କୋଏମ୍ବାଟୁର: ତାମିଲନାଡୁ କୋଏମ୍ବାଟୁରରୁ ଅଲ-କାଏଦା ସମ୍ପର୍କିତ ଏକ ଆତଙ୍କବାଦୀକୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶ ଏଟିଏସ୍ ତାମିଲନାଡୁ ପୋଲିସ ସହ ମିଶି ଆତଙ୍କବାଦୀକୁ ଗିରଫ କରିଛି। ଧରାପଡିଥିବା ଆତଙ୍କବାଦୀର ବୟସ ମାତ୍ର ୧୯ ବର୍ଷ ଓ ତାର ନାମ ମକସୂଦ ଅଲ୍ଲୀ ବୋଲି ଜଣାପଡିଛି। ସେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଲାଗି ବିପଦଜନକ ହ୍ୟାକିଙ୍ଗ ଟୁଲ ତିଆରି କରୁଥିଲା। ସେ ‘କ୍ୟାପ୍ଟେନ ଏମ୍ ନେଟୱାର୍କ’ ନାମରେ ଏକ ସିକ୍ରେଟ ଆପ୍ ମଧ୍ୟ ତିଆରିଥିଲା। ଏହି ଆପ ମାଧ୍ୟମରେ ସେ ସୋସିଆଲ ମିଡିଆରେ ଭାରତରେ ଯୁବକମାନଙ୍କୁ ଫଶଉଥିଲା।

ଗତ ସେପ୍ଟେମ୍ବର ୧୨ ତାରିଖରେ ୟୁପି ଆଜମ ଗଡ଼ରେ ଧରାପଡିଥିବା ମହମ୍ମଦ ନବୀଲଠାରୁ ମିଳିଥିବା ସୂଚନା ଅନୁସାରେ ଏଟିଏସ୍ କୁ ଏହି ସଫଳତା ମିଳିଛି। ମକସୂଦ ଅଲ୍ଲୀ ୟୁପି ସିଦ୍ଧାର୍ଥ ନଗର ବାଂସି ଅଞ୍ଚଳ ମଧବାପୁର ଗାଁର। ତେବେ ସେ କୋଏମ୍ବାଟୁରରେ ଲୁଚି ରହି ଅଲ-କାଏଦା ପାଇଁ କାମ କରୁଥିଲା। ୟୁପି ଏଟିଏସ୍ ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ଲକ୍ଷ୍ନୌ ପହଞ୍ଚିଛି। ଏବେ ତାକୁ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରାଯିବ।

ଏଟିଏସ୍ ଅନୁସାରେ ମକସୂଦ ଅଲ୍ଲୀ ଅଲଗା ଅଲଗା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗ୍ରୁପ ଗଢି ଦେଶବିରୋଧୀ ଗତିବିଦ୍ଧି ଚଳାଇଥିଲା। ସେ ମୁସଲମାନ ଯୁବକମାନଙ୍କୁ ମୁଜାହିଦ୍ଦିନ ହେବା ଲାଗି ଉସକାଉଥିଲା। ଏଥି ପାଇଁ ସେ ଯୁବକମାନଙ୍କୁ ପଇସା ଲାଳସା ସାଙ୍ଗକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଦେବାକୁ ଯୋଜନା ମଧ୍ୟ କରିଥିଲା। ଯାଞ୍ଚରୁ ଜଣାପଡିଛି ଯେ ଏହି ମଡ୍ୟୁଲର ଚେର ଭାରତର ବିଭିନ୍ନ ରାଜ୍ୟ ସହ ବିଦେଶ କୁ ମଧ୍ୟ ଲମ୍ବିଛି। ତଦନ୍ତରୁ ଜଣାପଡିଛି ଯେ ମକସୂଦ ଦେଶ ବିରୋଧୀ ହିଂସାତ୍ମକ ଗତିବିଦ୍ଧିକୁ ସଫଳ କରିବା ପାଇଁ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ସମ୍ପର୍କ କରି ହ୍ୟାକିଙ୍ଗ ଟୁଲ ତିଆରି କରୁଥିଲା।

ମକସୂଦ ତାର ଯୋଜନା ସଫଳ କରିବା ପାଇଁ ‘କ୍ୟାପ୍ଟେନ ଏମ୍ ନେଟୱାର୍କ’ ନାମକ ଏକ ସିକ୍ୟୋର ମୋବାଇଲ ଆପ ତିଆରି କରିଥିଲା। ମକସୂଦ, ନବୀଲ ଓ ସେମାନଙ୍କ ସାଥୀ ଏହି ଆପ ମାଧ୍ୟମରେ ଗୋପନ ସୂଚନା ଆଦାନପ୍ରଦାନ କରୁଥିଲେ। ଏହାଛଡା ମକସୂଦ ଅନେକ ସନ୍ଦିଗ୍ଧ ହ୍ୱାଟସ୍ ଆପ ଗ୍ରୁପ ମଧ୍ୟ ଚଳାଉଥିଲା। ଏହି ଗ୍ରୁପ ଗୁଡିକରେ ପାକିସ୍ତାନୀ ନମ୍ବର ର ସନ୍ଦିଗ୍ଧ ଓ ହ୍ୟାକର ମଧ୍ୟ ଅଛନ୍ତି, ଏହା ମାଧ୍ୟମରେ ସେମାନେ ମୌଳବାଦ ବିଚାର ଓ ଜିହାଦୀ ଘୃଣା ବ୍ୟାପ୍ତ କରୁଥିଲେ।

ମହମ୍ମଦ ନବୀଲ ଗଢିଥିବା ହ୍ୱାଟସ୍ଆପ ଗ୍ରୁପ ‘ଲା ଗାଲିବ ଇଲ୍ଲଲ୍ଲାହ’ରେ ମକସୂଦ ମଧ୍ୟ ଆକ୍ଟିଭ ମେମ୍ବର ଥିଲା। ଏହି ଗ୍ରୁପରେ ଆତଙ୍କବାଦୀ ସଙ୍ଗଠନ ଏକ୍ୟୁଆଇଏସ୍ ର ଉତ୍ତେଜକ ସାହିତ୍ୟ ବିତରଣ କରାଯାଉଥିଲା। କେବଳ ଏତିକି ନୁହେଁ ଗ୍ରୁପରେ ବୋମା, ଆଇଇଡି ଆଦି ତିଆରିବା ଲାଗି ଭିଡିଓ ମଧ୍ୟ ସେୟାର କରାଯାଉଥିଲା।