ନୂଆଦିଲ୍ଲୀ: ଇସ୍ରାଏଲ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛାର ଦେଖାଇଥିବା ସାହସକୁ ସାରା ଦୁନିଆ ପ୍ରଶଂସା କରାଯାଉଛି । ଓମାନୀ କୋ-ପାଇଲଟଙ୍କ ଦ୍ୱାରା ଆକ୍ରମଣର ଶିକାର ହେବା ପରେ ବି ନିଜ ସାହସ ବଳରେ ୧୮୦ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ ସ୍ମତ୍ । ଏବେ ତାଙ୍କ ସାହସିକତାର ପ୍ରସଙ୍ଗ ରାଜନୈତିକ ବୟାନବାଜିର ମୁଦ୍ଦା ପାଲଟିଛି । ବିଜେପି ମୁଖପାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏହି ପ୍ରସଙ୍ଗରେ ଘେରିଛନ୍ତି । ପ୍ରଶ୍ନ ଉଠାଇଛନ୍ତି ଯେ, ଯେଉଁ ଭାରତୀୟ ପାଇଲଟଙ୍କ ସାହସକୁ ସାରା ଦୁନିଆ ପ୍ରଶଂସା କରୁଛି, ତାଙ୍କ ଉପରେ ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ନୀରବ କାହିଁକି ? ବିଜେପି କହିଛି ଯେ ରାହୁଲଙ୍କର ଏପର୍ଯ୍ୟନ୍ତ ଚୁପ୍ ରହିବା ପଛରେ ତାଙ୍କର ନିଜସ୍ୱ କାରଣ ଥାଇପାରେ, କିନ୍ତୁ ଭାରତୀୟମାନଙ୍କ ପ୍ରଶଂସା କରିବା ତାଙ୍କ ଅଭ୍ୟାସରେ ନାହିଁ ।

ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ରାହୁଲଙ୍କୁ କଟାକ୍ଷ କରି କହିଛନ୍ତି ଯେ ଅନେକ ଘଣ୍ଟା ବିତିଗଲାଣି ଏବଂ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ତାଙ୍କର ଅସାଧାରଣ ସାହସିକତା ପାଇଁ ସାରା ଦୁନିଆରୁ ପ୍ରଶଂସା ମିଳୁଛି । ଭଣ୍ଡାରୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, "ଏହା ସତ୍ତ୍ୱେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ଚୁପ୍ ଅଛନ୍ତି ।"

 

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ସମ୍ବିତ ପାତ୍ର

ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେଇ ସାଂସଦ ସମ୍ବିତ୍ ପାତ୍ର କହିଛନ୍ତି, "ପ୍ରତ୍ୟେକ ଭାରତୀୟ ସ୍ମିତଙ୍କ ସାହସକୁ ପ୍ରଶଂସା କରିଛନ୍ତି, ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ତାଙ୍କ ସାହସିକତା ପାଇଁ କୃତଜ୍ଞତା ଜଣାଇଛନ୍ତି । ରାହୁଲ ଗାନ୍ଧୀ ସ୍ମିତଙ୍କ ବିଷୟରେ କୌଣସି ଟ୍ୱିଟ୍ କାହିଁକି କଲେ ନାହିଁ, ତାହା କେବଳ ସେହି କହିପାରିବେ । ମୁଁ ଏହାକୁ ରାଜନୈତିକ ରଙ୍ଗ ଦେବାକୁ ଚାହୁଁନାହିଁ ।" ସମ୍ୱିତ୍ ପାତ୍ର କହିଛନ୍ତି ଯେ ରାହୁଲଙ୍କର ଏପର୍ଯ୍ୟନ୍ତ ଚୁପ୍ ରହିବା ପଛରେ ତାଙ୍କର ନିଜସ୍ୱ କାରଣ ଥାଇପାରେ ।

ସେ ଆହୁରି କହିଛନ୍ତି, "ରାହୁଲ ଯାହା ବି କରନ୍ତି କିମ୍ବା କରନ୍ତି ନାହିଁ, ତାହା ପଛରେ କିଛି ନା କିଛି କାରଣ ଥାଏ । ତୁଷ୍ଟୀକରଣ ମଧ୍ୟ ଏହାର ଗୋଟିଏ କାରଣ । କିନ୍ତୁ ମୁଁ ଏହି ମୁଦ୍ଦା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହିଁବି ନାହିଁ।" ପାତ୍ର କହିଛନ୍ତି, "ରାହୁଲ ଗାନ୍ଧୀ କେଉଁଠି ଅଛନ୍ତି ? ମୁଁ ଜାଣିନାହିଁ ସେ ବିଦେଶ ଯାଇଛନ୍ତି କି ନାହିଁ । ଯଦି ସେ ଏହି ଟାଇମ୍ ଜୋନ୍ରେ ଅଛନ୍ତି, ତେବେ ଏକ୍ସରେ ପୋଷ୍ଟ କରିବେ । ଅପେକ୍ଷା କରିବା, ହୋଇପାରେ ସେ ସନ୍ଧ୍ୟା ସୁଦ୍ଧା ଟ୍ୱିଟ୍ କରିପାରନ୍ତି ।"

'ଭାରତୀୟମାନଙ୍କ ପ୍ରଶଂସା କରିବା ରାହୁଲ ଗାନ୍ଧୀଙ୍କ ଅଭ୍ୟାସରେ ନାହିଁ'

ବିଜେପି ମୁଖପାତ୍ର କହିଛନ୍ତି ଯେ ରାହୁଲ ଅନେକ ଥର ଅଭିଯୋଗ କରିଛନ୍ତି ଯେ ଭାରତ ପ୍ରତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ଅନ୍ୟ ସଂଗଠନଗୁଡ଼ିକରୁ ବିପଦ ରହିଛି । ସେ କହିଛନ୍ତି, "ଭାରତ ବିଷୟରେ ଖରାପ କହିବା ରାହୁଲ ଗାନ୍ଧୀଙ୍କ ସ୍ୱଭାବରେ ଅଛି, କିନ୍ତୁ ଭାରତୀୟମାନଙ୍କ ପ୍ରଶଂସା କରିବା ତାଙ୍କ ଅଭ୍ୟାସରେ ନାହିଁ ।" ସମ୍ୱିତ୍ ପାତ୍ର ଅଭିଯୋଗ କରିଛନ୍ତି ଯେ ରାହୁଲ ଭାରତୀୟ ସଶସ୍ତ୍ର ବାହିନୀ ଏବଂ ସୈନିକମାନଙ୍କ ଉପରେ କ୍ରମାଗତ ଭାବେ ପ୍ରଶ୍ନ ଉଠାଉଛନ୍ତି ଏବଂ ସେମାନଙ୍କ ସଫଳତାର ପ୍ରମାଣ ମାଗୁଛନ୍ତି । ସେ କହିଛନ୍ତି, "ରାହୁଲ ଗାନ୍ଧୀ DGMO (ମିଲିଟାରୀ ଅପରେସନ୍ସ ମହାନିର୍ଦ୍ଦେଶକ)ଙ୍କୁ ମଧ୍ୟ ମିଛୁଆ କହିଥିଲେ । ମୁଁ ଭାବୁନାହିଁ ଯେ ଆମେ ତାଙ୍କଠାରୁ ଅଧିକ ଆଶା କରିବା ଉଚିତ୍ । "