Rajiv Gandhi Case Convict Turns Lawyer: ପେରାରିବାଲାନ ଦୀର୍ଘ ୩୧ ବର୍ଷ ଜେଲରେ ରହିବା ପରେ ଏବେ ଆରମ୍ଭ କରିଛନ୍ତି ଓକିଲାତି । ୨୦୨୫ ରେ ଅଲ ଇଣ୍ଡିଆ ବାର ଏଗ୍ଜାମିନେସନ ପାସ୍ କରି ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଛନ୍ତି । ଦେଶର ବହୁ ଚର୍ଚ୍ଚିତ ଏବଂ ଆଲୋଡିତ ରାଜୀବ ଗାନ୍ଧି ହତ୍ୟାମାମଲାରେ ସେ ଅନ୍ୟତମ ଦୋଷୀ । ଏପରିକି ଦୋଷୀ ସାବ୍ୟସ୍ତ ହୋଇ, ଦଣ୍ଡା ଦେଶ ପରେ ବି ସେ ପାଠ ପଢିବାର ସ୍ବପ୍ନକୁ ଛାଡି ନଥିଲେ ସେ । ଜେଲ୍ରେ ଥାଇ ଏକାଧିକ ଡିପ୍ଲୋମା ଏବଂ ଡିଗ୍ରା କରିଥିବା ପେରାରିବାଲାନ ପାଠରେ ସ୍ବର୍ଣ୍ଣ ପଦକ ବି ଜିତିଛନ୍ତି ।ଜେଲ୍ରେ ଯୌବନକୁ ସାରି ଦେଇଥିବା ପେରାରିବାଲାନଙ୍କ ଲକ୍ଷ୍ୟ ଏବେ ଭିନ୍ନ । ଜାଣନ୍ତି ସେ କିପରି ଠିକ୍ କରିନେଇଛନ୍ତି ତାଙ୍କ ଓକିଲାତି ପେଷାର ତରିକା ଓ ଲକ୍ଷ୍ୟ ? 

କେବେ ,କିପରି କାହାର ଜୀବନର ଗତି ବଦଳିଯାଏ ତାହା କେହି ବି କହିପାରିବନି । ଆକଲନ କିମ୍ବା ଅନୁମାନ କରିବା ବି କଷ୍ଟକର । ସେହିଭଳି ଆଉ ଏକ ଉଦାହରଣ ଏ ଜି ପେରାରିବାଲାନ । ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ଦଣ୍ଡିତ ସେ । ଆଉ ଏବେ ସେ ପୁଣିଥରେ ଚର୍ଚ୍ଚିତ ।

Also Read: ‘ସିଙ୍ଘମ’ଙ୍କୁ ନେଇ ସୁପ୍ରିମକୋର୍ଟରେ PIL, ଅଜୟ ପାଲ ଶର୍ମାଙ୍କୁ ହଟାଇବାକୁ ଦାବି

ମୁକ୍ତି ,ବନ୍ଦୀ ଜୀବନରୁ ମୁକ୍ତି, ଅର୍ଥର ଅର୍ଥ ଜେଲ୍ରୁ ବାହାରି ବାହାର ଦୁନିଆରେ ପାଦ ଥାପିବା । ନା ସେ ବୁଝିଥିଲେ ଆଉ ଏକ ନୂଆ ଆରମ୍ଭ । ଦୀର୍ଘ ବନ୍ଦୀ ଜୀବନରେ ବି ସେ ଦେଖିଥିଲେ ସ୍ବପ୍ନ, କରୁଥିଲେ ପ୍ରସ୍ତୁତି ଏକ ସକରାତ୍ମକ ଏବଂ ସମାଜ ପାଇଁ ହିତର କଥା । କୁହାଯାଇ ବି ପାରେ ନିଜ ଛବିକୁ ବଦଳାଇବାର ସ୍ବପ୍ନ । ସେ ହେଉଛନ୍ତି ଏ ଜି ପେରାରିବାଲାନ । ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦେଷୀ ସାବ୍ୟସ୍ତ ହୋଇ ଦୀର୍ଘ ତିନି ଦଶନ୍ଧି ଧରି ଜେଲ୍ରେ ଥିବା ପେରାରିବାଲାନ ଏବେ ତାମିଲନାଡୁର କୋର୍ଟରେ ଏକ ନୂଆ ଭୂମିକାରେ ଏବଂ ନୂଆ ଅଧ୍ୟାୟର ଆରମ୍ଭ କରିଛନ୍ତି । ୨୦୨୨ ମସିହାରେ କ୍ଷମା ପାଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କୋର୍ଟରୁ ବାହାରିଥିବା ପେରାରିବାଲାନ ବେଙ୍ଗାଲୁର ସ୍ଥିତ ଡକ୍ଟର ବି ଆର ଆମ୍ବେଦକର ଆଇନ ମହାବିଦ୍ୟାଳୟରେ କିଚନ୍ତି ଆଇନ ରେ ଡିଗ୍ରୀ । ୨୦୨୫ ରେ ଅଲ୍ ଇଣ୍ଡିଆ ବାର୍ ଏଗ୍ଜାମିନେସନ କ୍ଲିୟର କରି ସେ ଏବେ ଜଣେ ଆଇନଜୀବି ।

ବିସ୍ମୟ ବି ପ୍ରଶଂସନୀୟ ବି । ଯେଉଁ ଆଇନ ବ୍ୟବସ୍ଥାରେ ପେରାରିବାଲାନ ତାଙ୍କ ଜୀବନର ୩୧ ବର୍ଷ ଜଣେ ଅଭିଯୁକ୍ତ ଏବଂ ଦୋଷୀ ଭାବେ ଦଣ୍ଡିତ ଜୀବନ ବିତାଇଲେ ଏବେ ସେହି ବ୍ୟବସ୍ଥାରେ ଜଣେ ଓକିଲ ଭାବେ ମାଡ୍ରାସ ହାଇକୋର୍ଟରେ ଆରମ୍ଭ କରିବେ ପେଷା । ୫୪ ବର୍ଷୀୟ ଏ ଜି ପେରାରିବାଲାନ କଳା କୋର୍ଟ ପିନ୍ଧି କରିବେ ଜବାବ ସୁଆଲ । ସେଥିଲାଗି ସେ ୨୯ ତାରିଖ , ସୋମବାର ଦିନ ଆଇନ ଡିଗ୍ରୀ ପରେ ସେ ତାମିଲନାଡୁ ଓ ପୁଡୁଚେରୀ ବାର ଆସୋସିଏସନ୍ର ସଦସ୍ୟତା ବି ଗ୍ରହଣ କରିଛନ୍ତି ।

Also Read: ହନିମୁନ୍ ବେଳେ ସ୍ୱାମୀଙ୍କୁ ହତ୍ୟା ମାମଲା, ପୋଲିସର ବଡ଼ ଭୁଲ୍ ଯୋଗୁଁ ମୁଖ୍ୟ ଅଭିଯୁକ୍ତ ପତ୍ନୀଙ୍କୁ ମିଳିଲା ଜାମିନ

