ମୁମ୍ବାଇ : ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ‘ରାମାୟଣ’କୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ।  ଫିଲ୍ମଟି ରିଲିଜ ହେବା ପରଠୁ ଫ୍ୟାନ୍ସଙ୍କ ମଧ୍ୟରେ ରହିଛି କ୍ରେଜ୍ । ଏହାର ଭିଜୁଆଲ୍ ଇଫେକ୍ଟସ୍ ଓ କଳାକାରଙ୍କ ଅଭିନୟକୁକରାଯାଇଛି ଭୁରି ଭୁରି ପ୍ରଶଂସା । ବକ୍ସ ଅଫିସରେ ଫିଲ୍ମକୁ ନେଇ ବେଶ୍ ଭଲ ପ୍ରତିକ୍ରିୟା ମିଳୁଛି । ଫିଲ୍ମରେ ରାମାୟଣର କାହାଣୀକୁ ଖୁବ ଆକର୍ଷଣୀୟ ଓ ସିନେମାଟିକ୍ ଶୈଳୀରେ କରାଯାଇଛି ଉପସ୍ଥାପନ। ବିଶେଷକରି ପୌରାଣିକ କାହାଣୀକୁ ଏକ ନୂଆ ଢଙ୍ଗରେ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବଢ଼ିଛିଉତ୍କଣ୍ଠା । ଏହାରି ଭିତରେସବୁଠାରୁ ରୋଚକ କଥା ହେଉଛି ଫିଲ୍ମର ବଜେଟ୍ ଓ ଷ୍ଟାରକାଷ୍ଟଙ୍କ ଫି...। ଫିଲ୍ମଟି ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗ 4000 କୋଟି ବଜେଟରେ ହୋଇଛି ନିର୍ମିତ । ବଡ଼ କଥା ହେଉଛି ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା ରଣବୀର କପୁର ଏହି ଫିଲ୍ମ ପାଇଁ ସର୍ବାଧିକ ପାରିଶ୍ରମିକ ନେଇଥିବା ଦାବି ହୋଇଛି । ଦୁଇଟି ଭାଗ ପାଇଁ ତାଙ୍କ ପାରିଶ୍ରମିକ ପ୍ରାୟ ୧୫୦ କୋଟି ଟଙ୍କା । ଅନ୍ୟପଟେ ସନ୍ନି ଦେଓଲ, ସାଇ ପଲ୍ଲବୀ, ୟଶ ଏବଂ ରବି ଦୁବେଙ୍କ ପାରିଶ୍ରମିକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଏ କେତେ ଟଙ୍କା ନେଉଛନ୍ତି, ଆସନ୍ତୁ ଜାଣିବା ।

ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିଛନ୍ତି ରଣବୀର କପୁର । ସେ ପ୍ରତିଟି ଭାଗପାଇଁ ପ୍ରାୟ ୭୫ କୋଟି ଟଙ୍କା ନେଇଛନ୍ତି । ଅର୍ଥାତ୍ ଦୁଇଟି ଭାଗକୁ ମିଶାଇ ତାଙ୍କର ମୋଟ ପାରିଶ୍ରମିକ ୧୫୦ କୋଟି ଟଙ୍କା ହେବ । ଏହି ହିସାବରେ ସେ ଫିଲ୍ମର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା କଳାକାର ବୋଲି ରିପୋର୍ଟରେ ଦାବି କରାଯାଇଛି । ସାଉଥ୍ ସୁପରଷ୍ଟାର ୟଶ ଏହି ଫିଲ୍ମରେ ଲଙ୍କାଧିପତି ରାବଣ ଭୂମିକାରେ ନଜର ଆସିଛନ୍ତି । ଦୁଇଟି ଭାଗ ପାଇଁ ୟଶ ୧୦୦ କୋଟି ଟଙ୍କା ନେଇଛନ୍ତି । କିନ୍ତୁ ନଭେମ୍ବର ୨୦୨୬ରେ ପ୍ରକାଶିତ ଏକ ରିପୋର୍ଟରେ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ୟଶ କେବଳ ଜଣେ ଅଭିନେତା ନୁହନ୍ତି, ବରଂ ଫିଲ୍ମର ସହ-ପ୍ରଯୋଜକ ଭାବେ ମଧ୍ୟ ଜଡ଼ିତ । ତେଣୁ ସେ ଅଭିନୟ ପାଇଁ ନିର୍ଦ୍ଦିଷ୍ଟ ଫି' ନେବା ପରିବର୍ତ୍ତେ ଫିଲ୍ମର ଲାଭରେ ଭାଗୀଦାର ହୋଇପାରନ୍ତି।

