କଟକ ୨୪।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହେବ ଉଚ୍ଚ ସ୍ତରୀୟ ବୈଠକ । ରତ୍ନ ଗଣତି ମଣତି ନେଇ ଆସନ୍ତା ୨୭ ତାରିଖରେ ବସିବ ବୈଠକ । ଏ ନେଇ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି । ବୈଠକରେ SoP ସମ୍ପର୍କରେ ହେବ ଆଲୋଚନା । ୨୭ ତାରିଖ ଅପରାହ୍ନରେ ପୁରୀରେ ବୈଠକ ଅନୁଷ୍ଠିତ ହେବ । ପ୍ରଥମେ SoP ବାବଦରେ ହେବ ଆଲୋଚନା । ଗଣତି ମଣତି ଯୋଗୁଁ ଦର୍ଶନ ପାଇଁ ସମସ୍ୟା ହୋଇପାରେ । ତେଣୁ ଭକ୍ତଙ୍କ ସହଯୋଗ ଲୋଡ଼ାଯିବ ବୋଲି ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି ।

ଜାନୁଆରୀ ମାସ ଭିତରେ ଗଣତି ମଣତି ଆରମ୍ଭ ହୋଇପାରେ । ଗଣତି ମଣତି ଭିତର ଭଣ୍ଡାରରେ ହେବ । କେଉଁମାନେ ଗଣତି ପ୍ରକ୍ରିୟାରେ ସାମିଲ ହେବେ, ସ୍ଥିର ହୋଇନି । ୨୭ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହେବ । ୧୯୭୮ ମସିହା ଗଣତି ବେଳର ତାଲିକା ମେଳକ କରାଯିବ । ରତ୍ନର ମୂଲ୍ୟ ଆକଳନ କରିବା ମୁସ୍କିଲ । କିନ୍ତୁ ରତ୍ନ ଗୁଡିକର ଗୁଣ ମାନ ନିର୍ଣ୍ଣୟ କରାଯିବ । ରିଜର୍ଭ ବ୍ୟାଙ୍କର ସହଯୋଗ ଲୋଡ଼ାଯାଇଛି । ୨ ଜଣ ଏକ୍ସପର୍ଟ ଏ କାର୍ଯ୍ୟରେ ସହାୟତା କରିବେ । ଶେଷ ଥର ପାଇଁ ଗଣତି ମଣତି ପାଇଁ ୭୨ ଦିନ ଲାଗିଥିଲା । ଏଥର ଯେତେ ଶୀଘ୍ର ହୋଇପାରିବ ଚେଷ୍ଟା କରିବୁ ।

ବିଶେଷ ପର୍ବ ଦିନ ଗୁଡିକୁ ଦୃଷ୍ଟିରେ ରଖି SoP ଜାରି ହେବ । ୧୯୫୪ ମସିହାର ରେକର୍ଡ ଏବଂ ୧୯୭୮ ମସିହାରେ ହୋଇଥିବା ଗଣତିକୁ ନେଇ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜଷ୍ଟିସ୍ ରଥ ସୂଚନା ଦେଇଛନ୍ତି ।

ସେପଟେ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି- ଖୁବ୍‌ଶୀଘ୍ର ରତ୍ନ ଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଛି । ପ୍ରଥମେ ଉଚ୍ଚ ସ୍ତରୀୟ କମିଟି ବୈଠକ ବସିବ ଏହାପରେ ମ୍ୟାନେଜିଂ କମିଟିକୁ ଏହି ପ୍ରସଙ୍ଗ ଆସିବ । ମ୍ୟାନେଜିଂ କମିଟି ଅନୁମୋଦନ ପରେ କେବେଠାରୁ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ସେ ବିଷୟରେ ସରକାରଙ୍କୁ ଜଣାଇ ଦିଆଯିବ । ଏହି ପ୍ରକ୍ରିୟା ୫ରୁ ୬ ମାସ ମଧ୍ୟରେ ଶେଷ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି