ଭୁବନେଶ୍ବର: ପନିପରିବା ପରେ ଏବେ ଚିକେନକୁ ନେଇ ଚିନ୍ତା । କାରଣ ଏବେ ଚିକେନ ଦର ବି ଉପରମୁହାଁ ହୋଇଛି। ଗୋଟିଏ ପଟେ ପନିପରିବା ଦର ଆଉ ଅନ୍ୟପଟେ ଆମିଷ ବଜାରରେ ମଧ୍ୟ ନିଆଁ, ଏମିତିରେ ଲୋକେ କରିବେ କ’ଣ ତାକୁ ନେଇ ଚିନ୍ତିତ।

କୁକୁଡ଼ା ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟର ମାନ୍ୟତା ପାଇଥିଲେ ବି, ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବା ଗ୍ରାହକଙ୍କ ଚିନ୍ତା ବଢ଼ାଇଦେଇଛି। ତେବେ ଏହି ଦରବୃଦ୍ଧି ପଛରେ ଇଥାନଲ ଉତ୍ପାଦନ ଓ ବାହାର ରାଜ୍ୟର ନିୟନ୍ତ୍ରଣ ରହିଥିବା ଅଭିଯୋଗ ହେଉଛି। ଯେଉଁ ଚିକେନ କେଜି ପିଛା ୨୨୦ରୁ ୨୪୦ ଟଙ୍କାରେ ମିଳୁଥିଲା, ତାହା ଏବେ ୨୬୦ ଟଙ୍କା ପାର୍ କରିଛି।

ଗ୍ରାହକଙ୍କ କହିବା କଥା, ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିବା ସହ ଏବେ ଚିକେନ ଦର ବୃଦ୍ଧି ମାସିକ ବଜେଟକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି । ହଠାତ୍ ଏତେ ଟଙ୍କା ଦର ବଢ଼ିବାକୁ ନେଇ ବ୍ୟବସାୟୀ ଓ ଗ୍ରାହକ ଉଭୟ ଚିନ୍ତାରେ। ସବୁଠାରୁ ବଡ଼କଥା ହେଉଛି ଓଡ଼ିଶା କୁକୁଡ଼ା ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ ହୋଇଥିଲେ ବି ଦର ନିୟନ୍ତ୍ରଣ ବାହାର ରାଜ୍ୟର ହାତରେ ।

ସୂଚନା ଅନୁଯାୟୀ, ଓଡ଼ିଶାର କୁକୁଡ଼ା ବ୍ୟବସାୟ ଓ ମୂଲ୍ୟ ନିର୍ଦ୍ଧାରଣକୁ ମୁଖ୍ୟତଃ ପଡ଼ୋଶୀ ୮ଟି ରାଜ୍ୟର କମ୍ପାନୀ ନିୟନ୍ତ୍ରଣ କରୁଛନ୍ତି । ଏହା ସହିତ ଦର ବୃଦ୍ଧିର ଅନ୍ୟ ଏକ ବଡ଼ କାରଣ ସାଜିଛି 'ଇଥାନଲ'। ପରିବହନ ଖର୍ଚ୍ଚ ବଢୁଥିବାରୁ ଦର ବଢ଼ିଥିବା ସନ୍ଦେହ ହେଉଛି । ଅନ୍ୟପଟେ ଏତେ ଟଙ୍କା ଦର ବଢ଼ିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ।

Also Read: ମହଙ୍ଗା ହେଉଛି ଅଣ୍ଡା, ବର୍ଷକରେ ବଢ଼ିଲାଣି ୪୦%, ଦାୟୀ ଇଥାନଲ

ବାଧ୍ୟ ହୋଇ ଅଧିକ ଦାମ୍‌ରେ କିଣୁଛନ୍ତି ବ୍ୟବସାୟୀ 

ଅନ୍ୟପଟେ, ଓଡ଼ିଶାରେ ଚିକେନ ଚାହିଦା ଅନୁସାରେ ଉତ୍ପାଦନ ହେଉଥିଲେ ବି ସ୍ଥାନୀୟ ଚାଷୀ ଓ ବ୍ୟବସାୟୀଙ୍କର ଦର ଉପରେ କୌଣସି ନିୟନ୍ତ୍ରଣ ରହୁନାହିଁ । ବାହାର ରାଜ୍ୟର ବଡ଼ ବଡ଼ କମ୍ପାନୀ ଦୈନିକ ନୂଆ ରେଟ୍ ନିର୍ଦ୍ଧାରଣ କରୁଥିବାରୁ, ସ୍ଥାନୀୟ ବ୍ୟବସାୟୀ ବାଧ୍ୟ ହୋଇ ଚଢ଼ା ଦରରେ କୁକୁଡ଼ା କିଣୁଛନ୍ତି । ଏହାସହ ପରିବହନ ଖର୍ଚ୍ଚ ବୃଦ୍ଧି ଓ ଗ୍ରୀଷ୍ମଦିନ ସହ ଜଡ଼ିତ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତି ଯୋଗୁଁ କୁକୁଡ଼ା ମୃତ୍ୟୁହାର ବଢ଼ିବା ମଧ୍ୟ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିଛି, ଯାହାର ସିଧାସଳଖ ପ୍ରଭାବ ଏବେ ଖାଉଟିଙ୍କ ପକେଟ୍ ଉପରେ ପଡ଼ୁଛି । ଅଧିକ ଦର ଥିବାରୁ ବେପାର ମଧ୍ୟ କମ୍ ହେଉଥିବାର ବ୍ୟବସାୟୀ ମାନେ କହିଛନ୍ତି ।

ଏସବୁ ଭିତରେ କୁକୁଡ଼ା ବ୍ୟବସାୟୀ ଓ ଗ୍ରାହକ ଦୁହେଁ ଏବେ ସଙ୍କଟରେ। ଯଦି ରାଜ୍ୟ ସରକାର ସ୍ଥାନୀୟ ଉତ୍ପାଦନ ଓ ଦର ଉପରେ ସ୍ୱତନ୍ତ୍ର ନୀତି ନଆଣନ୍ତି, ତେବେ ଆଗାମୀ ପାର୍ବଣ ଋତୁରେ ଚିକେନ ଦର ଆହୁରି ଉପରକୁ ଯିବା ଏକପ୍ରକାର ନିଶ୍ଚିତ ।