ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ବଡ଼ ବିଲେନିୟର ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ବ୍ରିଟେନର ନ୍ୟୁ କ୍ୟସଲ ୟୁନିଭର୍ସିଟି ସଷ୍ଟେନେବିଲିଟି କ୍ଷେତ୍ରରେ ‘ପ୍ରଫେସର ଅଫ ପ୍ରାକ୍ଟିସ୍’ ପଦବୀ ପ୍ରଦାନ କରିଛି। ବିଶ୍ୱବିଦ୍ୟାଳୟର ପ୍ରଫେସର ଅଫ ପ୍ରାକ୍ଟିସ୍ କୌଣସି ଗବେଷକ ଙ୍କ ପଦ ନୁହେଁ। ବିଶ୍ୱବିଦ୍ୟାଳୟ ଶିକ୍ଷାବିଦ୍ ଙ୍କ ବଦଳେ ପ୍ରାକ୍ଟିକାଲ ପ୍ରଫେସନାଲଙ୍କୁ ଏହି ପଦବୀ ପ୍ରଦାନ କରିଥାଏ। ଏହି ପଦବୀ ସର୍ଟ ଟର୍ମ ପଦବୀ। ତେବେ ଏଥି ପାଇଁ ଅନନ୍ତ ଅମ୍ବାନୀଙ୍କ ଚୟନ ଲାଗି ୟୁନିଭର୍ସିଟିର ନିଷ୍ପତ୍ତି ଉପରେ ଏବେ ପ୍ରଶ୍ନ ଉଠିଛି।

ନ୍ୟୁ କ୍ୟାସଲ ୟୁନିଭର୍ସିଟି କହିଛି ଯେ ଅମ୍ବାନୀଙ୍କୁ ଏହି ସମ୍ମାନ ଏକ ମଜଭୁତ ଭବିଷ୍ୟତକୁ ଆଗକୁ ବଢେଇବା ଲାଗି ତାଙ୍କ ଯୋଗଦାନ ନିମନ୍ତେ ପ୍ରଦାନ କରାଯାଇଛି। ଉତ୍ତର ଇଂଲଣ୍ଡ ୟୁନିଭର୍ସିଟି କହିଛି ଯେ ‘ବନ୍ତାରା’ରେ ହେଉଥିବା କାମ, ଗ୍ଲୋବାଲ ସଂରକ୍ଷଣ ଓ ଜୈବ ବିବିଧତା ଲକ୍ଷ୍ୟ ଉପରେ ୟୁନିଭର୍ସିଟିର ୱାର୍ଲଡ କ୍ଲାସ୍ ଗବେଷଣା ସହିତ ଅନେକାଂଶରେ ମେଳ ଖାଉଛି। ବନ୍ତାରା ମାଧ୍ୟମରେ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା, ପ୍ରାଣୀଙ୍କର ଭଲ କରିବା ଓ ପରିବେଶ ରକ୍ଷଣାବେକ୍ଷଣାରେ ଅମ୍ବାନୀଙ୍କ ଯୋଗଦାନ ଓ ରିଲାଏନ୍ସ କୁ ଗ୍ରୀନ ଏନର୍ଜୀ ଆଡକୁ ନେଇଯିବାରେ ତାଙ୍କ ଭୂମିକାକୁ ମାନ୍ୟତା ଦେଉଛି।

ତେବେ ଭାରତୀୟ ଇତିହାସକାର ତଥା ପରିବେଶବିଦ୍ ରାମଚନ୍ଦ୍ର ଗୁହା ୟୁନିଭର୍ସିଟିର ନିଷ୍ପତ୍ତିକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୁଁ ଏପରି ୫୦ ଓ ବୋଧ ହୁଏ ଶହେ ଜଣଙ୍କ ନାଁ କହି ପାରିବି ଯେଉଁମାନେ ଏହି ସମ୍ମାନ ପାଇଁ ଅଧିକ ଯୋଗ୍ୟ। ସେହିପରି ଅବୈଧ ବନ୍ୟଜୀବ ବେପାରର ଯାଞ୍ଚ କରୁଥିବା ଭୁବନ ମଙ୍ଗଲୌର ଯିଏ ଏଙ୍ଗ୍ଲିୟା ରସ୍କିନ ୟୁନିଭର୍ସିଟିରେ ‘ବନ୍ତାରା’ ଉପରେ ରିସର୍ଚ୍ଚ ପେପର ଲେଖୁଛନ୍ତି ପଚାରିଛନ୍ତି ଏହା କ’ଣ କୌଣସି ପରିହାସ?

ସେହିପରି ସସେକ୍ସ ୟୁନିଭର୍ସିଟି ସମ୍ପର୍କିତ ଇଂଷ୍ଟିଟ୍ୟୁଟ ଅଫ ଡେଭଲପମେଣ୍ଟ ଷ୍ଟଡିଜ୍ ଗବେଷକ ଲାଇଲା ମେହେଟ୍ଟା ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ‘ନ୍ୟୁ କ୍ୟାସଲ ୟୁନିଭର୍ସିଟି ଏଠାରେ ସତସତିକା ତଳକୁ ଖସିଛନ୍ତି ଓ ସଷ୍ଟେନେବିଲିଟିର ପରିହାସ କରିଛନ୍ତି’। ସେହିପରି ୱାଇଲ୍ଡଲାଇଫ କଞ୍ଜର୍ଭେସନିଷ୍ଟ ପ୍ରେରଣା ସିଂହ ବିନ୍ଦ୍ରା ୩,୫୦୦ଏକର (୧,୪୧୬ ହେକ୍ଟର)ରେ ବ୍ୟାପ୍ତ ବନ୍ତାରାକୁ କଞ୍ଜରଭେସନ ସାଇଟ୍ କୁହାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଏହା ବନ୍ୟ ପ୍ରାଣୀଙ୍କୁ ଆବଦ୍ଧ ରଖିବାର ଜାଗା, ଅର୍ଥାତ ଏକ ପ୍ରାଣୀ ଉଦ୍ୟାନ। ତେବେ ଏହା ସଂରକ୍ଷଣ କିପରି ହେଲା? ଆମକୁ ଜଙ୍ଗଲୀ ପ୍ରାଣୀଙ୍କୁ ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ବଞ୍ଚାଇ ରଖିବାର ଆବଶ୍ୟକତା ରହିଛି, ନା ଚିଡିଆ ଘରେ।