୧୯୯୧ ମସିହାରୁ ଜେଲ୍ ଜୀବନ , ଦୀର୍ଘ ୩୧ ବର୍ଷ । ତେବେ ସେହି ବନ୍ଦୀ ଜୀବନରେ ପେରାରିବାଲାନ ତାଙ୍କ ଜୀବନର ଏକ ଆଲୋକିତ ଦିଗକୁ ଯିବାର ନେଇଥିଲେ ନିଷ୍ପତ୍ତି । ଆଉ ଏବେ ତାହାକୁ କାର୍ଯ୍ୟକାରୀ କରିବାକୁ ସେ ସ୍ଥିର କରିନେଇଛନ୍ତି ।ଏବେ ସେ ସେହି ମାନଙ୍କ ପାଇଁ କେଶ୍ ଲଢିବେ, ଯେଉଁମାନେ ପୀଡିତ । ଯେଉଁମାନେ ଭୁଲ୍ଭାବେ ଜେଲ୍ରେ ଅଟକ , ବା ଦୋଷ ନଥାଇ ଜେଲ୍ରେ ବିନା ବିଚାରରେ ଅଟକ ରହିଛନ୍ତି , ଯେଉଁ ମାନଙ୍କ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଛି ଏବଂ ବିଚାରାଧିନ ବନ୍ଦୀ ଭାବେ ସେ ଜେଲ୍ରେ ସଢିବାକୁ ବାଧ୍ୟ ହେଉଛନ୍ତି । ନିଜର ତିକ୍ତ ଅଭିଜ୍ଞତା, କଷ୍ଟରୁ ଅନ୍ୟ ପୀଡିତଙ୍କ ଲାଗି ଲଢିବାର ନିଷ୍ପତ୍ତି ନେଇଛନ୍ତି ପେରାରିବାଲାନ । ଆଇନ ବ୍ୟବସ୍ଥାରେ ଥିବା ତୃଟିକୁ ମୁକାବିଲା କରିବାକୁ ସେ ଚାହାନ୍ତି। ଠିକ୍ ଭାବେ ଆଇନଗତ ସହାୟତା ପାଉନଥିବା ଜଣେ ବନ୍ଦୀକୁ ସାହାଯ୍ୟ କରିବା ତାଙ୍କ ଲକ୍ଷ୍ୟ ବୋଲି କୁହନ୍ତି ପେରାରିବାଲାନ ।

ଣ ସେ କାହାଣୀ,କିପରି ୩୧ ବର୍ଷ ପରେ ମୁକ୍ତ ହେଲେ ପେରାରିବାଲାନ?

୧୯୯୧ ମସିହା ମେ ମାସ ୨୧ ତାରିଖ , ସାରା ଦେଶକୁ ଥରାଇ ଦେଇଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା । ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ନିର୍ବାଚନ ରାଲିରେ ତାଙ୍କୁ ହତ୍ୟା କରିଥିଲେ ସିଂହଳୀ ତାମିଲ ଆତଙ୍କବାଦୀ ସଂଗଠନ ଏଲଟିଟିଇର ଆତ୍ମଘାତି ସଦସ୍ୟ । ରାଜୀବଙ୍କ ସହ ଅନ୍ୟ ୧୪ ଜଣଙ୍କ ମୃତ୍ୟ ସାରା ଦେଶକୁ ହତଚକିତ କରିଦେଇଥିଲା । ସେତେବେଳେ ମାତ୍ର ୧୯ ବର୍ଷର ହୋଇଥିବା ଏଜି ପେରାରିବାଲାନ୍ଙ୍କୁ ରାଜୀବ ଗାନ୍ଧି ହତ୍ୟା ଷଡୟନ୍ତ୍ରରେ ସଂପୃକ୍ତି ଅଭିଯୋଗରେ ଗିରଫ କରାଯାଇଥିଲା । ପେରାରିବାଲାନ ବିରୋଧରେ ଅଭିଯୋଗ ଥିଲା ସେ ଏକ ୯ ଭୋଲ୍ଟ ବ୍ୟାଟେରି କିଣିଥିଲେ ଏବଂ ତାହାକୁ ରାଜୀବ ହତ୍ୟାଷଡୟନ୍ତ୍ରରେ ଲିପ୍ତ ବ୍ୟକ୍ତିଙ୍କୁ ବିକିଥିଲେ । ସେହି ବ୍ୟାଟେରିଟି ଡିଟୋନେଟରରେ ବ୍ୟବହାର କରାୟାଇଥିଲା , ଯାହାର ବିସ୍ଫୋରଣରେ ଶ୍ରୀପେରୁମ୍ବୁଦୁରରେ ଘଟିଥିଲା ଭୟାନକ ହତ୍ୟା ବିଭୀଷିକା । ସିବିଆଇ ଟିମ୍ ଏହି ସୂଚନା ଭିତ୍ତିରେ ପେରାରିବାଲାନ୍ଙ୍କୁ ତାଙ୍କ ଘରୁ ଡାକି ନେଇଥିଲା । ତଦନ୍ତ ଏବଂ ପଚରାଉଚରା ପାଇଁ । କିନ୍ତୁ ସେ ଘରକୁ ଫେରି ନଥିଲେ କିମ୍ବା ୫୯ ଦିନ ଯାଏଁ ତାଙ୍କ ପରିବାର ତାଙ୍କର ଖୋଜ ଖବର ପାଇ ନଥିଲେ ।

Also Read: ​​​​​​​IPS ଅଜୟ ପାଲ୍ ଶର୍ମାଙ୍କ ଚେତାବନୀ ପରେ ଚିହଁକି ଉଠିଲେ ଟିଏମସି ନେତା ଜାହାଙ୍ଗୀର ଖାନ

ଏପଟେ ତଦନ୍ତ ବେଳେ ବ୍ୟାଟେରି ବିକ୍ରେତା ଦୋକାନୀ ମଧ୍ୟ ସାକ୍ଷ୍ୟ ଦେଇଥିଲେ ଯେ, ପେର୍ରାରିବାଲାନ ହିଁ ତାଙ୍କ ଦୋକାନରୁ ବ୍ୟାଟେରିଟିକୁ କିଣିଥିଲେ । ସିବିଆଇ ଆଉ ପେରାରିବାଲାନ୍ଙ୍କୁ ଛାଡି ନଥିଲା । ଏପରିକି ତାଙ୍କ ମାଆଙ୍କୁ ବି ସାକ୍ଷାତ ଅନୁମତି ଦେଇନଥିଲା । ପରେ ଏହି ମାମଲାରେ ପେରାରିବାଲାନ୍ଙ୍କ ବିରୋଧରେ ଟେରରିଷ୍ଟ ଆଣ୍ଡ ଡିସରପଟିଭ୍ ଆକ୍ଟିଭିଟିଜ୍ ପ୍ରିଭେନସନ ଆକ୍ଟ ବା ଟାଡା ଆଇନ୍ରେ ମାମଲା ରୁଜ୍ଜୁ ହେଲା । ୧୯୯୮ରେ ଟାଡା କୋର୍ଟ ପେରାରିବାଲାନଙ୍କ ସମେତ ଆଉ କିଛି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ଘୋଷଣା କଲେ । ପ୍ରଥମେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହେଲା । ୧୯୯୯ରେ ମଧ୍ୟ ସୁପ୍ରିମକେର୍ଟରେ ଟାଡା କୋର୍ଟଙ୍କ ନିର୍ଦ୍ଦେଶ କାଏମ୍ ରହିଲା ।

କିନ୍ତୁ ପେରାରିବାଲାନଙ୍କୁ କ୍ଷମା ଯାଚିକା ଶୁଣାଣିରେ ବିଳମ୍ବ ତାଙ୍କ ପାଇଁ ଆଶୀର୍ବାଦ ହେଲା । ଭାରତ ସରକାର କ୍ଷମା ଯାଚିକା ଶୁଣାଣିରେ ୧୧ ବର୍ଷ ବିଳମ୍ବ କରିବା କାରଣରୁ ସୁପ୍ରିମ କୋର୍ଟ ପେରାରିବାଲାନଙ୍କ ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଦେଲେ । ତେବେ ଦୀର୍ଘ ଆଇନଗତ ଲଢେଇ ସତ୍ତ୍ବେ ପେରାରିବାଲାନଙ୍କ ପରିବାର ଆଶା ଛାଡି ନଥିଲେ । ଶେଷରେ ମିଳିଲା କ୍ଷମା । ୨୦୨୨ ମସିହା ମେ ମାସ ୧୮ ତାରିଖରେ ପେରାରିବାଲାନଙ୍କୁ ମୁକ୍ତି ଲାଗି ନିର୍ଦ୍ଦେଶଦେଲେ ସୁପ୍ରିମକୋର୍ଟ । ଧାରା ୧୪୨ ଅଧିନରେ ସର୍ବୋଚ୍ଚ ଅଦାଲତ ତାଙ୍କ କ୍ଷମତାର ଉପଯୋଗ କରି ୩୧ ବର୍ଷ ଜେଲରେ କଟାଇଥିବା ପେରାରିବାଲାନଙ୍କୁ ମୁକ୍ତ କରିବାକୁ ଏହି ନିର୍ଦ୍ଦେଶ ଦେଲେ ।

ଜେଲ୍ରୁ ମୁକ୍ତି ପରେ କିପରି ଓକିଲ ହୋଇଗଲେ ପେରାରିବାଲାନ୍?

୧୯ ବର୍, ବୟସରେ ଜଣେ ଛାତ୍ର ଥିବା ପେରାରିବାଲାନ୍ ଜେଲ୍ ଜୀବନ ସତ୍ତ୍ବେ ପାଠ ପଢା ପ୍ରତି ତାଙ୍କ ଭଲପାଇବାରୁ ନିବୃତ୍ତ ହୋଇ ନଥିଲେ । ସେ ଜେଲ୍ରେ ପାଠ ପଢିବା ଜାରି ରଖିଲେ । ତାମିଲ ନାଡୁ ଓପନ୍ ଯୁନିଭରସିଟିରେ ନାମ ଲେଖାଇ କଲେ ଡିପ୍ଲୋମା । ଆଉ ସେଥିରେ ଟପ୍ କରି ପାଇଲେ ସ୍ବର୍ଣ୍ଣ ପଦକ । ଯୁକ୍ତ ଦୁଇ ପରୀକ୍ଷାରେ ବି ପେରାରିବାଲାନ୍ ତାଙ୍କ ମେଧାର ପ୍ରମାଣ ଦେଇଥିଲେ । ମୋଟ ୧୨୦୦ ନମ୍ବରରୁ ରଖିଥିଲେ ୧୦୯୬ ନମ୍ବର । କଏଦୀ ମାନଙ୍କ ଭିତରେ ପ୍ରଥମ ହେବାର ରେକର୍ଡ ।

ସେଣ୍ଟ୍ରାଲ ପ୍ରିଜିନ୍ରେ ଥିବା ସମୟରେ ପେରାରିବାଲାନ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ବ ବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରୁ ସେ କମ୍ପ୍ୟୁଟର ଆପ୍ଲିକେସନ୍ରେ ସ୍ନାତ୍ତକ ଏବଂ ସ୍ନାତ୍ତୋକତ୍ତର ଡିଗ୍ରୀ କରିଥିଲେ । ଏହା ସହ ୭ ଟି ବିଷୟରେ ବି ଡିପ୍ଲୋମା କୋର୍ସ ସାରିଦେଇଥିଲେ । ଏପରିକି ମୃତ୍ୟୁ ଦଣ୍ଡାଦେଶ ସତ୍ତ୍ବେ ସେ ପାଠ ଛାଡି ନଥିଲେ ।

୨୦୨୨ରେ ଜେଲ୍ରୁ ବାହାରିବା ପରେ ବେଙ୍ଗାଲୁର ସ୍ଥିତ ଡକ୍ଟର ବି ଆର ଆମ୍ବେଦକର ଲ’ କଲେଜ୍ରେ ନାମ ଲେଖାଇଲେ ପେରାରିବାଲାନ । ଏହା ପରେ ୨୦୨୫ ରେ ସେ ଅଲ ଇଣ୍ଡିଆ ବାର ଏଗଜାମିନେସନ ବି ପାସ୍ କଲେ । ଏହା ସହ ଓକିଲାତି କରିବା ପାଇଁ ଲାଇସେନ୍ସ ମିଳିଗଲା ତାଙ୍କୁ । ଏବେ ମାଡ୍ରାସ୍ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିବା ଏଜି ପେରାରିବାଲାନ ଆଗକୁ ସେମାନଙ୍କ ପାଇଁ କେଶ୍ ଲଢିବେ , ଯେଉଁମାନେ ଆଇନର ସଠିକ୍ ସହାୟତାରୁ ବଞ୍ଚିତ ।