ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ମୁସ୍ତାକ ଖାନଙ୍କ ପ୍ରାର୍ଥନା ସଭାକୁ ଯାଇଥିଲେ ଅଭିନେତା ରାଜପାଲ ଯାଦବ। ହେଲେ ହଠାତ୍ ଜଣେ ମହିଳା ପାଟିକରି ଉଠିଲେ, ଆପଣଙ୍କୁ ଏଠୁ ବିଦା କରାଯିବ। ଆପଣ କାହିଁକି ଏମିତି କରୁଛନ୍ତି ? ବାସ ଏହାପରେ ରାଜପାଲ ଯାଦବ ହଠାତ୍ ଫେରି ଆସିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

ଏହି ଭିଡିଓକୁ ନେଇ ଏବେ ନାନା ପ୍ରକାର ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଲାଣି। କିଏ କହୁଛି ରାଜପାଲ ଯାଦବଙ୍କ ପ୍ରାର୍ଥନା ସଭାରୁ ତଡ଼ି ଦିଆଗଲା ? ତ ଆଉ କିଏ କହୁଛନ୍ତି ପରିବାର ଲୋକେ ତାଙ୍କୁ ବାହାରିଯିବାକୁ ବିରକ୍ତି ହୋଇ କହିବା ପରେ ରାଜପାଲ ସେଠାରୁ ଚାଲି ଆସିଲେ। ତେବେ ଏଭଳି ଖବର ପ୍ରଚାର ହେଉଥିବା ବେଳେ ସତ କିନ୍ତୁ ସମ୍ପୂର୍ଣ୍ଣ ଅଲଗା।

ମୁସ୍ତାକ ଖାନ କ୍ୟାନସରରେ ପୀଡ଼ିତ ହୋଇ ସେପ୍ଟେମ୍ବର ୨୪ ତାରିଖରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ପ୍ରାଣ ହରାଇଥିଲେ। ତାଙ୍କ ସ୍ମୃତିରେ ସେପ୍ଟେମ୍ବର ୩୦ରେ ଏକ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଏଥିରେ ରାଜପାଲ ଯାଦବଙ୍କ ସମେତ ପୁନମ ଢିଲୋନ, ରାହୁଲ ରୟ, ରାଖୀ ସାୱନ୍ତ, ସୁଲଭା ଆର୍ଯ୍ୟ ଓ ଶାହବାଜ ଖାନଙ୍କ ଭଳି ଅନେକ ଫିଲ୍ମ କଳାକାର ଯୋଗ ଦେଇଥିଲେ।

Also Read- ସିଲସିଲାର ସେହି କାହାଣୀ… ଯାହା ପରଦାଠୁ ବେଶି ଚର୍ଚ୍ଚା ସାଉଣ୍ଟି ଥିଲା !

ଭାଇରାଲ ଭିଡିଓରେ ରାଜପାଲ ଯାଦବ ମୁସ୍ତାକ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରକୁ ଭେଟିବା ପରେ ସେଠାରୁ ବାହାରୁଥିବା ଦେଖାଯାଉଛି। ବାହାରକୁ ଆସିବା ସମୟରେ ପାପାରାଜି ଓ ପ୍ରଶଂସକମାନେ ତାଙ୍କୁ ଘେରି ଫଟୋ ଏବଂ ସେଲ୍ଫି ନେବାକୁ ଅନୁରୋଧ କରୁଥିବା ଦେଖାଯାଉଛି। ଏହି ସମୟରେ ପ୍ରାର୍ଥନା ସଭାର ଗମ୍ଭୀର ପରିବେଶରେ ସେଲ୍ଫି ଓ ଫଟୋ ନେବା ଘଟଣାକୁ ନେଇ ଆପତ୍ତି କରିଥିଲେ ପରିବାର ଲୋକେ।

ରାଜପାଲଙ୍କୁ ବାହାରିଯିବାକୁ କୁହାଯାଇଥିଲା କି?

ଭାଇରାଲ ଭିଡିଓ ସହ ହେଉଥିବା ଦାବି ଅନୁସାରେ, ମୁସ୍ତାକ ଖାନଙ୍କ ପରିବାରର ଜଣେ ମହିଳା ସେଲ୍ଫି ନେବାକୁ ଅଟକାଇବା ସହ ରାଜପାଲ ଯାଦବଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। କିନ୍ତୁ ଭିଡିଓରେ ରାଜପାଲଙ୍କୁ ପ୍ରାର୍ଥନା ସଭାରୁ ଜୋରଜବରଦସ୍ତି ବାହାର କରାଯାଉଥିବା କିମ୍ବା ତାଙ୍କୁ ପରିବାର ପକ୍ଷରୁ ଅପମାନିତ କରାଯାଇଥିବାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ।

ଭିଡିଓରୁ ଯାହା ଦେଖାଯାଉଛି, ସେଥିରେ ପ୍ରାର୍ଥନା ସଭା ସ୍ଥଳରେ ଜଣେ ବ୍ୟକ୍ତି ଫଟୋ ଓ ସେଲ୍ଫି ନେଉଛନ୍ତି। ଏହାପରେ ଜଣେ ମହିଳା ତାଙ୍କ ଉପରେ ବିରକ୍ତି ହେଉଛନ୍ତି। ସେହି ସମୟରେ ମହିଳା ଜଣ ହିନ୍ଦୀରେ ଙ୍କ କହୁଛନ୍ତି “ଆପକୋ ଅବ ବାହାର ଭେଜା ଜୟେଗା | ହମ୍ନେ ସମଝାୟା ଆପକୋ, ଆପ୍ କ୍ୟୁଁ ଐସେ କର ରହେ ହୋ? ୟେ କୋଇ ଜାଗା ହୈ ସେଲଫି ଲେନି କି?” । ସେତେବେଳେ ରାଜପାଲ ନିଜେ ମୁସ୍ତାକ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇସାରିଥିଲେ। ସେ ରହିବା ଯୋଗୁ ସେଲ୍‌ଫି ପାଇଁ ଭିଡ଼ ଜମୁଛି। ତେଣୁ ସେ ପରିସ୍ଥିତିକୁ ବୁଝି ସେଠାରୁ ଚାଲିଯାଇଥିବା ଦେଖାଯାଉଛି।

ତେଣୁ ତାଙ୍କୁ ଯେ ପ୍ରର୍ଥନା ସଭାରୁ ବିଦା କରାଯାଇଥିଲା ଏହା ସମ୍ପୂର୍ଣ୍ଣ ମିଛ। କାରଣ ଭିଡିଓରେ ରାଜପାଲଙ୍କୁ ବଳପୂର୍ବକ ବାହାର କରାଯାଇଥିବା ଦୃଶ୍ୟ ନାହିଁ। ବରଂ ଏକ ଶୋକାକୁଳ ଓ ଗମ୍ଭୀର ପରିବେଶରେ ପାପାରାଜି ଓ ପ୍ରଶଂସକଙ୍କ ସେଲ୍ଫି ନେବାକୁ ନେଇ ଦିବଙ୍ଗତ ଅଭିନେତାଙ୍କ ପରିବାର ଲୋକେ ଅଶନ୍ତୋଷ ପ୍ରକାଶ କରୁଥିବାର ଦେଖାଯାଉଛି।