କଟକ ୭।୮: ରେଭେନ୍ସା ବିଶ୍ବବିଦ୍ୟାଳୟ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଗଣମାଧ୍ୟମକୁ ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ରେଭେନ୍ସା କୁଳପତି ଅର୍କ କୁମାର ଦାସ ମହାପାତ୍ର । ରେଭେନ୍ସାରେ ସିନେଟ୍ ଗଠନ ପ୍ରକ୍ରିୟା ଏବେ ଚାଲିଛି । କଟକ ସଦର ବିଧାୟକ ପ୍ରକାଶ ସେଠୀ ଏହି ସିନେଟରେ ସଦସ୍ୟ ଭାବେ ରହିବା ପାଇଁ ସରକାରୀ ପ୍ରସ୍ତାବ ରହିଛି । ତେବେ ସିନେଟ୍ କାର୍ଯ୍ୟକାରୀ ହେଲାଣି କି ନାହିଁ, ସେ ସମ୍ପର୍କରେ କୁଳପତି କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି ।

ସେପଟେ ଉଚ୍ଚ ଶିକ୍ଷା ବିଭାଗ ସହ ରେଭେନ୍ସା ବିବାଦ ସମ୍ପର୍କରେ ଆଲୋଚନା ହୋଇଥିବା କୁଳପତି କହିଛନ୍ତି । ୱାର୍ଡେନ, ଅଧ୍ୟାପକ, ଅଧ୍ୟାପିକ ଏବଂ କଟକ ସଦର ବିଧାୟକଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଉଦ୍ୟମ ଚାଲିଥିବା କୁଳପତି କହିଛନ୍ତି । ଏହାସହ କୁଳପତି କହିଛନ୍ତି, ହଷ୍ଟେଲ ଓ୍ବାର୍ଡେନ ଓ ଚିଫ୍ ଓ୍ବାର୍ଡେନ ଇସ୍ତଫା ଦେଇଥିବାରୁ ହଷ୍ଟେଲ ପରିଚାଳନା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

ସେପଟେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କୁ ସମର୍ଥନ ଜଣାଇଛନ୍ତି ପୂର୍ବତନ ଛାତ୍ର ସଂଘର କର୍ମକର୍ତ୍ତା । ଆଜି ରେଭେନ୍ସାର ଛାତ୍ର ସଂସଦର କିଛି ପୂର୍ବତନ କାର୍ଯ୍ୟକର୍ତ୍ତା ବିଶ୍ବବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ବିରୋଧରେ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଧାୟକ କ୍ୟାମ୍ପସ ଭିତରକୁ ଆସି ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସମିଚୀନ ନୁହେଁ ବୋଲି ରେଭେନ୍ସା ଆଲୁମୁନି ମାନେ ମତ ଦେଇଛନ୍ତି । ବିଧାୟକ ତାଙ୍କର ଏଭଳି ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଆପୋଷ ଆଲୋଚନା ଦ୍ଵାରା ବିଶ୍ଵବିଦ୍ୟାଳୟର ପରିବେଶକୁ ସ୍ବାଭାବିକ କରିବା ପାଇଁ ଆନ୍ଦୋଳନକାରୀ ମାନେ ନିବେଦନ କରିଛନ୍ତି ।