କୋଲକାତା: ପଶ୍ଚିମବଙ୍ଗରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବୁଧବାର ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟରେ ବାତାବରଣ ଉଷ୍ମ ହେବାରେ ଲାଗିଛି । ଉତ୍ତର ପ୍ରଦେଶରୁ ବେଙ୍ଗଲରେ ନିୟୋଜିତ ହୋଇଥିବା ଆଇପିଏଏସ୍ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଇବା ଲାଗି ଏନକାଉଣ୍ଟର ସ୍ପେଶାଲିଷ୍ଟ ଅଜୟ ପାଲ ଶର୍ମାଙ୍କୁ ପୋଷ୍ଟିଂ ଦିଆଯାଇଛି । ସେପଟେ ଅଜୟ ପାଲ ଶର୍ମା ପଶ୍ଚିମବଙ୍ଗରେ ପହଞ୍ଚିବା ଖବର ଶୁଣିବା ପରଠାରୁ ପ୍ରମାଦ ଗଣୁଛନ୍ତି ଅପରାଧୀ । ଏହାରି ମଧ୍ୟରେ, ଅଜୟ ପାଲ ଶର୍ମାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ, ଟିଏମସି ନେତା ଜାହାଙ୍ଗୀର ଖାନଙ୍କୁ ଚେତାବନୀ ଦେଇଛନ୍ତି । ଜାହାଙ୍ଗୀର ଭୋଟରଙ୍କୁ ଭୟଭୀତ କରୁଥିବା ନେଇ ଅଭିଯୋଗ ହୋଇଥିଲା ।

ଏହା ପରେ ନିର୍ବାଚନ ଡ୍ୟୁଟି ପାଇଁ ପୋଲିସ ପର୍ଯ୍ୟବେକ୍ଷକ ଭାବରେ ନିୟୋଜିତ ଅଜୟ ପାଲ ଶର୍ମା ଜାହାଙ୍ଗୀର ରହୁଥିବା ଅଞ୍ଚଳକୁ ଯାଇ ଖୋଲାଖୋଲି ଚେତାବନୀ ଦେଇଥିଲେ । ସୁଧୁରିଯାଆ, ନଚେତ ସମସ୍ତଙ୍କ ହିସାବ ହେବ ବୋଲି କହିଥିଲେ ଦବଙ୍ଗ ଆଇପିଏସ୍ । ଜାହାଙ୍ଗୀ ଖାନ ଏହା ଜାଣିବା ପରେ, ପାଲଟା ଜବାବ ଦେଇଛନ୍ତି । ଜାହାଙ୍ଗୀ କହିଛନ୍ତି, ‘ଯଦି ସେ ସିଙ୍ଘମ, ମୁଁ ପୁଷ୍ପା । ମୁଁ ମୁଣ୍ଡ ନୁଆଁଇବି ନାହିଁ।’

ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ଜାହାଙ୍ଗୀର ଖାନ

ପଶ୍ଚିମବଙ୍ଗର ଫାଲତାର ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ କହିଛନ୍ତି, ‘ଆମେ ଜାଣୁ ନିର୍ବାଚନ କମିଶନ ନିରପେକ୍ଷ ଭାବରେ କାମ କରିବା ଉଚିତ, କିନ୍ତୁ ଏଠାରେ ଏହା ବିଜେପି ସପକ୍ଷରେ କାମ କରୁଛି। ଯଦି ପୋଲିସ ପର୍ଯ୍ୟବେକ୍ଷକଙ୍କୁ କୌଣସି ସୂଚନା ଆବଶ୍ୟକ ଥିଲା, ତେବେ ସେମାନେ ସ୍ଥାନୀୟ ଏସପିଙ୍କଠାରୁ ତାହା ପାଇପାରିଥାନ୍ତେ, କିନ୍ତୁ ତାହା କରିବା ପରିବର୍ତ୍ତେ ସେମାନେ ସିଧାସଳଖ ଚାପ ପ୍ରୟୋଗ କରିବାକୁ ଏବଂ ଧମକ ଦେବାକୁ ଚେଷ୍ଟା କରୁଛନ୍ତି। ଏହା କୌଣସି ଲାଭ ଦେବ ନାହିଁ।’

ଜାହାଙ୍ଗୀର ଖାନ କିଏ ?

ଜାହାଙ୍ଗୀର ଖାନ ଜଣେ ପ୍ରଭାବଶାଳୀ ତୃଣମୂଳ କଂଗ୍ରେସ ନେତା, ଯିଏ ବର୍ତ୍ତମାନ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଫାଲଟା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ଦକ୍ଷିଣ ୨୪ ପ୍ରଗଣା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ପୋଲିସ ପର୍ଯ୍ୟବେକ୍ଷକ ଏବଂ ଉତ୍ତର ପ୍ରଦେଶର ଜଣେ ପ୍ରସିଦ୍ଧ ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଜାହାଙ୍ଗୀର ଖାନ ଚର୍ଚ୍ଚାକୁ ଆସିଛନ୍ତି ।