ଭୁବନେଶ୍ୱର ୨୬।୦୯ : ଗଭୀର ଅବପାତ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଆଡ଼କୁ ଚାଲିଯାଇଥିଲେ ସୁଦ୍ଧା ଓଡ଼ିଶାରେ ଏହାର କୋପ ହ୍ରାସ ପାଇନାହିଁ। ଲ୍ୟାଣ୍ଡଫଲ୍ ର ପ୍ରାୟ ୪୦ ଘଣ୍ଟା ପରେ ବି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ଏହି ସିଷ୍ଟମର ବିଶାଳ ବାଦଲ ଖଣ୍ଡ ଏବଂ ବଙ୍ଗୋପସାଗରରୁ ପ୍ରଚୁର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ଯୋଗୁଁ ଏତେ ସମୟ ଧରି ବର୍ଷା ଓ ପବନର ପ୍ରକୋପ ରହିଛି । ଆଜି ସକାଳ ପର୍ଯ୍ୟନ୍ତ ୮ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ୧୫ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଭଳି ଉତ୍ତର-ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳକୁ ଛାଡ଼ିଦେଲେ ଅବଶିଷ୍ଟ ରାଜ୍ୟରେ ପାଣିପାଗ ପ୍ରାୟତଃ ସ୍ୱାଭାବିକ ହେବ ବୋଲି ଆକଳନ କରାଯାଇଛି । ପ୍ରବଳ ବର୍ଷା ପରେ ଉଛୁଳିଲାଣି ନଦୀ, ଘାରିଛି ବନ୍ୟା ଡର ।

Also Read:-Plane Crash: କଙ୍ଗୋରେ ବଡ ଅଘଟଣ, ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୩ ସେନା ଅଧିକାରୀଙ୍କ ସମେତ ୧୪ ମୃତ

ସେହିପରି ଅବପାତ ପ୍ରଭାବରେ ଓଡ଼ିଶାରେ ଚାରି ଦିନ ଧରି ହୋଇଥିବା ନିର୍ଧୁମ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ନଦୀର ଜଳସ୍ତର ଫୁଲି ଉଛୁଳିବାରେ ଲାଗିଛି। ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ଋଷିକୂଲ୍ୟା ଓ ବଂଶଧାରା ଭଳି ପ୍ରମୁଖ ନଦୀଗୁଡ଼ିକ ବିପଦ ସଙ୍କେତ ଟପିଥିବା କିମ୍ବା ଆଖପାଖରେ ପ୍ରବାହିତ ହେଉଥିବାରୁ ବନ୍ୟା ଆଶଙ୍କା ଘନେଇଛି ।