ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ଦିନ ଦ୍ବିପହରରେ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ଡକାୟତି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଡକାୟତି ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ଟିମ୍।

ଗତ ସେପ୍ଟେମ୍ବର ୮ ତାରିଖରେ ୬ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏହା ସହ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରି କ୍ୟାସ୍ କାଉଣ୍ଟରରୁ ୧୩ ଲକ୍ଷ ୮୦ ହଜାର ୪୪୪ ଟଙ୍କା ଲୁଟ କରିଥିଲେ। ଆଉ ଅନ୍ୟ କର୍ମଚାରୀମାନଙ୍କୁ ଗୋଟିଏ ରୁମରେ ବନ୍ଦ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବାଲେଶ୍ୱର ଏସ୍ପି ଏବଂ ଡିଆଇଜି, ଇଷ୍ଟର୍ଣ୍ଣ ରେଞ୍ଜ ବାଲେଶ୍ୱରଙ୍କ ନିର୍ଦ୍ଦେଶରେ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବସ୍ତା ଏସଡିପିଓ ସମର୍ଥ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଟିମ୍ଗୁଡ଼ିକ ତଦନ୍ତ ଓ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ। ତଦନ୍ତ ସମୟରେ ପଶ୍ଚିମବଙ୍ଗର ସନ୍ଦେଶଖାଲି ଥାନା ଅଧୀନ ରାମପୁର, ଜୀବନତଳା ଥାନା ଅଧୀନ ଚଣ୍ଡିବାଲି, ସୋନାରପୁର ଏବଂ ମହେନ୍ଦ୍ରପୁର ଥାନା ଅଞ୍ଚଳର ଚାଟପୁର ଆଦି ସ୍ଥାନରେ ଚଢ଼ାଉ କରିଥିଲା।

Also Read: ବ୍ୟାଙ୍କ କର୍ମଚାରୀଙ୍କ ମୁହଁରେ ସ୍ପ୍ରେ ମାରି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ, ଫେଲ୍ ମାରିବାରୁ ଚମ୍ପଟ ମାରିଲେ

ତେବେ ଚଢ଼ାଉରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବାଇକ, ଗୋଟିଏ ଦେଶୀ ବନ୍ଧୁକ ସମେତ ୩ ରାଉଣ୍ଡ୍ ଅଫୁଟା ଗୁଳି ଜବତ କରିଛି ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ସହ ଲୁଟ୍ ଟଙ୍କା ଓ ଘଟଣାରେ ବ୍ୟବହୃତ ସାମଗ୍ରୀ ଜବଦ କରିବା ପାଇଁ ଚଢ଼ାଉ ଜାରି ରହିବ ବୋଲି ବାଲିଆପାଳ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଏ ସମର୍ଥ ବେହେରା।