କରଞ୍ଜିଆ ୦୮।୦୮ : ବିରଳ ପ୍ରଜାତିର କଳା ବାଘୁଣୀର ମୃତ୍ୟୁ । ଶିମିଳିପାଳ ଜାତୀୟ ଉଦ୍ୟାନରେ କଳା ବାଘୁଣୀର ମୃତ୍ୟୁ। ମୃତ ବାଘୁଣୀ ୫ ବର୍ଷ ବୟସର ବୋଲି ଜଣାପଡ଼ିଛି। ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗତ ୬ ତାରିଖରେ ଉପର ବାରାହାକାମୁଡା ରେଞ୍ଜର ଦୁଧିଆଣି ନିକଟରେ ବାଘ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ ପାଟ୍ରୋଲିଂ ଟିମ୍। ଏହାପରେ ପାଟ୍ରୋଲିଂ ଟିମ୍ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନେନି ଡାକ୍ତରୀ ଟିମଙ୍କ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏନଟିସିଏର ନିୟମ ମୁତାବକ ବାଘର ଶବ ବ୍ୟବଚ୍ଛେଦ ପରେ ସେହି ସ୍ଥାନରେ ତାକୁ ପୋତି ଦିଆଯାଇଛି।

ତେବେ ପ୍ରାଥମିକ ତଦନ୍ତରୁ ବାଘ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ।ହେଲେ ବାଘ ଦେହରେ କୈଣସି କ୍ଷତ ଚିହ୍ନ କି କୌଣସି ଦାଗ ଦେଖିବାକୁ ମିଳିନାହିଁ। ବାଘ ମୃତଦେହର ନମୂନା ସଂଗ୍ରହ କରି ଓୟୁଏଟି ସହ ଏନଟିସିଏର ଲାବୋରେଟୋରିକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିଲେ ବାଘ ମୃତ୍ୟୁର ସଠିକ କାରଣ ଜଣାପଡିବ।