ଭୁବନେଶ୍ୱର,୦୩/୦୮: ଆସନ୍ତା ୮ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହୋଇପାରେ। ସୋମବାର ସୁନ୍ଦରଗଡ଼,ସମ୍ବଲପୁର,ଦେବଗଡ଼,ଅନୁଗୁଳ,କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା,ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଗକୁ ସପ୍ତାହ ଯାଏ ପ୍ରବଳ ବର୍ଷା ଥିବାରୁ ସବୁ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗକୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)।

କେବଳ ଓଡ଼ିଶା ନୁହେଁ,୮ ତାରିଖ ଯାଏ ଛତିଶଗଡ଼ରେ ବି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି। ୪ରୁ ୮ ତାରିଖ ଛତିଶଗଡ଼ର ବିସ୍ତୃତ ଅଞ୍ଚଳରେ ଭୀଷଣ ବର୍ଷା ହୋଇପାରେ। ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ମହାନଦୀ ଜଳସ୍ତର ପୁଣି ବଢ଼ିପାରେ। ଏଥିପାଇଁ ସତର୍କ ରହି ଆଗୁଆ ପ୍ରସ୍ତୁତି କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଅଛି।

Also Read :- ମହିଳାଙ୍କ ମୁଣ୍ଡକୁ କାମୁଡ଼ି ଧରି ୩୦୦ ମିଟର ଘୋଷାଡ଼ି ନେଲା ବାଘ, ଲୋକଙ୍କ ଚିତ୍କାର ଶୁଣି ଜଙ୍ଗଲକୁ ପଳାଇଲା

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି,୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି। ୮ ଓ ୯ ତାରିଖ ବେଳକୁ ପ୍ରବଳ ବର୍ଷା ଆଶଙ୍କା ଅଛି। ୩ରୁ ୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ରହିବମଙ୍ଗଳବାର ସୁନ୍ଦରଗଡ଼,କେନ୍ଦୁଝର,ମୟୂରଭଞ୍ଜ,କନ୍ଧମାଳ,ନବରଙ୍ଗପୁର,ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ। ୫ରୁ ୮ ତାରିଖ ଯାଏ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ଆଶଙ୍କା ଅଛି।

ଗତ१४ଘଣ୍ଟାରେ ଦେବଗଡ଼ ରେ ସର୍ବାଧିକ ୪୪.୨ ମିମି ବର୍ଷା ହୋଇଛି । ତାଳଚେରରେ ୨୦ ଓ ସମ୍ବଲପୁରରେ ୧୨ ମିମି ବର୍ଷା ହୋଇଛି ଗତ ଜୁନ୍ ୧ତାରିଖରୁ ଅଗଷ୍ଟ ୨ ତାରିଖ ସୁଦ୍ଧା ରାଜ୍ୟରେ ସ୍ବାଭାବିକଠାରୁ ୩୦% ଅଧିକ ବର୍ଷା ହୋଇଛି। ବରଗଡ଼,ସୋନପୁର,ବଲାଙ୍ଗୀର,ବୌଦ୍ଧ,ଢେଙ୍କାନାଳ,କେନ୍ଦ୍ରାପଡ଼ା,ଜଗତସିଂହପୁର ଓ ପୁରୀରେ ଅତି ଭୀଷଣ ବର୍ଷା ହୋଇଛି । ଝାରସୁଗୁଡ଼ା,ସୁନ୍ଦରଗଡ଼,ମୟୂରଭଞ୍ଜ,ଗଞ୍ଜାମ,ରାୟଗଡ଼ା,କଳାହାଣ୍ଡି ଓ କୋରାପୁଟରେ ଭୀଷଣ ବର୍ଷା ହୋଇଛି। କେବଳ ଗଜପତି,ନବରଙ୍ଗପୁର ଓ ମାଲକାନଗିରିରେବର୍ଷା ନିଅଣ୍ଟିଆ ରହିଛି।