ଭୁବନେଶ୍ୱର, ୨୧/୦୯:ଉତ୍ତର ପୂର୍ବ ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇଛି। ସୋମବାର ସୁଦ୍ଧା ଏହା ଅବପାତରେ ପରିଣତ ହେବ। ୨୨ ତାରିଖରେ ଗଭୀର ଅବପାତ ରୂପ ନେବ । ଏହା ପୁଣି ୨୩ ତାରିଖ ସକାଳେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ,ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଛୁଇଁବ। ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ପାଞ୍ଚ ଦିନ ଯାଏ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ତେବେ ବାତ୍ୟା ରୂପ ନେବା ଆଶା କ୍ଷୀଣ। ଯଦି ସମୁଦ୍ରରେ ଅନୁକୂଳ ବାତବରଣ ରହେ,ତେବେ ଛୋଟ ବାତ୍ୟାରେ ପରିଣତ ହୋଇ ଦ୍ରୁତ ଗତିରେ ଦୁର୍ବଳ ହୋଇଯିବ ବୋଲି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଭାଗ କିନ୍ତୁ ଏ ନେଇ ରବିବାର ସୁଦ୍ଧା କୌଣସି ପୂର୍ବାନୁମାନ ଦେଇ ନାହିଁ । ଡକ୍ଟର ପଶୁପାଳକଙ୍କ ଆକଳନ କହୁଛି,ଗଭୀର ଅବପାତ ଗଞ୍ଜାମ-ଶ୍ରୀକାକୁଲମ କିମ୍ବା ପୁରୀ-ଗଞ୍ଜାମ ଉପକୂଳ ଦେଇ ୨୩ କିମ୍ବା ୨୪ ତାରିଖ ବେଳକୁସ୍ଥଳଭାଗରେ ପ୍ରବେଶ କରିବା ସମ୍ଭାବନା ରହିଛି। ସମୁଦ୍ର ଜଳସ୍ତର ଗରମ ରହିଛି ଏବଂ ଆର୍ଦ୍ରତା ବି ଅଧିକ ରହିଛି। କିନ୍ତୁ ପଶ୍ଚିମ ବଙ୍ଗୋପସାଗରରେ ପବନର ଚାପ କମ୍ ରହିଛି,ଯାହା ଅବପାତର ଶକ୍ତିବୃଦ୍ଧିକୁ ରୋକିପାରେ।

ପାଣିପାଗ ବିଭାଗ କହୁଛି,ସୋମବାର ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ବର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ଜଗତସିଂହପୁର,କଟକ,କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ବିଜୁଳି,ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ନୂଆପଡ଼ା,କଳାହାଣ୍ଡି,ରାୟଗଡ଼ା,କୋରାପୁଟ,ମାଲକାନାଗିରି,ଗଜପତି,ଗଞ୍ଜାମ,ପୁରୀ,ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁୟେଲୋ ୱାର୍ଣ୍ଣିଂଜାରି କରାଯାଇଛି।

ମଙ୍ଗଳବାର ଅର୍ଥାତ୍ ୨୨ ତାରିଖରେ ଗଜପତି,ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ହୋଇପାରେ। ୨୩ ତାରିଖ ଅର୍ଥାତ୍ ବୁଧବାର ଦିନ କନ୍ଧମାଳ,ଗଜପତି,ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ସ୍ଥାନକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂଜାରି କରାଯାଇଛି। ଏଥିସହ ଜଗତସିଂହପୁର,କଟକ,ବୌଦ୍ଧ,କଳାହାଣ୍ଡି,ନବରଙ୍ଗପୁର,ରାୟଗଡ଼ା,କୋରାପୁଟ,ମାଲକାନାଗିରି,ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ। ବୁଧବାର କନ୍ଧମାଳ,ଗଜପତି,ଗଞ୍ଜାମ,ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ ପବନ ବୋହିପାରେ। ବାଲେଶ୍ଵର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ଼ା,ବରଗଡ଼,ଅନୁଗୁଳ,ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ,ସୁବର୍ଣ୍ଣପୁର,ନୂଆପଡ଼ା ଓ ବଲାଙ୍ଗୀର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

Also Read :- ଗଞ୍ଜାମ-ପୁରୀ ମଧ୍ୟ ଦେଇ ଅତିକ୍ରମ କରିପାରେ ଅବପାତ,୨୨ରୁ ୨୬ ସେପ୍ଟେମ୍ବର ଯାଏଁ ଅତି ପ୍ରବଳ ବର୍ଷା ସମ୍ଭାବନା

ସେହିପରି ୨୪ ତାରିଖରେ କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂମଧ୍ଯ ଜାରି ହୋଇଛି। ସେହିପରି ଏଥିସହ ବଲାଙ୍ଗିର,ନବରଙ୍ଗପୁର,କୋରାପୁଟ,ମାଲକାନାଗିରି,ଗଜପତି,ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂଜାରି କରାଯାଇଛି। ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ ପବନ ସହ ବିଜୁଳି,ଘଡ଼ଘଡ଼ି ବହିବାର ସମ୍ଭାବନା ଅଛି। ୨୫ ତାରିଖରେ ବରଗଡ଼,ନୂଆପଡ଼ା,ବଲାଙ୍ଗିର,କଳାହାଣ୍ଡି,ନବରଙ୍ଗପୁର,କୋରାପୁଟ ଓ ମାଲକାନାଗିରିର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂଜାରି କରାଯାଇଛି। ଏଥିସହ ବାଲେଶ୍ବର,ଝାରସୁଗୁଡ଼ା,ସମ୍ବଲପୁର,କେନ୍ଦୁଝର,ମୟୂରଭଞ୍ଜ,ସୁବର୍ଣ୍ଣପୁର,ବୌଦ୍ଧ,କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି। ୨୬ ତାରିଖ ବେଳକୁ ସେପରି କିଛି ବଡ଼ ଧରଣର ବର୍ଷା ନାହିଁ କିନ୍ତୁ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନାରହିଛି ।