ଭୁବନେଶ୍ୱର, ୦୨/୦୯: ୩ଟି ଜିଲ୍ଲାରେ ଆହୁରି ବର୍ଷିବ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ପାଣିପାଗ ବିଭାଗ ଏଭଳି ଆକଳନ କରିଛି। ୩ ଓ ୪ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ମୟୂରଭଞ୍ଜର ବାଙ୍ଗିରିପୋଷିରେ ସର୍ବାଧିକ ୩୦୯.୨ ମିମି ବର୍ଷା ହୋଇଛି। ସାରସକଣାରେ ୨୯୭ ମିମି, ବାରିପଦାରେ ୮୩.୮, ରାଇରଙ୍ଗପୁରରେ ୧୬୩, କୁସୁମିରେ ୧୦୩ ମିମି ବର୍ଷା ରେକର୍ଡ ହୋଇଛି। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ ଫୁଲିଛି। ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଯାଇଛି। ଜାମଶୋଳାଘାଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୫୧.୪୪ ମିଟର ରହିଛି। ଏଠାରେ ବିପଦ ସଙ୍କେତ ସ୍ତର ୪୯.୧୬ ଥିବାବେଳେ ତା ଠାରୁ ୨ ମିଟର ଉପରେ ପାଣି ଚାଲିଛି। ରାଜଘାଟରେ ବିପଦ ସଙ୍କେତ ସ୍ତର ୧୦.୩୬ ମିଟର ଥିବାବେଳେ ୧୧.୧୬ ମିଟର ଜଳ ପ୍ରବାହିତ ହେଉଛି। ଧୀରେ ଧୀରେ ନଦୀ ଜଳସ୍ତର ବଢ଼ିଚାଲିଛି। ଏନଏଚ୍ -୫ଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୭.୫୬ ମିଟର ରହିଛି।

Also Read :- ପନିପରିବା ପରେ ଏବେ ଚିକେନ୍ ବଢ଼ାଇଲା ଚିନ୍ତା, ଦର ଟପିଲାଣି...

ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜର ୧୯ ବ୍ଲକ୍ ସମେତ ବାରିପଦା ପୌରାଞ୍ଚଳ ପ୍ରଭାବିତ ହୋଇଛି। ବାଙ୍ଗିରିପୋଷି ଓ ତିରିଂରେ କାନ୍ଥ ପଡ଼ି ଦୁଇ ଜଣ ମହିଳାଙ୍କ ଜୀବନ ଯାଇଛି। ବିଜାତଳାରେ ଜଣେ ଖବରକାଗଜ ବିକ୍ରେତାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ୨ଟି ପକ୍କା ଘର ସମ୍ପୂର୍ଣ୍ଣ ଓ ୪୪୧ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି।