ମୁମ୍ବାଇ ୦୮।୦୪ : ରୋମାଞ୍ଚକର ମ୍ୟାଚ୍ । ମୁମ୍ବାଇ ଇଣ୍ଡିଆନ୍ସକୁ ଘରୋଇ ଟିମ୍ ରାଜସ୍ଥାନ ରୟାଲ୍ସ ୨୭ ରନ୍‌ରେ ପରାସ୍ତ କରିଛି । ବର୍ଷା ଯୋଗୁଁ ୨ଘଣ୍ଟା ୪୦ମିନିଟ୍ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲେ ହେଁ ରାଜସ୍ଥାନ ଅଲ୍ରାଉଣ୍ଡ ପ୍ରଦର୍ଶନ କରି କ୍ରମାଗତ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି ।

ତେବେ ୧୧ ଓଭର ବିଶିଷ୍ଟ ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଦଳ ୩ ୱିକେଟ୍ ହରାଇ ୧୫୦ ରନ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ୯ ୱିକେଟ୍ ହରାଇ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା । ୨ଘଣ୍ଟା ୪୦ ମିନିଟ୍ ବିଳମ୍ବରେ ଖେଳ ଆରମ୍ଭ ହେବାରୁ ମ୍ୟାଚକୁ ୧୧ ଓଭର ବିଶିଷ୍ଟ ରଖାଯାଇଥିଲା। ରାତ୍ରି ୯.୫୫ ମିନିଟ୍ରେ ଟସ୍ ପଡ଼ିଥିଲା ଓ ୧୦.୧୦ ମିନିଟ୍ରେ ବଲ୍ ପଡ଼ିଥିଲା। କୋହଲା ପାଗ ଦେଖି ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଦଳର ଦୁଇ ଯୁବ ଓପନର ଜୈସ୍ୱାଲ୍ ଓ ବୈଭବ ସୂର୍ଯ୍ୟବଂଶୀ ପ୍ରାରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ଓଭରରେ ୨୨ ରନ, ଦ୍ୱିତୀୟ ଓଭରରେ ୧୪ ରନ ଓ ତୃତୀୟ ଓଭରରେ ୨୨ ରନ ସଂଗ୍ରହ କରିଥିଲେ । ୩ ଓଭରରେ ଦଳୀୟ ସ୍କୋର ୫୮ରେ ପହଞ୍ଚି ଯାଇଥିଲା। ଦୀପକ ଚହର, ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ବୋଲର ଏହି ୩ଓଭର ବୋଲିଂ କରିଥିଲେ। ଅବଶ୍ୟ ପାଣ୍ଡ୍ୟା ଚତୁର୍ଥ ଓଭରରେ ମାତ୍ର ୪ ରନ ପ୍ରଦାନ କରିଥିଲେ। ପଞ୍ଚମ ଓଭର ପକାଇଥିଲେ ସର୍ଦୁଲ ଠାକୁର ଓ ଯୋଡ଼ି ଭାଙ୍ଗିଥିଲେ । ବୈଭବ ୧୪ଟି ବଲ୍ରୁ ୧ଚୌକା ଓ ୫ ଛକା ବଳରେ ୩୯ ରନ କରି ଆଉଟ୍ ହୋଇଥିଲେ। ପର ଓଭରରେ ଧ୍ରୁବ ଜୁରେଲ ୨ ରନ କରି ପାଭିଲିୟନ ଫେରିଥିଲେ।

Also Read:-IPL 2026: ବରସାପରା ଷ୍ଟାଡିୟମରେ ଜୟସ୍ଵାଲ-ବୈଭବଙ୍କ ରନ ବର୍ଷା, ମୁମ୍ବାଇକୁ ବିଶାଳ ଟାର୍ଗେଟ୍ ଦେଲା RR

ତେବେ ମୁମ୍ବାଇ ପକ୍ଷରୁ ଆଲ୍ଲା ଗଜନଫର ଏହି ୱିକେଟ୍ ନେଇଥିଲେ । ଜୈସ୍ୱାଲଙ୍କୁ ଆଉଟ୍ କରିବା ସମ୍ଭବ ହୋଇ ନଥିଲା। ତାଙ୍କ ସହ ରିୟାନ ପରାଗ ମିଶି ୩୭ ରନ୍‌ର ଭାଗିଦାରୀ ଗଠନ କରିଥିଲେ। ଦଳୀୟ ସ୍କୋର ୧୨୧ ବେଳେ ପରାଗ ବ୍ୟକ୍ତିଗତ ୨୦ (୧ଚୌକା, ୨ଛକା) ରନ କରି ପାଭିଲିୟନ ଫେରିଥିଲେ। ଜୈସ୍ୱାଲ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୧୫୦ରେ ପହଞ୍ଚାଇଥିଲେ । ସେ ୩୨ଟି ବଲ୍ରୁ ୧୦ ଚୌକା ଓ ୪ ଛକା ବଳରେ ୭୭ ରନ କରିଥିଲେ । ୬୬ଟି ବଲ୍ରେ ୧୫୧ ରନ୍ର ବିଜୟ ଲକ୍ଷ୍ୟ ଅସମ୍ଭବ ମନେ ହେଉଥିଲା । ମୁମ୍ବାଇ ମଧ୍ୟ ରନ୍ ବୋଝରେ ଅଣ୍ଟା ସଳଖି ପାରିନଥିଲା । ବିଶାଳ ଲକ୍ଷ୍ୟ ଆଗରେ ତାରକା ଖଚିତ ମୁମ୍ବାଇ ବ୍ୟାଟିଂ ବିଭାଗ ତାସ ଘର ପରି ଭୁଷୁଡ଼ି ପଡ଼ିଥିଲା । କେବଳ ନମନ ଧିର (୨୫), ସେରଫାନ ରଦରଫୋର୍ଡ (୨୫) ଓ ତିଳକ ବର୍ମା (୧୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଶେଷରେ ମୁମ୍ବାଇ ଇନିଂସ ୯/୧୨୩ ରନ୍ରେ ଅଟକି ଯାଇଥିଲା । ରାଜସ୍ଥାନ ପକ୍ଷରୁ ରବି ବିଷ୍ଣୋଇ, ନାନ୍ଦ୍ରେ ବର୍ଗର ଓ ସନ୍ଦିପ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।