ଜୟପୁର: ଚୋରି ଭୟରୁ ଟଙ୍କା ବଞ୍ଚାଇବା ପାଇଁ ଜମିରେ ୫ ଲକ୍ଷ ଟଙ୍କା ପୋତିଥିଲେ ରାଜସ୍ଥାନର ଜଣେ ଚାଷୀ । ପରେ ଟଙ୍କା କେଉଁଠି ପୋତିଥିଲେ ତାହା ଭୁଲି ଯାଇଥିଲେ । ବହୁ ଖୋଜା ଖୋଜା କରିବା ପରେ ମଧ୍ୟ ମିଳି ନ ଥିଲା । ଯାହାକୁ ନେଇ ଗଭୀର ଚିନ୍ତାରେ ପଡ଼ିଯାଇଥିଲେ । ପ୍ରାୟ ବର୍ଷକ ପରେ ସେହି ଟଙ୍କା ମିଳିଥିଲା ସତ, କିନ୍ତୁ ସେତେବେଳକୁ ଉଇ ଅଧିକାଂଶ ନୋଟକୁ ନଷ୍ଟ କରିସାରିଥିଲା ।

ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ପଚପଦ୍ରା ଥାନା ଅନ୍ତର୍ଗତ ନେୱାଇ ଗ୍ରାମର ୫୦ ବର୍ଷୀୟ ମାଙ୍ଗିଲାଲ । ପ୍ରାୟ ଗୋଟିଏ ବର୍ଷ ପୂର୍ବେ ଖଣ୍ଡିଏ ଜମି ବିକ୍ରି କରିଥିଲେ । ବିକ୍ରିରୁ ମିଳିଥିବା ଟଙ୍କା ଚୋରି ହୋଇଯିବା ଭୟରେ, ସେ ୫ ଲକ୍ଷ ଟଙ୍କା ଗୋଟିଏ ବ୍ୟାଗରେ ରଖି ନିଜ ଚାଷଜମିର କୌଣସି ଏକ ସ୍ଥାନରେ ପୋତି ଦେଇଥିଲେ । କିନ୍ତୁ ପ୍ରାୟ ମାସେ ପରେ ଯେତେବେଳେ ସେ ଟଙ୍କା ଆଣିବାକୁ ଗଲେ, ସେ କେଉଁ ସ୍ଥାନରେ ଟଙ୍କା ପୋତିଥିଲେ ଭୁଲି ଯାଇଥିଲେ । ରିପୋର୍ଟ ଅନୁଯାୟୀ, ଏହି ଟଙ୍କା ପ୍ରାୟ ବର୍ଷେ କାଳ ମାଟି ତଳେ ପୋତି ହୋଇ ରହିଥିଲା ।

ଅଗଷ୍ଟ ୭ରେ, ମାଙ୍ଗିଲାଲଙ୍କ ସ୍ତ୍ରୀ ଓ ପୁଅ ଜମିର ବାଡ଼ ମରାମତି କରିବାକୁ ଜମିକୁ ଯାଇଥିଲେ । ସେହି ସମୟରେ ପରିବାର ଲୋକ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ମାଟି ଉପରେ ପଡ଼ିଥିବାର ପାଇଥିଲେ । କିନ୍ତୁ ସେତେବେଳକୁ ଉଇ ଅଧିକାଂଶ ନୋଟକୁ କାଟି ଖଣ୍ଡ ଖଣ୍ଡ କରି ନଷ୍ଟ କରିସାରିଥିଲା ।

​​​​​​​

ମାଙ୍ଗିଲାଲ କହିଛନ୍ତି ଯେ, ସେ ନଷ୍ଟ ହୋଇଯାଇଥିବା ନୋଟଗୁଡ଼ିକୁ ବଦଳାଇବା ଆଶାରେ ଶୁକ୍ରବାର ପଚପଦ୍ରାସ୍ଥିତ ଏସବିଆଇ ଶାଖାକୁ ନେଇଯାଇଥିଲେ । ତେବେ ନୋଟଗୁଡ଼ିକର ସ୍ଥିତି ଯାଞ୍ଚ କରିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତାହା ଗ୍ରହଣ କରିବାକୁ ମନା କରିଦେଇଥିଲେ ।

ଏହା ପରେ ସେ ବାଲୋତ୍ରାସ୍ଥିତ ଏସବିଆଇର ମୁଖ୍ୟ ଶାଖାକୁ ଯାଇଥିଲେ । କିନ୍ତୁ ସେଠାରେ ମଧ୍ୟ ସମାନ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଥିଲା । ବ୍ୟାଙ୍କ କର୍ମଚାରୀମାନେ କହିଥିଲେ ଯେ କେବଳ ସେହି ନୋଟଗୁଡ଼ିକୁ ବଦଳ କରାଯାଇପାରିବ, ଯାହାର ସିରିଏଲ୍ ନମ୍ବର ସ୍ପଷ୍ଟ ଭାବେ ଦେଖାଯାଉଥିବ । ଏହା ସହିତ ତାଙ୍କୁ ଜୟପୁରସ୍ଥିତ ବ୍ୟାଙ୍କର ରାଜ୍ୟ ମୁଖ୍ୟାଳୟକୁ ଯିବାକୁ ପରାମର୍ଶ ଦିଆଯାଇଥିଲା ।