ପୁରୀ ୧୭।୦୪ : ରତ୍ନଭଣ୍ଡାର ଗଣତିମଣତିର ଆଜି ତୃତୀୟ ଦିନ । ସକାଳ ଧୂପ ନୀତି ପରେ ଆରମ୍ଭ ହେଲା ଗଣତି ମଣତି କାର୍ଯ୍ୟ। ସମସ୍ତ ରତ୍ନ ଅଳଙ୍କାରର କରାଯାଉଛି ଥ୍ରୀଡି ସ୍କାନିଙ୍ଗ। ରତ୍ନ ଅଳଙ୍କାରର ମଧ୍ୟ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହେଉଛି। ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟରେ ରତ୍ନ ପଥର ବିଶେଷଜ୍ଞ, ଶ୍ରୀମନ୍ଦିର ବଣିଆ, ଆରବିଆଇ ଅଧିକାରୀ ସାମିଲ୍।

ଦ୍ୱିତୀୟ ଦିନ ସୁଦ୍ଧା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ପ୍ରାୟ ୮୦ଟି ଅଳଙ୍କାର ଗଣତିମଣତି ହୋଇଛି । ନୀତି ବିଳମ୍ବ ଯୋଗୁ ଗଣତିମଣତି ପ୍ରକ୍ରିୟା କରିବାକୁ ଟିମକୁ ବହୁ ସମୟ ଭିତରେ ଅପେକ୍ଷା କରିବାକୁ ପଡ଼ିଥିଲା । ଗୁରୁବାର ପ୍ରାୟ ୭ ଘଣ୍ଟା ହୋଇଥିଲା ଗଣତିମଣତି ।  ଦ୍ୱିତୀୟ ଦିନରେ ମଧ୍ୟ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା । ଶ୍ରୀଜିଉଙ୍କଠାରୁ ଆଜ୍ଞା ନେଇ ଟିମ ଭିତରକୁ ଯିବା ସମୟରେ ବଳଭଦ୍ର ଶ୍ରୀଅଙ୍ଗରୁ ମାଳ ଛିଡ଼ିଥିଲା ବୋଲି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସୂଚନା ଦେଇଥିଲେ । ଭିତରେ ଭଣ୍ଡାରରେ ରହିଛି ପ୍ରାୟ ୫୯୮ ପ୍ରକାର ଅଳଙ୍କାର । ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ରତ୍ନ ଅଳଙ୍କାର ସହ ମେଳକ ପ୍ରକ୍ରିୟା ହୋଇଛି । ଏପର୍ଯ୍ୟନ୍ତ ସମସ୍ତ ମେଳକ ପ୍ରକ୍ରିୟା ଶତ ପ୍ରତିଶତ ସ୍ୱଚ୍ଛ ଭାବେ ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

Also Read:-Jatra Khabar : ଯାତ୍ରା ଅଭିନେତା ରୁଦ୍ର ନାରାୟଣ ଗୁରୁତର, ପଢନ୍ତୁ ପୁରା ଖବର...

SOP ଅନୁଯାୟୀ, ପୂର୍ବାହ୍ଣ ପ୍ରାୟ ୧୦ଟା ୩୫ ରେ ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରିଥିଲା ଟିମ୍ । ପ୍ରାୟ ୧୨ ଟା ୩୫ରେ ଭିତର ଭଣ୍ଡାରକୁ ପ୍ରବେଶ କରିଥିଲେ ଟିମ୍ ସଦସ୍ୟ । ଗଣତିମଣତି ପରେ ହଳଦିଆ ମୁଣିରେ ସୁନା, ଧଳା ମୁଣିରେ ରୁପା ଓ ନାଲି ମୁଣିରେ ଅନ୍ୟ ରତ୍ନ ରଖାଯାଇ ତାକୁ ପ୍ରଥମେ ଷ୍ଟିଲ୍ ବାକ୍ସ ଓ ପରେ ନବନିର୍ମିତ ସିନ୍ଦୁକରେ ରଖାଯାଉଛି। ଗତ ୧୩ ତାରିଖରେ ଭିତର ଭଣ୍ଡାରର ପ୍ରଥମ ଦିନ ଗଣତି ଦିନ ସୁଭଦ୍ରାଙ୍କ ମାଳ ଛିଣ୍ଡିଥିବା ବେଳେ ଗୁରୁବାର ବଡ଼ଠାକୁରଙ୍କ ଶ୍ରୀଅଙ୍ଗରୁ ମାଳ ଛିଣ୍ଡିବା ଚର୍ଚ୍ଚାର ବିଷୟ ହୋଇଛି।