ନୂଆଦିଲ୍ଲୀ ୨୬।୦୯; ମଧ୍ୟପ୍ରଦେଶରେ ଘଟିଛି ବଡ ଅଘଟଣ । ଆନନ୍ଦ ଓ ଉଲ୍ଲାସର ପର୍ବ ଗଣେଶ ବିସର୍ଜନରେ ବୋଡିଗଲେ ୪ ଜଣ । ଏହି ଘଟଣାରେ ମଧ୍ୟପ୍ରଦେଶ ଏବଂ ହରିୟାଣାରେ ଅଲଗା ଅଲଗା ସ୍ଥାନରେ ବିସର୍ଜନ ସମୟରେ ପୋଖରୀରେ ବୁଡ଼ି ଯିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ବି ଅନେକ ଯୁବକ ନିଖୋଜ ରହିଛନ୍ତି। ସବୁଠାରୁ ବଡ଼ କଥା ହେଲା, ମଧ୍ୟପ୍ରଦେଶର ଧାର, ସିହୋର, ଭିଣ୍ଡ ଏବଂ ଖଣ୍ଡୱା ଜିଲ୍ଲାରେ ଗୋଟିଏ ଦିନରେ ଏଭଳି ଅନେକ ଦୁର୍ଘଟଣା ଘଟିଛି।

ବଦନାୱାର ଅଞ୍ଚଳରେ ପୋଖରୀରେ ବୁଡ଼ି ତିନି ଜଣ ଯୁବକଙ୍କର ପ୍ରାଣହାନି ଘଟିଛି। ସିହୋରରେ ଏବଂ ଖଣ୍ଡୱା ଜିଲ୍ଲାରେ ପାଣି ଭର୍ତ୍ତି ପୋଖରୀରେ ବୁଡ଼ି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଥିଲେ। ବର୍ତ୍ତମାନ ଏହାର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସିନ୍ଧ ନଦୀରେ ବିସର୍ଜନ ପାଇଁ ଯାଇ ଆଉ ତିନି ଜଣ ନାବାଳକ ନିଖୋଜ ଅଛନ୍ତି। ନଦୀର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

କେବଳ ମଧ୍ୟପ୍ରଦେଶ ନୁହେଁ, ହରିୟାଣାରେ ମଧ୍ୟ ଏକପ୍ରକାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନାଲରେ ଜଣେ ସାଥୀଙ୍କୁ ବଞ୍ଚାଇବାକୁ ଯାଇ ଆଉ ଦୁଇଜଣ ଯୁବକ ମଧ୍ୟ ପାଣିରେ ବୁଡ଼ି ଯାଇଛନ୍ତି। ଗୋଟିଏ ପଟେ ଅଜୟ ନାମକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ, ଅନ୍ୟ ଦୁଇଙ୍କୁ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ୟମ ଜାରି ରହିଛି। ପର୍ବପର୍ବାଣୀ ସମୟରେ ଏଭଳି ସଚେତନତା ଅଭାବ ଏବଂ ଜଳାଶୟର ଗଭୀରତାକୁ ନଚିହ୍ନି ପାଣିକୁ ଓହ୍ଲାଇବା କାରଣରୁ ଅନେକ ଅମୂଲ୍ୟ ଜୀବନ ଚାଲିଯାଉଛି। ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ ଏପରି ଦୁର୍ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।"