ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର.ସନ୍ଥଗୋପାଳନଙ୍କ ଭିଆରଏସକୁ ଆବେଦନକୁ ନେଇ ତେଜିଲା ରାଜନୀତି । ଚାକିରି ଆହୁରି ୨୨ ମାସ ବାକି ଥିବାବେଳେ ହଠାତ୍ କାହିଁକି ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥଗୋପାଳନ୍ ? ଏହା ଏକ ସ୍ବାଭାବିକ ପ୍ରକ୍ରିୟା ନା’ ୟା’ ପଛରେ ରହିଛି କୌଣସି ରାଜନୈତିକ ଚାପ ? ବିରୋଧୀଙ୍କ ଭିତରେ ଏବେ ଏମିତି ଅନେକ ପ୍ରଶ୍ନ, ଅନେକ ସନ୍ଦେହ ଉଙ୍କି ମାରିଛି । ଏହାକୁ ନେଇ ସେମାନେ ଏବେ ସିଧା ଶାସକ ଦଳକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି ।

ଯେତେବେଳେ ସାରା ଦେଶରେ SIRକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ଠିକ୍ ସେତିକି ବେଳେ ଓଡ଼ିଶାରେ SIR ପ୍ରକ୍ରିୟା ସରିବାର ମାତ୍ର କିଛି ଦିନ ଭିତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନଙ୍କ VRS ଆବେଦନକୁ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ । ବିଜେଡି କହିଛି, କିଛି ତ ଗଡ଼ବଡ଼ ଅଛି । ବିଜେପି ସରକାର ଅଫିସରଙ୍କ ଉପରେ ଚାପ ପକାଇବା ଦ୍ବାରା ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ଭାରତରେ ଯେତେବେଳେ ନିର୍ବାଚନ କମିଶନଙ୍କ ସ୍ବଚ୍ଛତାକୁ ନେଇ ସଂଦେହ ସୃଷ୍ଟି ହୋଇଛି , ଠିକ୍ ସେହି ସମୟରେ ରାଜ୍ୟରେ CEOଙ୍କ VRS ଆବେଦନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଂଗ୍ରେସ କହିଛି, SIR ମହାବିଭ୍ରାଟ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସନ୍ଥ ଗୋପାଳନଙ୍କ ଭଳି ଜଣେ ସଚ୍ଚୋଟ, ଜ୍ଞାନୀ ଅଫିସର ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ଅନେକ ସନ୍ଦେହ ସୃଷ୍ଟି କରିଛି । ବିରୋଧୀଙ୍କୁ ଜବାବ୍ ଦେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କିଏ ସ୍ବେଚ୍ଛାକୃତ ଅବସର ନେବେ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ଏଥିରେ ସରକାରଙ୍କର କୌଣସି ଭୂମିକା ନାହିଁ । ଏହାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ।

Also Read: ଓଡ଼ିଶାର ସିଇଓଙ୍କ ଇସ୍ତଫାକୁ ନେଇ ପୂର୍ବତନ ମୁଖ୍ୟ ସଚିବଙ୍କ ବଡ଼ ବୟାନ, କହିଲେ..

୨୦୦୧ ବ୍ୟାଚର ବରିଷ୍ଠ IAS ତଥା ଓଡ଼ିଶାର CEO ଆର୍. ସନ୍ଥଗୋପାଳନ ୨୦୨୮ ଜୁଲାଇରେ ଚାକିରିରୁ ଅବସର ନେଇଥାନ୍ତେ । କିନ୍ତୁ ଏହାର ୨୨ମାସ ପୂର୍ବରୁ ହଠାତ୍ ତାଙ୍କ VRS ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି । ସାରା ଦେଶରେ SIR ଝଡ଼ ଭିତରେ ଗୋପାଳନଙ୍କ ଏଭଳି ଆଭିମୁଖ୍ୟ ରାଜନୀତି ନିଆଁରେ ଘିଅ ଢ଼ାଳିଛି । ସେପଟେ ପୂର୍ବତନ ମୁଖ୍ୟ ଶାସନ ସଚିବ କହିଛନ୍ତି, ଯେହେତୁ ଗୋପାଳନ ହେଉଛନ୍ତି ଚିଫ୍ ଇଲୋକ୍ଟୋରାଲ ଅଫିସର ତେଣୁ ତାଙ୍କ ଉପରେ କୌଣସି ରାଜନୈତି ଚାପ ନଥାଏ, କେବଳ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆର ଚାପ ଥାଏ । SIRରେ ଯାହା ବି ସଂଦେହ ରହିଛି ତାହା ଦୂର ହେବା ଦରକାର। କିନ୍ତୁ ଏହାକୁ ନେଇ ଯେ, CEO ଗୋପାଳନ୍ ନିଜ ପଦବୀ ଛାଡ଼ିବାକୁ ଯାଉଛନ୍ତି ସେକଥା ଭାବିବା ଠିକ୍ ନୁହେଁ ।

ସୂଚନାଥାଉକି, ଓଡ଼ିଶାରେ SIR ପ୍ରକ୍ରିୟା ସରିଛି, ଭୋଟର ତାଲିକା ମଧ୍ୟ ପ୍ରକାଶ ପାଇସାରିଛି । ଆଉ ଏସବୁ ପରେ ଯେତେବେଳେ CEO ଗୋପାଳନ ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଛନ୍ତି ତାହେଲେ ଏହା ପଛର କିଛି ସଂଦେହ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।