କୋରାପୁଟ: ସାରା ରାଜ୍ୟରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହେଉଛି ପବିତ୍ର ରକ୍ଷାବନ୍ଧନ। ଗାଁରୁ ସହର ସବୁଠି ସ୍ନେହ ଆଉ ଭଲପାଇବାର ଡୋର ବନ୍ଧା ହେଉଥିବା ବେଳେ, ଏହି ଅବସରରେ କୋରାପୁଟ ମଣ୍ଡଳ କାରାଗାରରେ ଦେଖିବାକୁ ମିଳିଛି ଏକ ଅତ୍ୟନ୍ତ ଭାବବିହ୍ୱଳ ପରିବେଶ। ସ୍ନେହର ଏହି ବିଶେଷ ପର୍ବ ଆଗରେ ହାର୍ ମାନିଛି ଜେଲର କଠୋର ନିୟମ ଓ ଚାରିକାନ୍ଥ। କାରାଗାରର ସୀମା ମଧ୍ୟ ଭାଇ-ଭଉଣୀର ପବିତ୍ର ସମ୍ପର୍କ ଓ ସ୍ନେହକୁ ରୋକିବାରେ ଅସମର୍ଥ ହୋଇଛି।

ଜେଲ୍ ଝରକାରେ ବନ୍ଧାହେଲା ସୁରକ୍ଷାର ଡୋର

ରକ୍ଷାବନ୍ଧନ ଉପଲକ୍ଷେ ଜେଲରେ ଥିବା କଏଦୀ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଅନେକ ଭଉଣୀ କୋରାପୁଟ କାରାଗାରରେ ପହଞ୍ଚିଥିଲେ। ଜେଲର ଲୁହା ଝରକା ସେପାଖେ ଥିବା ଭାଇର କାବଜିରେ ରାକ୍ଷୀ ବାନ୍ଧିବା ସମୟରେ ଉଭୟ ଭାଇ ଓ ଭଉଣୀ ନିଜ ଲୁହକୁ ରୋକି ପାରିନଥିଲେ। ଭଉଣୀ ହାତରୁ ସ୍ନେହର ରାକ୍ଷୀ ପିନ୍ଧିବା ପରେ ଭାଇମାନେ ମଧ୍ୟ ଆଶୀର୍ବାଦ ଦେବା ସହ ଜୀବନସାରା ସୁରକ୍ଷା ଦେବାର ସଂକଳ୍ପ ନେଇଥିଲେ।

ଜେଲ୍ କର୍ତ୍ତୃପକ୍ଷଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା

ଏହି ପବିତ୍ର ଦିନରେ କୌଣସି ଭାଇ-ଭଉଣୀ ଯେପରି ସ୍ନେହର ଆଦାନପ୍ରଦାନରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ କୋରାପୁଟ ଜେଲ୍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁବିଧା କରାଯାଇଥିଲା। କଏଦୀମାନେ ଯେପରି ନିଜ ଆପଣାର ଲୋକଙ୍କୁ ଭେଟି ମନଖୁସିରେ ରକ୍ଷାବନ୍ଧନ ପାଳନ କରିପାରିବେ, ସେଥିପାଇଁ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଶ୍ରଦ୍ଧାର ଏହି ପର୍ବରେ କେବଳ ବାହାରୁ ଆସିଥିବା ଭଉଣୀ ନୁହନ୍ତି, ବରଂ କାରାଗାର ମଧ୍ୟରେ ଥିବା ମହିଳା କଏଦୀମାନେ ମଧ୍ୟ ପୁରୁଷ କଏଦୀଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ-ଭଉଣୀର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଜେଲ୍ ପ୍ରଶାସନର ଏହି ଆବେଗପୂର୍ଣ୍ଣ ଆଭିମୁଖ୍ୟ ଯୋଗୁଁ କାରାଗାର ପରିସରରେ ଏକ ଆଧ୍ୟାତ୍ମିକ ଓ ସ୍ନେହପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।