ଖଲ୍ଲିକୋଟ ୨୩।୮: ଖଲ୍ଲିକୋଟରେ ପୁଣି ଦାଦନ ଦୁଃଖ । ଦୁବାଇରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ । ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ । କାନ୍ଥରୁ ଲିଭିନି ଶୁଭ ବିବାହ' ଲେଖା । ଦାଦନ ଭାଙ୍ଗିଦେଲା ସୁନା ସଂସାର । ରାକ୍ଷୀ ବାନ୍ଧିବାକୁ ଚାହିଁଥିବା ଭଉଣୀ ହାତରେ ରହିଗଲା ରାକ୍ଷୀ । ଦୁବାଇରୁ ଆସିଲା ଭାଇର ମୃତ୍ୟୁ ଖବର । ଭିଟାମାଟିରେ ରୋଜଗାର ନପାଇ ପେଟପାଟଣା ପାଇଁ ସୁଦୂର ଦୁବାଇ ଯାଇଥିବା ପୁଅ ଆଜି ସେଠାରେ ପଡି ରହିଛି ଶବ ହୋଇ । ଖଲ୍ଲିକୋଟର ଉତ୍ତମ ଗୌଡ଼ଙ୍କ ଏହି କରୁଣ କାହାଣୀ ଆଜି ପୁଣି ଥରେ ଦାଦନ ଯନ୍ତ୍ରଣାର ନଗ୍ନଛବିକୁ ପଦାରେ ପକାଇଛି ।

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ୯ ନମ୍ବର ୱାର୍ଡ ଫାସୁଳା ଗାଁର କୈଳାଶ ଗୌଡ଼ଙ୍କ ପୁଅ ଉତ୍ତମ ଗୌଡ଼ । ପରିବାର ପ୍ରତିପୋଷଣ ପାଇଁ ଗତ ୨ ବର୍ଷ ତଳେ ସୁଦୂର ଦୁବାଇ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ରୋଜଗାର କରି ଯାହା କିଛି ଅର୍ଥ ପଠାଉଥିଲେ ସେଥିରେ ପରିବାର ଚଳି ଯାଉଥିଲେ । ରାକ୍ଷୀକୁ ଘରକୁ ଆସିବାକୁ ଟିକେଟ କାଟିଥିଲେ ଉତ୍ତମ । ଭଉଣୀକୁ ମଧ୍ୟ ଫୋନ କରି ଏ ସମ୍ପର୍କରେ ଜଣାଇ ମୁଁ ଓଡ଼ିଶା ଫେରିଲେ ତୁମେ ସମସ୍ତେ ମୋତେ ନେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିବ ବୋଲି କହିଥିଲେ । ହେଲେ କିଏ ଜାଣିଥିଲା ସେ ଆଉ ଜୀବିତ ଅବସ୍ଥାରେ ଫେରିବେନି ବୋଲି ।

Also Read:- ବଙ୍ଗୋପସାଗରରେ ସୃଷ୍ଟ ହେଲା ଲଘୁଚାପ : ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ, ୬୦ କି.ମି. ବେଗରେ ଝଟ୍‌କା ପବନ !

ତିନି ଦିନ ତଳେ ଉତ୍ତମ କମ୍ପାନୀରେ କାମ କରୁଥିବା ବେଳେ ହଠାତ ମୁଣ୍ଡ ବୁଲାଇ ତଳେ ପଡି ଅଚେତ ହୋଇ ଯାଇଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ନିଆ ଯାଇଥିଲା । ସେଠାରେ ଆଇସିୟୁରେ ରହି ସେ ଚିକିତ୍ସିତ ହେଉଥିଲେ । ଗତକାଲି ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ଘରେ ପହଞ୍ଚିଛି । ମୃତ୍ୟୁ ଖବର ପାଇବା ପରେ ପୁରା ପରିବାର ଶୋକରେ ବୁଡି ଯାଇଛି ।

ସ୍ତ୍ରୀ ସାଗରିକା ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ମୁଣ୍ଡ ପିଟି କାନ୍ଦୁଥିବା ବେଳେ ରାକ୍ଷୀ ବାନ୍ଧିବାକୁ ଚାହିଁ ବସିଥିବା ଭଉଣୀ ଝରଣା ଭାଇକୁ ବାହୁନି କାନ୍ଦୁଛନ୍ତି । ବାପା, ମାଆ ଏକମାତ୍ର ରୋଜଗାରିଆ ପୁଅ କୁ ହରାଇ ଦୁଃଖ ରେ ଭାଙ୍ଗି ପଡିଛନ୍ତି। ମୃତ ଉତ୍ତମଙ୍କ ଗୋଟିଏ ତିନି ବର୍ଷର ପୁଅ ଅଛି । ମାତ୍ର ୪ ବର୍ଷ ତଳେ ଉତ୍ତମ ଓ ସାଗରିକାଙ୍କ ବିବାହ ହୋଇଥିଲା ।

Watch Video: