରି ଖର୍ଚ୍ଚର ହିସାବ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯିବ ।