ସିଲଂ: ମେଘାଳୟର ଚେରାପୁଞ୍ଜିରେ ହନିମୁନ୍ ସମୟରେ ସ୍ୱାମୀଙ୍କୁ ହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ମାମଲାରେ ମୁଖ୍ୟ ଅଭିଯୁକ୍ତ ପତ୍ନୀ ସୋନମ ରଘୁବଂଶୀଙ୍କୁ ଜାମିନ ପ୍ରଦାନ କରାଯାଇଛି। ସିଲଂର ଏକ ଅଦାଲତ ପୋଲିସର ଗିରଫ ପ୍ରକ୍ରିୟାରେ ଥିବା ତ୍ରୁଟିକୁ ଆଧାର କରି ଅଭିଯୁକ୍ତଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ପୋଲିସ ସୋନମଙ୍କୁ ଗିରଫ କରିବା ସମୟରେ ତାଙ୍କୁ ଗିରଫଦାରୀର ସଠିକ କାରଣ ଜଣାଇନଥିଲେ, ଯାହା ଏବେ ପୋଲିସ ପାଇଁ ଅଡ଼ୁଆ ସୃଷ୍ଟି କରିଛି।

  •  ୨୦୨୫ ମେ' ୨୩ ତାରିଖରେ ଚେରାପୁଞ୍ଜିରରେ ହନିମୁନ୍ ସମୟରେ ରାଜା ରଘୁବଂଶୀଙ୍କ ହତ୍ୟା ହୋଇଥିଲା।
  •  ଗିରଫଦାରୀର ସୂଚନା ଦେବାରେ ପୋଲିସର ବିଫଳତା ଯୋଗୁଁ ମିଳିଲା ଜାମିନ।
  •  ୫୦ ହଜାର ଟଙ୍କାର ବେଲ୍ ବଣ୍ଡ୍ ବଦଳରେ ଅଭିଯୁକ୍ତ ମୁକ୍ତ ହୋଇଛନ୍ତି।
  •  ଅଭିଯୁକ୍ତ ସୋନମଙ୍କୁ ଶୁଣାଣି ସମୟରେ ହାଜର ହେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ପୋଲିସରଭୁଲଯୋଗୁଁ ପଦାକୁ ଆସିଲେ ଅଭିଯୁକ୍ତ

ଏହି ହତ୍ୟାକାଣ୍ଡ ମାମଲାରେ ଅତିରିକ୍ତ ଡିସି ସୋନମଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅଦାଲତଙ୍କ କହିବା ଅନୁଯାୟୀ, ଗିରଫ କରିବା ସମୟରେ ଅଭିଯୁକ୍ତଙ୍କୁ ତାଙ୍କର ଅଧିକାର ଏବଂ ଗିରଫର କାରଣ ସମ୍ପର୍କରେ ଅବଗତ କରାଯାଇ ନଥିଲା, ଯାହାକି ଆଇନଗତ ପ୍ରକ୍ରିୟାର ଉଲ୍ଲଂଘନ। ସୋନମଙ୍କ ପକ୍ଷରୁ ଏହା ଚତୁର୍ଥ ଜାମିନ ଆବେଦନ (Fourth bail appeal) ଥିଲା, ଯାହା ଶେଷରେ ସଫଳ ହୋଇଛି।

ପରିବାର ପକ୍ଷରୁ ନ୍ୟାୟ ନମିଳିବା ନେଇ ଅଭିଯୋଗ

ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ମୃତକ ରାଜା ରଘୁବଂଶୀଙ୍କ ପରିବାର ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜାଙ୍କ ଭାଇ ବିପିନ ଏବଂ ମାଆ ଉମା ରଘୁବଂଶୀ ଏହାକୁ ଅନ୍ୟାୟ ବୋଲି କହିବା ସହ ନିଜର ଦୁଃଖ ପ୍ରକାଶ କରିଛନ୍ତି। ଏହି ଜାମିନକୁ ରଦ୍ଦ କରିବା ପାଇଁ ପରିବାର ପକ୍ଷରୁ ଖୁବଶୀଘ୍ର ଉଚ୍ଚ ନ୍ୟାୟାଳୟଙ୍କ (Higher court) ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନିଆଯାଇଛି।

ସର୍ତ୍ତମୂଳକ ଜାମିନରେ ରହିବେ ସୋନମ

ଯଦିଓ ସୋନମଙ୍କୁ ଜାମିନ ମିଳିଛି, ତଥାପି ଅଦାଲତ କିଛି କଡ଼ା ସର୍ତ୍ତ ଲାଗୁ କରିଛନ୍ତି। ସେ ସିଲଂ ସହର ଛାଡ଼ି ବାହାରକୁ ଯାଇପାରିବେ ନାହିଁ ଏବଂ ଯେତେବେଳେ ବି ମାମଲାର ଶୁଣାଣି ହେବ, ସେ ନିୟମିତ ଭାବେ କୋର୍ଟରେ ହାଜର ହେବା ବାଧ୍ୟତାମୂଳକ। ତେବେ ପୋଲିସର ଏକ ସାଧାରଣ ବୈଷୟିକ ତ୍ରୁଟି (Procedural error) ଯୋଗୁଁ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଜାମିନ ମିଳିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣା ପଛର ପୃଷ୍ଠଭୂମି

ସୂଚନାଯୋଗ୍ୟ ଯେ, ଗତବର୍ଷ ମେ ମାସରେ ରାଜା ଏବଂ ସୋନମ ନିଜର ହନିମୁନ୍ ପାଇଁ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ସୋହରାକୁ ଯାଇଥିଲେ। ସେଠାରେ ରାଜାଙ୍କର ସନ୍ଦେହଜନକ ମୃତ୍ୟୁ ହେବା ପରେ ପୋଲିସ ତଦନ୍ତ କରି ପତ୍ନୀ ସୋନମଙ୍କୁ ଗିରଫ କରିଥିଲା। ଏହି ଘଟଣା ସେତେବେଳେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ପୋଲିସର ତଦନ୍ତ ଏବଂ ଗିରଫ ପ୍ରକ୍ରିୟାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।