ଅଯୋଧ୍ୟା: ଅଯୋଧ୍ୟାସ୍ଥିତ ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ମିଳିଥିବା ଚାନ୍ଦା ହେରଫେର ମାମଲାରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି। ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ର ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ରାମ ଜନ୍ମିଭୂମି ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଶ୍ରୀ କୃଷ୍ଣ ମୋହନ ଅଭିଯୋଗ କରିଥିଲେ। ଏହାପରେ ଉତ୍ତର ପ୍ରଦେଶ ସରକାରଙ୍କର ନିର୍ଦ୍ଦେଶ କ୍ରମେ ମାମଲାରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୦୬, ୩୧୬(୫), ୩୧୭(୪), ୩୧୭(୫), ୬୧ ଏବଂ ୩(୫) ଧାରା ଲଗା ଯାଇଛି।

ମିଳିଥିବା ସୂତ୍ର ଅନୁସାରେ, ମନ୍ଦିର ଟ୍ରଷ୍ଟ ଏଫଆଇଆରରେ ୮ ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଅନେକ ଅଜଣା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଅଭିନାଶ ଶୁକ୍ଳା, ଅନୁକଲ୍ପ ମିଶ୍ର, ମନୀଷ ଯାଦବ, ରାମଶଙ୍କର ମିଶ୍ର, ରାମଶଙ୍କର ଯାଦବ ଓରଫ ଟିନୁ, ସୁଭାଷ ଚନ୍ଦ୍ର, କରୁଣେଶ ପାଣ୍ଡେ ଏବଂ ଆଉ ଜଣେ ଅଭିଯୁକ୍ତ ଅଛନ୍ତି ଯାହାଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଏଫଆଇଆରରେ ଉଦ୍ଦେଶ୍ୟମୂଳକ ଚୋରି, ଅଭ୍ୟାସଗତ ଚୋରି, ଚୋରିରେ ସହାୟତା ଏବଂ ଅପରାଧିକ ଷଡ଼ଯନ୍ତ୍ର ଅଧୀନରେ ସରକାରୀ କର୍ମଚାରୀ କିମ୍ବା ସଂସ୍ଥାଗତ କର୍ମଚାରୀଙ୍କ ଦ୍ୱାରା ଅପରାଧିକ ବିଶ୍ୱାସ ଭଙ୍ଗ ସମ୍ପର୍କିତ ଅଭିଯୋଗ ରହିଛି। ସମ୍ପତ୍ତି ଆତ୍ମସାତ, ଠକେଇ ଏବଂ ଅପରାଧିକ ଷଡ଼ଯନ୍ତ୍ର ସମ୍ପର୍କିତ ଧାରା ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି।ସମସ୍ତ ୮ ଜଣ ଅଭିଯୁକ୍ତଙ୍କଠାରୁ ଟଙ୍କା ଆଦାୟ କରାଯିବା ପରେ ସେମାନଙ୍କୁ ହେପାଜତକୁ ନିଆଯାଇଛି ବୋଲି ବୋଲି ସୂତ୍ରରୁ ସୂଚନା ମିଳିଛି।

ଚଳିତ ବର୍ଷ ଜୁନ୍ ୧୩ ତାରିଖରେ ରାମ ମନ୍ଦିରକୁ ମିଳୁଥିବା ଚାନ୍ଦାରେ ଅନିୟମିତତା ନେଇ ଆସିଥିବା ଅଭିଯୋଗ ପରେ, ଟ୍ରଷ୍ଟର ଅନୁରୋଧ କ୍ରମେ ଉତ୍ତର ପ୍ରଦେଶ ସରକାର SIT ଗଠନ କରିଥିଲେ। ପ୍ରସଙ୍ଗଟି ଜୁନ୍ ୭ ତାରିଖରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ମନ୍ତବ୍ୟ ପରେ ରାଜନୈତିକ ମୋଡ଼ ନେଇଥିଲା। ସେ ମନ୍ଦିର ଚାନ୍ଦାର କୋଟି କୋଟି ଟଙ୍କା ନିଖୋଜ ଥିବା ନେଇ ରିପୋର୍ଟର ଦ୍ୱାହି ଦେଇ ଅଦାଲତଙ୍କ ହସ୍ତକ୍ଷେପ ଲୋଡିଥିଲେ।

ଏହାର ଜବାବରେ ଉତ୍ତର ପ୍ରଦେଶ ମନ୍ତ୍ରୀ ସଞ୍ଜୟ କୁମାର ନିଶାଦ କହିଛନ୍ତି ଯେ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଏହି ବିବାଦରୁ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ରାମ ମନ୍ଦିର ଆନ୍ଦୋଳନ ସମୟରେ ଯେତେବେଳେ ଗୁଳିଚାଳନା ହୋଇଥିଲା ସେତେବେଳେ ସମାଜବାଦୀ ପାର୍ଟିର ସରକାର ଥିଲା। ଏହା ସାରା ବିଶ୍ୱ ଦେଖିଥିଲା ବୋଲି ବିଜେପି ନେତା କହିଛନ୍ତି।