ମୁମ୍ଵାଇ ୧୭।୦୯; ବଲିଉଡ୍ ଷ୍ଟାର୍ ରଣବୀର କପୁର। ସ୍ତ୍ରୀ ଆଲିଆ ଭଟ୍ଟଙ୍କ ସହ ଗଣେଶ ଚତୁର୍ଥୀ ଉତ୍ସବରେ ଯୋଗଦେବା ପରେ ପୁଣି ଚର୍ଚ୍ଚାରେ ଅଛନ୍ତି ଅଭିନେତା। ଆଉ ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ରଣବୀରଙ୍କ ଏକ ପୁରୁଣା ଭିଡିଓ। ଏହି ଭିଡିଓରେ ଗଣପତି ବାପ୍ପାଙ୍କ ଦର୍ଶନ ପରେ ପାପାରାଜିଙ୍କୁ ମୋଦକ ବାଣ୍ଟୁଛନ୍ତି ରଣବୀର। ହେଲେ ଏହି ସମୟରେ ଘଟିଲା ଏମିତି ଏକ ଘଟଣା, ଯାହାକୁ ନେଇ ଅନଲାଇନରେ ଆରମ୍ଭ ହୋଇଗଲା ବିବାଦ।

ଭିଡିଓରେ ଜଣେ ଫଟୋଗ୍ରାଫର ତାଙ୍କୁ ପ୍ରସାଦ ଦେବାବେଳେ ରଣବୀର ତାହା ନେବାକୁ ମନା କରିଦେଉଛନ୍ତି। କହୁଛନ୍ତି-“ମୁଁ ଡାଏଟ୍ରେ ଅଛି, ତୁମେ ଏହାକୁ ଖାଇନିଅ।” ଆଉ ଏହି ଛୋଟିଆ ଘଟଣାକୁ ନେଇ ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ବିତର୍କ। କିଏ କହିଲା ପ୍ରସାଦକୁ ଅସମ୍ମାନ, ତ ଆଉ କିଏ କହିଲା-ଡାଏଟ୍ ମାନିବା ଅପରାଧ ନୁହେଁ। କିଛି ୟୁଜର୍ସ ରଣବୀରଙ୍କୁ ପ୍ରସାଦ ନେଇନଥିବାରୁ ଟ୍ରୋଲ କରୁଥିବାବେଳେ, ଆଉ କିଛି ତାଙ୍କ ଡାଏଟ୍କୁ ନେଇ ଯୁକ୍ତି ରଖିଛନ୍ତି। ତେବେ ଏହି ପୂରା ଘଟଣାରେ ରହିଛି ଏକ ବଡ଼ ଟ୍ୱିଷ୍ଟ।

କହିବାକୁ ଗଲେ ଭାଇରାଲ ଭିଡିଓଟି ଚଳିତ ବର୍ଷର ନୁହେଁ। ଏହା ୨୦୨୩ ମସିହାର ପୁରୁଣା ଭିଡିଓ। ଅର୍ଥାତ୍, ଚଳିତ ବର୍ଷ ରଣବୀରଙ୍କ ଗଣେଶ ଚତୁର୍ଥୀ ଉତ୍ସବ ସହ ଏହି ଭିଡିଓର ସିଧାସଳଖ କୌଣସି ସମ୍ପର୍କ ନାହିଁ। ରଣବୀର କପୁରଙ୍କୁ ନେଇ ଏହି ଚର୍ଚ୍ଚା ଏଭଳି ସମୟରେ ହେଉଛି, ଯେତେବେଳେ ସେ ଆଗାମୀ ଫିଲ୍ମ ‘ରାମାୟଣ’ରେ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ବଡ଼ ବଜେଟ୍ର ଫିଲ୍ମ ଦୁଇଟି ଭାଗରେ ଆସିବାକୁ ଯାଉଛି।