ଜଗତସିଂହପୁର : ବହୁ ଚର୍ଚ୍ଚିତ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀ ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ ପୂରିଛି ୧୧ ଦିନ। ଆଜି ପର୍ଯ୍ୟନ୍ତ ହତ୍ୟାର ସଠିକ କାରଣ ଓ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନି। କିନ୍ତୁ ଶନିବାର ଆଉ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ମୃତ ରଶ୍ମିରଞ୍ଜନଙ୍କର ନିଜ ଗାଁରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ତାଙ୍କର ସ୍ତ୍ରୀ, ବାପଘର ଲୋକ ଓ କିଛି ଗୁଣ୍ଡାଙ୍କ ସହ ସେଠାରେ ପହଞ୍ଚି ଶାଶୁ ଓ ଅନ୍ୟ ମାନଙ୍କୁ ଆକ୍ରମଣ କରିଥିବାର ସଦର ଥାନାରେ ଅଭିଯୋଗ ହୋଇଛି । ଏଥି ସହିତ ରଶ୍ମିରଞ୍ଜନଙ୍କର ସ୍ତ୍ରୀ ମଧ୍ୟ ଆଉ ଏକ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଉଭୟ ପକ୍ଷଙ୍କ ଏତାଲା ଗ୍ରହଣ କରି ତଦନ୍ତ ଚଳାଇଛି ।

ସୂଚନାନୁସାରେ, ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀଙ୍କର ୧୦ ଦିନ ତଳେ ମୃତ୍ୟୁ ହୋଇଥିଲା। ସ୍ତ୍ରୀ, ତାଙ୍କ ପ୍ରେମିକ ଅଧିକାରୀ ଓ ପରିବାର ଲୋକ ମିଶି ରଶ୍ମିରଞ୍ଜନଙ୍କୁ ମାରିଥିବା ନେଇ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆଜିମାବାଦ୍ ଅଞ୍ଚଳର ବିଜୁ ପଟ୍ଟନାୟକ ଆଦର୍ଶ କଲୋନୀରେଏକ ଭଡ଼ା ଘରେ ମୃତକଙ୍କ ସ୍ତ୍ରୀ ରଶ୍ମିରେଖା ଭୂୟାଁ ରହୁଥିଲେ। ଗତ ୧୬ ତାରିଖ ଦିନ ବିଳମ୍ବିତ ରାତିରେ ରଶ୍ମିରଞ୍ଜନ ସେଠୀ ଆତ୍ମହତ୍ୟା କରିଥିବା ନେଇ ମହିଳାଙ୍କ ଭାଇ ପରିବାର ଲୋକଙ୍କୁ ଜଣାଇଥିଲେ। । ସେହିଦିନ ଥିଲା ମୃତକଙ୍କ ସ୍ତ୍ରୀର ଜନ୍ମଦିନ। ଜନ୍ମଦିନ ପାଳିବାକୁ କଟକରୁ ବାଲେଶ୍ବରରେ ରହୁଥିବା ସ୍ତ୍ରୀଙ୍କ ନିକଟକୁ ଆସିଥିଲେ ରଶ୍ମିରଞ୍ଜନ। ଅଭିଯୋଗ ଅନୁସାରେ ମୃତକଙ୍କ ସ୍ତ୍ରୀ ପୂର୍ବରୁ କରଞ୍ଜିଆରେ ଏନଏଚଏମର ଜେଇ ଭାବରେ ଚାକିରି କରୁଥିବା ବେଳେ ସେଠାକାର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିବା ରଶ୍ମିଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

ଏହି ପରକୀୟା ପ୍ରୀତି କାରଣରୁ ଗତ ଦୁଇ-ଅଢ଼େଇ ବର୍ଷ ହେବ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ୧୬ ତାରିଖ ଦିନ ମୃତକଙ୍କ ସ୍ତ୍ରୀଙ୍କ ଜନ୍ମଦିନ ଥିବାରୁ ସେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାକିରି କରୁଥିବା ସ୍ଥାନ କଟକରୁ ବାଲେଶ୍ୱର ଆସିଥିଲେ। ମାତ୍ର ସେଠାରେ ମହିଳାଙ୍କ ପରିବାର ଏବଂ ସମ୍ପୃକ୍ତ ଆସିଷ୍ଟାଣ୍ଟ ଇଞ୍ଜିନିୟର ମିଶି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଏହି ଘଟଣାକୁ ୧ଦିନ ବିତିଯାଇଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ।

Also Read- ସୁନାବେଶ ଦେଖି ଫେରୁଥିଲେ ପରିବାର, ଗଛରେ କାର୍ ପିଟିହୋଇ ୨ ଗୁରୁତର

ଏବେ ଉଭଉ ପକ୍ଷ ପରସ୍ପରକୁ ଆକ୍ରମଣ କରିଥିବା ଏତଲା ଦେଇଛନ୍ତି। ଅନ୍ୟପଟେ ପୁଅର ମୃତ୍ୟୁକୁ ନେଇ ମାଆ ଆଖିରୁ ଲୁହ ଶୁଖୁନଥିବା ସହ ପରିବାର ଲୋକେ ମ୍ରିୟମାଣ ହୋଇ ପଡିଛନ୍ତି । ପୋଲିସ ଘଟଣାର ସଠିକ ତଦନ୍ତ କରି ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଜରୁରୀ ହୋଇ ପଡିଛି ।