ଫିଲ୍ମରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି ସାଇ ପଲ୍ଲବୀ। ନିଜର ଦମ୍ଦାର ଅଭିନୟ ଏବଂ ସରଳ ଜୀବନଶୈଳୀ ପାଇଁ ପରିଚିତ ସାଇ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ନିଭାଇଛନ୍ତି। ସେ ପ୍ରତିଟି ଭାଗ ପାଇଁ ପ୍ରାୟ ୬ କୋଟି ଟଙ୍କା ନେଇଛନ୍ତି । ଦୁଇଟି ଭାଗ ପାଇଁ ତାଙ୍କର ମୋଟ ପାରିଶ୍ରମିକ ୧୨ କୋଟି । ବଲିଉଡ୍ର ଆକ୍ସନ୍ ଷ୍ଟାର ସନ୍ନି ଦେଓଲ ଏହି ଫିଲ୍ମରେ ପବନପୁତ୍ର ହନୁମାନଙ୍କ ଭୂମିକାରେ ଅଭିନୟ କରିଛନ୍ତି । ସନ୍ନି ଦେଓଲ ପ୍ରତିଟି ଭାଗ ପାଇଁ ୨୦ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ଅର୍ଥାତ୍ ଦୁଇଟି ଭାଗ ପାଇଁ ତାଙ୍କର ମୋଟ ପାରିଶ୍ରମିକ ୪୦ କୋଟି ଟଙ୍କା । ଅଭିନେତା ରବି ଦୁବେ ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକାରେ ନଜର ଆସିବେ। ତାଙ୍କ ପାରିଶ୍ରମିକକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ତାଙ୍କ ପାରିଶ୍ରମିକ ୨ରୁ ୪ କୋଟି ଟଙ୍କା ମଧ୍ୟରେ ରହିବ ବୋଲି କୁହାଯାଉଥିଲା। ତେବେ ନଭେମ୍ବର ୫, ୨୦୨୬ରେ Business Todayର ଏକ ରିପୋର୍ଟରେ ତାଙ୍କୁ ଦୁଇଟି ଭାଗ ପାଇଁ ମୋଟ ୨୦ କୋଟି ଟଙ୍କା ମିଳିଛି ବୋଲି ଦାବି କରାଯାଇଛି। ଅର୍ଥାତ୍ ପ୍ରତିଟି ଭାଗ ପାଇଁ ୧୦ କୋଟି ଟଙ୍କା।

ମୁଖ୍ୟ କଳାକାରଙ୍କ ବ୍ୟତୀତ ଅନ୍ୟ କଳାକାରମାନେ ମଧ୍ୟ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ପାରିଶ୍ରମିକ ପାଇଥିବା ଚର୍ଚ୍ଚା ହେଉଛି। ଯେମିତି କି ରକୁଲ ପ୍ରୀତ ସିଂହ ଶୂର୍ପଣଖା ଚରିତ୍ର ପାଇଁ ପ୍ରାୟ ୧.୫ କୋଟି ଟଙ୍କା। କାଜଲ ଅଗ୍ରୱାଲ (ମନ୍ଦୋଦରୀ) ଚରିତ୍ର ପାଇଁ ପ୍ରାୟ ୧ କୋଟି ଟଙ୍କା। ରାଘବ ଜୁୟାଲ (ମେଘନାଦ) ଚରିତ୍ର ପାଇଁ ପ୍ରାୟ ୧ କୋଟି ଟଙ୍କା। କୁନାଲ କପୁର (ଇନ୍ଦ୍ର) ଚରିତ୍ର ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା। ଲାରା ଦତ୍ତା କୈକେୟୀ ଚରିତ୍ର ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା। ହେଲେ ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲଙ୍କ ପାରିଶ୍ରମିକ ସମ୍ପର୍କରେ କୌଣସି ସାର୍ବଜନୀନ ତଥ୍ୟ ଉପଲବ୍ଧ ନାହିଁ।

Also Read- Ravi Dubey in Ramayana: ରବି ଦୁବେଙ୍କ ସଫଳତା ଦେଖି ଭାବୁକ ହେଲେ ପତ୍ନୀ ସରଗୁନ, କହିଲେ-ଆମ ବନବାସ ଶେଷ ହେଲା....

ଏହି ଫିଲ୍ମକୁ ନେଇ ଆଉ ଏକ ଚର୍ଚ୍ଚିତ ଖବର ହେଉଛି ଅଭିନେତା ବିବେକ ଓବରୟଙ୍କ ନିଷ୍ପତ୍ତି। ସେ ଫିଲ୍ମରେ ବିଦ୍ୟୁତଜୀବାଙ୍କ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁସାରେ, ସେ ଏହି ଫିଲ୍ମରେ ଅଭିନୟ ପାଇଁ କୌଣସି ପାରିଶ୍ରମିକ ନେବେନି। ବରଂ ତାଙ୍କ ପାରିଶ୍ରମିକ ବାବଦରେ ମିଳିବାକୁ ଥିବା ଟଙ୍କା କର୍କଟ ରୋଗରେ ପୀଡ଼ିତ ଶିଶୁଙ୍କ ସହାୟତା ପାଇଁ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଏହି ସୂଚନା କେବଳ ମାତ୍ର ଏକ ରିପୋର୍ଟ ଉପରେ ଆଧାରିତ। ଫିଲ୍ମର ନିର୍ମାତା କିମ୍ବା ସମ୍ପୃକ୍ତ କଳାକାରଙ୍କ ପକ୍ଷରୁ ଏ ବିଷୟରେ ଆନୁଷ୍ଠାନିକ ପୁଷ୍ଟି କରାଯାଇନାହିଁ। ତେଣୁ ଏହି ଆକଳନକୁ ଚୂଡ଼ାନ୍ତ ପାରିଶ୍ରମିକ ବୋଲି ଧରିନେବା ଠିକ୍ ହେବ ନାହିଁ।