ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜର ସଫଳ ଅଭିନୟ ଯାତ୍ରାକୁ ଆଗକୁ ବଢ଼ାଇବା ସହ ଏକ ବଡ଼ ପ୍ରକଳ୍ପରେ ନଜର ଆସିବାକୁ ଯାଉଛନ୍ତି। ନିକଟରେ ତାଙ୍କ ସିନେମା 'କକଟେଲ ୨' ମୁକ୍ତିଲାଭ କରିଥିବା ବେଳେ, ଏବେ ସେ ଭାରତର ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ ଗାୟିକା ଭାରତ ରତ୍ନ ଏମ୍. ଏସ୍. ସୁବୁଲକ୍ଷ୍ମୀ (MS Subbulakshmi) ଙ୍କ ବାୟୋପିକରେ ମୁଖ୍ୟ ଭୂମିକା ତୁଲାଇବା ନେଇ ଚର୍ଚ୍ଚା ଜୋର୍ ଧରିଛି।

 ଗୁଲ୍ଟେ (Gulte) ର ରିପୋର୍ଟ ଅନୁଯାୟୀ, ଦୀର୍ଘ ମାସ ଧରି କାଷ୍ଟିଂ ଚାଲିବା ପରେ ମେକର୍ସମାନେ ରଶ୍ମିକା ମନ୍ଦାନାଙ୍କୁ ଏହି ଐତିହାସିକ ଚରିତ୍ର ପାଇଁ ଚୟନ କରିବାକୁ ବିଚାର କରୁଛନ୍ତି। ରଶ୍ମିକାଙ୍କ ପୂର୍ବରୁ ଅଭିନେତ୍ରୀ ସାଇ ପଲ୍ଲବୀ ଏବଂ ରୁକ୍ମିଣୀ ବସନ୍ତ ଙ୍କ ନାମ ମଧ୍ୟ ଏହି ଭୂମିକା ପାଇଁ ଚର୍ଚ୍ଚାରେ ଥିଲା। ଏମ୍. ଏସ୍. ସୁବୁଲକ୍ଷ୍ମୀଙ୍କ ଜୟନ୍ତୀ ଅବସରରେ ସେପ୍ଟେମ୍ବର ୧୬ ତାରିଖରେ ଫିଲ୍ମ ନିର୍ମାତାମାନେ ଏହି ବିଷୟରେ ଆନୁଷ୍ଠାନିକ ସୂଚନା ଦେଇପାରନ୍ତି।

ଏମ୍. ଏସ୍. ସୁବୁଲକ୍ଷ୍ମୀ କିଏ ?

ତାମିଲନାଡୁର ମାଦୁରାଇଠାରେ ଜନ୍ମଗ୍ରହଣ କରିଥିବା ଏମ୍. ଏସ୍. ସୁବୁଲକ୍ଷ୍ମୀ ସଂଗୀତ ଜଗତର ଜଣେ ବିଶିଷ୍ଟ ଏବଂ ଲୋକପ୍ରିୟ ଗାୟିକା ଥିଲେ। ତାଙ୍କର ଭକ୍ତିପୂର୍ଣ୍ଣ ଏବଂ ଶାସ୍ତ୍ରୀୟ ସଂଗୀତ ସାରା ଦେଶରେ ଆଦୃତ ହୋଇଥିଲା। ସେ ପ୍ରଥମ ସଂଗୀତଜ୍ଞ ଭାବରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତ ରତ୍ନ'ରେ ଭୂଷିତ ହୋଇଥିଲେ। ୨୦୦୪ ମସିହା ଡିସେମ୍ବର ୧୧ ରେ ୮୮ ବର୍ଷ ବୟସରେ ଚେନ୍ନାଇସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଥିଲା।