ଟାଙ୍ଗୀ: ବ୍ୟାଙ୍କ୍ ପାଖରେ ଏଟିଏମ୍ ଥିବାରୁ ସେଠାକୁ ଟଙ୍କା ଭର୍ତ୍ତି କରିବାକୁ ଚାଲି ଚାଲି ଯାଉଥିଲେ କ୍ୟାସିୟର ଏବଂ ଅନ୍ୟ ଜଣେ କର୍ମଚାରୀ। କିନ୍ତୁ ଏହାର ସୁଯୋଗ ନେଇ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଦୁଇ ଲୁଟେରା। ପ୍ଲାନ୍ କରିଥିଲେ କର୍ମଚାରୀଙ୍କ ମୁହଁରେ ସ୍ପ୍ରେ ମାରି ଟଙ୍କା ନେଇ ଫେରାର ହୋଇଯିବେ। ହେଲେ ଫେଲ୍ ମାରିଗଲା ଯୋଜନା । ବୁଧବାର ଖୋର୍ଦ୍ଧା ବାଲୁଗାଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ବାହାରେ ଘଟିଛି ଏହି ଅପରାଧ।

ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କ୍ୟାସିୟର ରମେଶ ବେହେରା ଓ କର୍ମଚାରୀ ପ୍ରଶାନ୍ତ ନାୟକ ବ୍ୟାଙ୍କ ନିକଟରେ ଥିବା ATMକୁ ଏକ ବ୍ୟାଗରେ ୨୮ ଲକ୍ଷ ଟଙ୍କା ନେଇ ଚାଲି ଚାଲି ଯାଉଥିବା ବେଳେ ଏହି ଲୁଟ୍ ଉଦ୍ୟମ ହୋଇଥିଲା । ଦୁଇ ଲୁଟେରା ଏକ ବାଇକରେ ଆସି ପ୍ରଥମେ କ୍ୟାସିୟରଙ୍କ ମୁହଁରେ ସ୍ପ୍ରେ ମାରିଥିଲେ । ଏହା ଦେଖି ଅନ୍ୟ କର୍ମଚାରୀ ଜଣକ ସେଠାରୁ ଆଉ ଟିକେ ଦୂରକୁ ଦୌଡ଼ି ପଳାଇଥିଲେ। ଆଉ ସମସ୍ତଙ୍କୁ ପାଟି କରି ଡାକିଥିଲେ । ଫଳରେ ସେଠାରେ ସ୍ଥାନୀୟ ଲୋକେ ଏକାଠି ହୋଇଯାଇଥିଲେ।

Also Read: ବିକ୍ରମ ପଣ୍ଡାଙ୍କ ଅଡୁଆ ବଢ଼ିଲା: ସାକ୍ଷୀଙ୍କୁ ଧମକ ଦେବା ନେଇ ମାମଲା ରୁଜୁ, ଜେଲ୍ ଡାକ୍ତର ଓ ବିଜେଡି ନେତା ବି ଫସିଲେ

ଏପଟେ କ୍ୟାସିୟର, ଲୁଟେରାଙ୍କୁ ଟଙ୍କା ଛଡ଼ାଇ ନେଇଯିବାକୁ ଆଦୌ ଦେଇନଥିଲେ। ସେ ସାହାସର ସହ ଲୁଟେରାର ସାମ୍ନା କରିଥିଲେ। ତେବେ ଲୋକେ ଏକାଠି ହେଉଥିବାର ଦେଖି ସେଠାରୁ ଚମ୍ପଟ ହୋଇଥିଲେ ଦୁଇ ଲୁଟେରା। ଆଉ ଏ ପୂରା ଘଟଣାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।