ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ରବିବାର ପ୍ରତ୍ୟୂଷରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କାହ୍ନା ଜାତୀୟ ଉଦ୍ୟାନର ଖାପା ରେଞ୍ଜ ଅନ୍ତର୍ଗତ ପାରାପୁର ବାଇଗାଟୋଲା ଗ୍ରାମରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ବାଘ ଆକ୍ରମଣ କରି ମାରିଦେଇଥିବା ନେଇ ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ସୁଗ୍ନୀ ବାଈ ଧୁରୱେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୧:୩୦ ସମୟରେ ସୁଗ୍ନୀ ବାଈ ନିଜ କୁଡ଼ିଆ ଘରେ ଶୋଇଥିବା ବେଳେ ଜଙ୍ଗଲରୁ ଏକ ବାଘ ଗାଁ ଭିତରକୁ ପଶି ଆସିଥିଲା। ବାଘଟି ମହିଳାଙ୍କ ମୁଣ୍ଡକୁ କାମୁଡ଼ି ଧରି ଘୋଷାଡ଼ି ନେବାକୁ ଚେଷ୍ଟା କରିଥିଲା। ପରିବାର ଲୋକଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଟର୍ଚ୍ଚ ଲାଇଟ୍ ଧରି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ବାଘଟି ମହିଳାଙ୍କୁ ପ୍ରାୟ ୩୦୦ ମିଟର ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେବା ପରେ ଗ୍ରାମବାସୀଙ୍କ ପାଟିତୁଣ୍ଡ ଶୁଣି ତାଙ୍କୁ ସେଠାରେ ଛାଡ଼ି ଜଙ୍ଗଲ ଭିତରକୁ ପଳାଇଥିଲା।

ମହିଳାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ବୈହାରସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବ୍ଲକ ଚିକିତ୍ସା ଅଧିକାରୀ ଡାକ୍ତର ଅନନ୍ତ ଲିଲ୍‌ହାରେ ସ୍ପଷ୍ଟ କରିଛନ୍ତି। ସିଜୋରା ବଫର ଜୋନର ସହକାରୀ ନିର୍ଦ୍ଦେଶକ ଆଶିଷ ପାଣ୍ଡେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ସରକାରୀ ନିୟମାନୁସାରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
ବାଘକୁ ଧରିବା ପାଇଁ ସେହି ଅଞ୍ଚଳରେ ଯନ୍ତା ବସାଯିବ ଏବଂ ପାଟ୍ରୋଲିଂ କଡ଼ାକଡ଼ି କରାଯିବ। ରାତିରେ ଘର କବାଟ ବନ୍ଦ ରଖିବା, ଜଙ୍ଗଲ ଭିତରକୁ ନଯିବା ଏବଂ ଛୋଟ ଛୁଆ ଓ ବୃଦ୍ଧବୃଦ୍ଧାଙ୍କୁ ଏକାକୀ ନଛାଡ଼ିବା ପାଇଁ ବନ ବିଭାଗ ଗ୍ରାମବାସୀଙ୍କୁ ସତର୍କ କରାଇଛି।

ସ୍ଥାନୀୟ ଜନପ୍ରତିନିଧିମାନେ ଦାବି କରିଛନ୍ତି ଯେ, କବାଟ ନଥିବା ଏକ ଅସୁରକ୍ଷିତ କୁଡ଼ିଆ ଘରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଅତ୍ୟନ୍ତ ପଛୁଆ ଓ ସଂବେଦନଶୀଳ ଜନଜାତି ସମୂହର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଥିବା ଯୋଜନାର ଲାଭ ଏହି ପରିବାର ପାଖରେ ପହଞ୍ଚି ନଥିବା ସେମାନେ ଅଭିଯୋଗ ଆଣିଛନ୍ତି।